Categories: ଜାତୀୟ

ତିସ୍ତାଙ୍କୁ ୭ ଦିନ ଅନ୍ତରୀଣ ସୁରକ୍ଷା

ନୂଆଦିଲ୍ଲୀ, ୨।୭ : ସାମାଜିକ କର୍ମୀ ତିସ୍ତା ସିତଲଓ୍ବାଡ୍‌ଙ୍କ ନିୟମିତ ଜାମିନ ଆବେଦନକୁ ଗୁଜରାଟ ହାଇକୋର୍ଟ ଶନିବାର ଖାରଜ କରିଦେଇଥିଲେ। ୨୦୦୨ ଗୋଧ୍ରା ପରବର୍ତ୍ତୀ ଦଙ୍ଗା ମାମଲାରେ ନିରୀହ ଲୋକଙ୍କୁ ଫସାଇବା ପାଇଁ ପ୍ରମାଣ ଜାଲିଆତି କରିଥିବା ଅଭିଯୋଗରେ ସମ୍ପୃକ୍ତ ତିସ୍ତାଙ୍କୁ ତୁରନ୍ତ ଆତ୍ମସମର୍ପଣ କରିବା ପାଇଁ ଅଦାଲତ ନିର୍ଦ୍ଦେଶ ଦେଇଥିଲେ। ଏହା ବିରୋଧରେ ତିସ୍ତା ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେବା ପରେ ତାଙ୍କୁ ଗିରଫଦାରୀରୁ ୭ ଦିନ ପାଇଁ ସୁରକ୍ଷା ମିଳିଛି। ଆତ୍ମସମର୍ପଣ ପାଇଁ ହାଇକୋର୍ଟ ଅଧିକ ସମୟ ଦେବା ଆବଶ୍ୟକ ବୋଲି ଜଷ୍ଟିସ ଏ.ଏସ୍‌. ଓକା ଏବଂ ପି.କେ. ମିଶ୍ରାଙ୍କ ଖଣ୍ଡପୀଠ କହିଥିଲେ। ତେବେ ତିସ୍ତାଙ୍କୁ ସୁରକ୍ଷା ଦେବା ଲାଗି ଦୁଇ ବିଚାରପତିଙ୍କ ଭିନ୍ନ ମତ ଯୋଗୁ ପିଟିଶନ୍‌ର ଶୁଣାଣି ପାଇଁ ସିଜେଆଇଙ୍କ ଅଧ୍ୟକ୍ଷତାରେ ୩ ଜଣିଆ ଖଣ୍ଡପୀଠକୁ ପଠାଯାଇଥିଲା।
ଗତବର୍ଷ ଜୁନ୍‌ ୨୫ରେ ଗୁଜରାଟ ପୋଲିସ ତିସ୍ତାଙ୍କୁ ଗିରଫ କରିଥିଲା। ସେପ୍ଟେମ୍ବରରେ ସେ ସୁପ୍ରିମକୋର୍ଟରୁ ଅନ୍ତରୀଣ ଜାମିନ ପାଇଥିଲେ।

Share