ବୁଷ୍ଟର ଡୋଜ୍‌ ପାଇଁ କୋର୍ବେଭାକ୍ସକୁ ଡିସିଜିଆଇ ମଞ୍ଜୁରୀ…

ନୂଆଦିଲ୍ଲୀ, ୪।୬ : ଭାରତରେ, ବର୍ତ୍ତମାନ ଜରୁରୀକାଳୀନ ପରିସ୍ଥିତିରେ, ବାୟୋଲୋଜିକାଲ ଇ ଲିମିଟେଡର କରୋନା ଟିକା କୋର୍ବେଭାକ୍ସକୁ ବୁଷ୍ଟର ଡୋଜ୍‌ ଭାବେ ପ୍ରଦାନ କରାଯାଇ ପାରିବ। ଡ୍ରଗ କଣ୍ଟ୍ରୋଲର୍‌ ଜେନେରାଲ ଅଫ ଇଣ୍ଡିଆ (ଡିଜିସିଆଇ) କୋର୍ବେଭାକ୍ସ ଟିକାକ୍‌ର ଜରୁରୀକାଳୀନ ବ୍ୟବହାରକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି।

ଏହା ଦ୍ୱାରା ୧୮ବର୍ଷରୁ ଅଧିକ ବୟସ୍କ ଯେଉଁମାନେ କୋଭିଶିଲ୍ଡ କିମ୍ବା କୋଭାକ୍ସିନର ଉଭୟ ଡୋଜ ନେଇଛନ୍ତି, ସେମାନେ ବର୍ତ୍ତମାନ ଜରୁରୀକାଳୀନ ପରିସ୍ଥିତିରେ କୋର୍ବେଭାକ୍ସକୁ କୋରୋନାର ଏକ ବୁଷ୍ଟର୍‌ ଡୋଜ ଭାବରେ ଗ୍ରହଣ କରିପାରିବେ ।

ହାଇଦ୍ରାବାଦ ଭିତ୍ତିକ ଫାର୍ମାସ୍ୟୁଟିକାଲ ଏବଂ ଟିକା କମ୍ପାନୀ ବାୟୋଲୋଜିକାଲ ଇ ଲମିଟେଡ୍‌ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ଯେ, ଭାରତରେ ଉତ୍ପାଦିତ କମ୍ପାନୀର ପ୍ରଥମ ଟିକା କୋର୍ବେଭାକ୍ସକୁ ଜରୁରୀକାଳୀନ ପରିସ୍ଥିତିରେ କୋଭିଡ ବୁଷ୍ଟର୍‌ ଭାବରେ ପ୍ରଦାନ କରାଯିବାର ଅନୁମତି ମିଳିଛି।

ଏହି ବିଷୟରେ, ବାୟୋଲୋଜିକାଲ ଇ ଲିମିଟେଡର ପରିଚାଳନା ନିର୍ଦ୍ଦେଶକ ମହିମା ଦତ୍ତଲା କହିଛନ୍ତି ଯେ ଡିସିଜିଆଇର ଏହି ମଞ୍ଜୁରୀ ନେଇ ଆମେ ବେଶ୍‌ ଆନନ୍ଦିତ। ବର୍ତ୍ତମାନ ଭାରତରେ କରୋନାର ବୁଷ୍ଟର୍‌ ଡୋଜର ଅଭାବ ରହିବ ନାହିଁ। ଏହା ସହିତ ଆମେ କରୋନା ଟିକାକରଣରେ ଆଉ ଏକ ମାଇଲଖୁଣ୍ଟ ଅତିକ୍ରମ କରିଛୁ। ଏହା କୁହାଯାଉଛି ଯେ କମ୍ପାନୀ କେନ୍ଦ୍ରକୁ ୧୦୦ ମିଲିୟନ ବୁଷ୍ଟର୍‌ ଡୋଜ ପ୍ରଦାନ କରିଛି ।

Share