Categories: ରାଜ୍ୟ

ଏପ୍ରିଲ୍ ୨ ରୁ ଓଡ଼ିଶାର ଅନେକ ଜିଲାରେ ଦିନ ଓ ରାତିର ତାପମାତ୍ରା ବୃଦ୍ଧି ପାଇବା ସମ୍ଭାବନା

ଭୁବନେଶ୍ୱର,୩୧।୩: ରାଜ୍ୟରେ ଗତ କିଛିଦିନ ହେବ ଗ୍ରୀଷ୍ମ ପ୍ରକୋପ ବୃଦ୍ଧି ପାଇବାରେ ଲାଗିଥିବାବେଳେ ଆଜି ସକାଳେ ରାଜ୍ୟର ଆଭ୍ୟନ୍ତରୀଣ ଓ ଉପକୂଳ ଓଡ଼ିଶାର କିଛି ଅଞ୍ଚଳରେ ସକ୍ରିୟ ଘୂର୍ଣ୍ଣିବଳୟ ଏବଂ କାଳବୈଶାଖୀର ପ୍ରଭାବରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇଛି। ଏହା ସହ ପାଗ ମେଘୁଆ ରହିଛି।

ଏହାର ପ୍ରଭାବରେ ଆଗାମୀ ୨୪ ଘଣ୍ଟାରେ ରାଜ୍ୟର ଅନେକ ସ୍ଥାନରେ ୨ ରୁ ୪ ଡିଗ୍ରୀ ଯାଏଁ ଦିନ ତାପମାତ୍ରା ହ୍ରାସ ପାଇପାରେ। ପରବର୍ତ୍ତୀ ଦୁଇଦିନ ମଧ୍ୟରେ ପୁନର୍ବାର ୩ରୁ ୪ ଡିଗ୍ରୀ ତାପମାତ୍ରା ବୃଦ୍ଧି ପାଇବାର ସମ୍ଭାବନା ଥିବା ନେଇ ଭୁବନେଶ୍ୱରସ୍ଥିତ ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ଭୁବନେଶ୍ୱରରେ ଦିନ ତାପମାତ୍ରା ୩୭ ଡିଗ୍ରୀ ଏବଂ କଟକରେ ୩୭ ଦଶମିକ ୬ ଡିଗ୍ରୀ ସେଲସିୟସ୍‌‌ ରେକର୍ଡ କରାଯାଇଛି। ଗତକାଲି ମାଲକାନଗିରି ଜିଲ୍ଲାରେ ସର୍ବାଧିକ ଦିନ ତାପମାତ୍ରା ୪୧ ଡିଗ୍ରୀ ସେଲସିୟସ୍‌‌ ରେକର୍ଡ କରାଯାଇଛି। ସେହିପରି ବଲାଙ୍ଗିର, ଟିଟିଲାଗଡ଼, ନୟାଗଡ଼ ଏବଂ ବୌଦ୍ଧ ଜିଲ୍ଲାରେ ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ୍‌‌ ଉପରେ ରେକର୍ଡ କରାଯାଇଛି।

Share