Advertisement

ଦାଉଦ୍‌ଙ୍କ ଟାର୍ଗେଟରେ ଭାରତୀୟ ନେତା

ନୂଆଦିଲ୍ଲୀ/ମୁମ୍ବାଇ,୨୦।୨: ଅଣ୍ଡରଓ୍ବାଲର୍‌ଡ ଡନ୍‌ ଦାଉଦ୍‌ ଇବ୍ରାହିମ୍‌ଙ୍କ ଟାର୍ଗେଟରେ ଭାରତ ରହିଛି। ଭାରତୀୟ ରାଜନେତା ଓ ବିଶିଷ୍ଟ ବ୍ୟବସାୟୀମାନଙ୍କୁ ବିସ୍ଫୋରଣରେ ହତ୍ୟା କରିବା ଲାଗି ଦାଉଦ୍‌ ଏକ ସ୍ବତନ୍ତ୍ର ୟୁନିଟ୍‌ ଗଠନ କରିଛନ୍ତି। ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍‌ଆଇଏ) ପକ୍ଷରୁ ପଞ୍ଜୀକୃତ ଏକ ଏଫ୍‌ଆଇଆର୍‌ରୁ ଏହି ଚାଞ୍ଚଲ୍ୟକର ତଥ୍ୟ ପ୍ରଘଟ ହୋଇଛି।
ଏନ୍‌ଆଇଏ ତଦନ୍ତରୁ ଜାଣିବାକୁ ପାଇଛି ଯେ, ମୋଷ୍ଟ ଓ୍ବାଣ୍ଟେଡ୍‌ ପଳାତକ ଦାଉଦ୍‌ ଇବ୍ରାହିମ୍‌ ଦେଶର ବିଶିଷ୍ଟ ନେତା ଓ ବ୍ୟବସାୟୀଙ୍କୁ ଟାର୍ଗେଟ କରିବା ଲାଗି ଏକ ସ୍ପେଶାଲ ୟୁନିଟ୍‌ ଗଢ଼ିଛନ୍ତି। ଦେଶର ବିଭିନ୍ନ ଭାଗରେ ବିସ୍ଫୋରଣ ଘଟାଇ ହିଂସା ଉସୁକାଇବା ଏବଂ ନେତା ଓ ବ୍ୟବସାୟୀଙ୍କୁ ହତ୍ୟା କରାଇବା ହେଉଛି ଏହି ୟୁନିଟ୍‌ର ଲକ୍ଷ୍ୟ। ଏଥିସହ ଜାତୀୟ ରାଜଧାନୀ ଦିଲ୍ଲୀ ଓ ଆର୍ଥିକ ରାଜଧାନୀ ମୁମ୍ବାଇରେ ରହୁଥିବା ବରିଷ୍ଠ ନେତାମାନଙ୍କ ଉପରେ ଦାଉଦ୍‌ଙ୍କ ଫୋକସ୍‌ ରହିଥିବା ଏନ୍‌ଆଇଏ କହିଛି। ଏପରି କି ଡି କମ୍ପାନୀର ହିଟ୍‌ ଲିଷ୍ଟ ମଧ୍ୟ ତଦନ୍ତକାରୀ ସଂସ୍ଥା ହାତରେ ଲାଗିଛି। ଦାଉଦ୍‌ ଓ ତାଙ୍କ ସହଯୋଗୀମାନଙ୍କ ବିରୋଧରେ ଏକ ମନି ଲଣ୍ଡରିଂ ମାମଲା ରୁଜୁ ହୋଇଛି। ଏହି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଶୁକ୍ରବାର ଦାଉଦ୍‌ଙ୍କ ଭାଇ ଇକ୍‌ବାଲ କାସ୍କରଙ୍କୁ ଠାଣେ ଜେଲରୁ ଆସନ୍ତା ୨୪ ତାରିଖ ପର୍ଯ୍ୟନ୍ତ ରିମାଣ୍ଡରେ ନେଇଛି। ମଙ୍ଗଳବାର ଇଡି ଦାଉଦ୍‌ଙ୍କ ସମ୍ପର୍କିତ କେତେକ ସ୍ଥାନରେ ଚଢ଼ାଉ କରିଥିଲା। ଦାଉଦ୍‌ଙ୍କ ଭଉଣୀ ହସିନା ପାର୍କରଙ୍କ ପୁଅ ଏବଂ ଗ୍ୟାଙ୍ଗ୍‌ଷ୍ଟର ଛୋଟା ସକିଲଙ୍କ ଭିଣୋଇ ସଲିମ କୁରେଶୀ ଓରଫ୍‌ ସଲିମ ଫ୍ରୁଟ୍‌ଙ୍କ ଘର ସମେତ ୧୦ ସ୍ଥାନରେ ଖାନତଲାସ କରାଯାଇଥିଲା। ଏହି ମାମଲାରେ ସଲିମ ଫ୍ରୁଟ୍‌ଙ୍କୁ ଇଡି କାର୍ଯ୍ୟାଳୟରେ ଅଟକ ରଖି ଦୀର୍ଘ ସମୟ ଧରି ଜେରା କରାଯାଇଥିଲା। ଦାଉଦ୍‌ଙ୍କ ସ୍ପେଶାଲ ୟୁନିଟ୍‌କୁ ସଲିମ ଫ୍ରୁଟ୍‌ ପରିଚାଳନା କରୁଥିବା ଇଡି ସନ୍ଦେହ କରୁଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share