ଅହମ୍ମଦାବାଦ,୨୦।୨: ଭାରତୀୟ ବ୍ୟାଟର ଚେତେଶ୍ୱର ପୂଜାରା ଚଳିତ ରଣଜୀ ଟ୍ରଫିରେ ମୁମ୍ବାଇ ବିପକ୍ଷ ମ୍ୟାଚ୍ରେ ଖେଳିଛନ୍ତି ୯୧ ରନ୍ର ପାଳି। ତାହା ପୁଣି ୮୩ ବଲରେ, ଯାହାକି ତାଙ୍କ ଅସ୍ବାଭାବିକ ଖେଳକୁ ଦର୍ଶାଉଛି। ତାଙ୍କ ଇନିଂସରେ ସାମିଲ ଥିଲା ୧୬ ଚୌକା ଓ ୧ ଛକା। ଶ୍ରୀଲଙ୍କା ବିପକ୍ଷ ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଲାଗି ଘୋଷିତ ଭାରତୀୟ ଦଳରୁ ବାଦ୍ ପଡ଼ିବା ପରେ ୩୩ ବର୍ଷୀୟ ପୂଜାରା ଏହି ଇନିଂସ ଜରିଆରେ ଫର୍ମକୁ ଫେରିଥିବା ସୂଚନା ଦେଇଛନ୍ତି। କିନ୍ତୁ ସୌରାଷ୍ଟ୍ର ବ୍ୟାଟର ମ୍ୟାଚ୍ର ପ୍ରଥମ ପାଳିରେ ଖାତା ଖୋଲି ପାରି ନ ଥିଲେ। ପୂଜାରାଙ୍କ ଭଳି ଜାତୀୟ ଦଳରୁ ବାଦ୍ ପଡ଼ିଥିବା ଅଜିଙ୍କ୍ୟ ରାହାନେ ମୁମ୍ବାଇ ପକ୍ଷରୁ ପ୍ରତିନିଧିତ୍ୱ କରି ଏହି ମ୍ୟାଚ୍ରେ ଶତକ ହାସଲ କରିଥିଲେ। ତାଙ୍କର ୧୦୮ ରନ୍ର ଇନିଂସ ଯୋଗୁ ମୁମ୍ବାଇ ପ୍ରଥମ ପାଳିରେ ୭ ଉଇକେଟ ହରାଇ ୫୪୪ ରନ୍ କରିବାକୁ ସକ୍ଷମ ହୋଇଥିଲା।
ସର୍ବଭାରତୀୟ ଚୟନ କମିଟି ମୁଖ୍ୟ ଚେତନ ଶର୍ମା ଟେଷ୍ଟ ଦଳ ଘୋଷଣା ବେଳେ କହିଥିଲେ, ଆମେ ଉଭୟ ପୂଜାରା ଓ ରାହାନେଙ୍କ ସହ କଥା ହୋଇଛୁ। ଆମେ ଚାହୁଁ ସେମାନେ ଦଳକୁ ଫେରି ଆସନ୍ତୁ। ଏଣୁ ସେମାନଙ୍କୁ ରଣଜୀରେ ଖେଳିବାକୁ କୁହାଯାଇଛି।