Categories: ଖେଳ

ପ୍ରଥମ ଦିନରେ ଭାରତର ପ୍ରଭାବୀ ପ୍ରଦର୍ଶନ

ମୁମ୍ବାଇ, ୨୧।୧୨: ଭାରତ ଓ ଅଷ୍ଟ୍ରେଲିଆ ମହିଳା କ୍ରିକେଟ ଟେଷ୍ଟ ଗୁରୁବାର ଆରମ୍ଭ ହୋଇଛି। ଇଂଲଣ୍ଡ ବିପକ୍ଷ ଟେଷ୍ଟକୁ ସହଜରେ ଜିତିଥିବା ଭାରତୀୟ ମହିଳା ଦଳ ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟର ପ୍ରଥମ ଦିବସରେ ପ୍ରଭାବୀ ପ୍ରଦର୍ଶନ କରିଛି। ପୂଜା ବସ୍ତ୍ରକାର, ସ୍ନେହ ରାଣା ଓ ଦୀପ୍ତି ଶର୍ମା ଆକର୍ଷଣୀୟ ବୋଲିଂ କରି ଅଷ୍ଟ୍ରେଲିଆ ପ୍ରଥମ ଇନିଂସକୁ ୭୭.୪ ଓଭରରେ ୨୧୯ ରନରେ ସୀମିତ ରଖିଛନ୍ତି। ପରେ ସ୍ମୃତି ମନ୍ଧାନା ଓ ଶେଫାଳି ବର୍ମାଙ୍କ ଦୃଢ଼ ବ୍ୟାଟିଂ ସହାୟତାରେ ଭାରତ ପ୍ରଥମ ଦିବସ ଖେଳ ଶେଷ ବେଳକୁ ୧ ଉଇକେଟ ହରାଇ ୯୮ ରନ୍‌ ସଂଗ୍ରହ କରିଛି। ୯ ଉଇକେଟ୍‌ ଥାଇ ଭାରତ ଆଉ ୧୨୧ ରନ୍‌ ପଛରେ ରହିଛି।

ଅଷ୍ଟ୍ରେଲିଆ ଅଧିନାୟିକା ଅଲିସା ହିଲି ଟସ୍‌ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ। ତେବେ ୭ ରନ୍‌ରେ ଦଳ ୨ଟି ଉଇକେଟ ହରାଇ ଯେଉଁ ଝଟ୍‌କା ଖାଇଥିଲା ସେଥିରୁ ଶେଷ ପର୍ଯ୍ୟନ୍ତ ମୁକୁଳିପାରି ନ ଥିଲା।

ହେଲେ ଭାରତର ସ୍ମୃତି ଓ ଶେଫାଳି ଚମତ୍କାର ଆରମ୍ଭ କରିଥିଲେ। ଦୁହେଁ ଓପନିଂ ଯୋଡ଼ିରେ ୯୦ ରନ୍‌ର ଭାଗୀଦାରି ଗଢ଼ିଥିଲେ। ୧୭ତମ ଓଭରରେ ଶେଫାଳିଙ୍କୁ ଆଉଟ କରି ଅଷ୍ଟ୍ରେଲିଆକୁ ବ୍ରେକ୍‌ ଥ୍ରୁ ଦେଇଥିଲେ ଜେସ୍‌ ଜୋନାସେନ। ଶେଫାଳି ୫୯ ବଲ୍‌ରୁ ୪୦ (୮ ଚୌକା) ରନ ସଂଗ୍ରହ କରିଥିଲେ। ପ୍ରଥମ ଦିବସ ଖେଳ ସୁଦ୍ଧା ସ୍ମୃତି ମନ୍ଧାନା ୪୩ (୪୯ ବଲ, ୮ ଚୌକା) ଓ ସ୍ନେହ ରାଣା ୪ ରନରେ ଅପରାଜିତ ରହିଛନ୍ତି।

Share