Categories: ବାଣିଜ୍ୟ

ସମ୍ମମ୍‌ରେ ଦିନିକିଆ କର୍ମଶାଳା

ଭୁବନେଶ୍ୱର,୨୩ା।୫: ରାଜ୍ୟର ପ୍ରମୁଖ ଘରୋଇ ଚିକିତ୍ସାଳୟ ସମ୍‌ ଅଲ୍ଟିମେଟ ମେଡିକେୟାର ପକ୍ଷରୁ ନିକଟରେ ଏକ ଦିନିକିଆ କର୍ମଶାଳାର ଆୟୋଜନ କରାଯାଇଥିଲା। ଉକ୍ତ କର୍ମଶାଳାରେ ସଂକ୍ରମଣ ନିରାକରଣ ଓ ନିୟନ୍ତ୍ରଣ ଶୀର୍ଷକ ବିଷୟବସ୍ତୁ ଉପରେ ବିସ୍ତୃତ ଆଲୋଚନା କରାଯାଇଥିଲା। ଉକ୍ତ ଆଲୋଚନା ଚକ୍ରରେ ବିଭିନ୍ନ ହସ୍ପିଟାଲ୍‌ର ଚିକିତ୍ସା କ୍ଷେତ୍ରରେ କାର୍ଯ୍ୟରତ ବ୍ୟକ୍ତିଙ୍କ ସମେତ ନର୍ସ, ପାରାମେଡିକ୍ସ ଓ ଲାବରେଟୋରି ଟେକ୍ନିସିଆନ୍‌ମାନେ ଯୋଗ ଦେଇଥିଲେ। ଅପରପକ୍ଷରେ ଆଡଭାନ୍ସଡ ଷ୍ଟେରିଲାଇଜେଶନ୍‌ ପ୍ରଡକ୍ଟସ୍‌ (ଏଏସ୍‌ପି) ଓ ସମ୍ମମ୍‌ର ମିଳିତ ସହଯୋଗରେ ଆୟୋଜିତ ଉକ୍ତ କର୍ମଶାଳାରେ ବିଭିନ୍ନ ଥିଓରେଟିକାଲ୍‌ ଲେକ୍ଚର ଓ ପ୍ରାକ୍ଟିକାଲ୍‌ ସେସନ୍‌ର ମଧ୍ୟ ଆୟୋଜନ କରାଯାଇଥିଲା। କର୍ମଶାଳାର ଉଦଘାଟନୀ ଉତ୍ସବରେ ସମ୍ମମ୍‌ର ସିଇଓ ଡା. ଶ୍ୱେତପଦ୍ମା ଦାଶ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଉପଯୁକ୍ତ ସଂକ୍ରମଣ ନିରାକରଣ ଓ ନିୟନ୍ତ୍ରଣ ଉପରେ ବେଶ୍‌ ଗୁରୁତ୍ୱାରୋପ କରିଥିଲେ। ଏପରିକି ଉତ୍ତମ ଓ ସୁରକ୍ଷିତ ସ୍ବାସ୍ଥ୍ୟ ସେବା ନିମନ୍ତେ ଏହା ହିଁ ପ୍ରକୃଷ୍ଟ ମାଧ୍ୟମ ବୋଲି ସେ ମତବ୍ୟକ୍ତ କରିଥିଲେ। ସେହିପରି ସମ୍ମମ୍‌ର ଚିଫ୍‌ ଅଫ୍‌ ମେଡିକାଲ ସର୍ଭିସେସ୍‌ ବ୍ରିଗେଡିୟର (ଡା) ବିରାଜ ମୋହନ ମିଶ୍ର, ମେଡିକାଲ୍‌ ସୁପରିଣ୍ଟେଣ୍ଡେଣ୍ଟ ଡା. ପ୍ରଶାନ୍ତ କୁମାର ପଣ୍ଡା, କ୍ରିଟିକାଲ୍‌ କେୟାର ବିଭାଗର ମୁଖ୍ୟ ଡା. ବାନାମ୍ବର ରାୟ, ମାଇକ୍ରୋ ବାୟୋଲୋଜି ବିଭାଗର କନ୍‌ସଲ୍‌ଟାଣ୍ଟ ଡା.ପୂରବୀ ବରାଳ ଏବଂ ଏଏସ୍‌ପିର ସିନିୟର ମ୍ୟାନେଜର ବର୍ଣ୍ଣାଳୀ ବାନିକ୍‌ ପ୍ରମୁଖ ଉପସ୍ଥିତ ଥିଲେ। ଉଲ୍ଲେଖଯୋଗ୍ୟ, କୋଭିଡ ମହାମାରୀ ମଣିଷ ଜୀବନର ଗୁଣବତ୍ତାକୁ ମଧ୍ୟ ପ୍ରଭାବିତ କରିଥିଲା ବୋଲି ଡା. ମିଶ୍ର ମତବ୍ୟକ୍ତ କରିଥିଲେ। ତେଣୁ ଭବିଷ୍ୟତରେ ଏଭଳି କୌଣସି ମାରାତ୍ମକ ବ୍ୟାଧିର ପ୍ରତିରୋଧ କରିବା ନିମନ୍ତେ ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ସଂକ୍ରମଣର ନିରାକରଣ ଓ ନିୟନ୍ତ୍ରଣ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ମିଶ୍ର କହିଥିଲେ। ଉକ୍ତ କର୍ମଶାଳାରେ ଭୁବନେଶ୍ୱର ଆପୋଲୋ ହସ୍ପିଟାଲ୍‌ର ମାଇକ୍ରୋ ବାୟୋଲୋଜି ବିଭାଗର ସିନିୟର କନ୍‌ସଲଟାଣ୍ଟ ଡା. ସୁନୀତା ସାହୁ ଏବଂ ଆମ୍ରି ହସ୍ପିଟାଲ୍‌ର ସିନିୟର କନ୍‌ସଲଟାଣ୍ଟ ଡା. ବିଭୁଦତ୍ତ ରାଉତରାୟ ପ୍ରମୁଖ ଉପସ୍ଥିତ ଥିଲେ।

Share