କୋହଲିଙ୍କ ଝିଅକୁ ବଳାତ୍କାର ଧମକ : ସାଇବର ପୋଲିସକୁ ନୋଟିସ

ନୂଆଦିଲ୍ଲୀ,୨।୧୧: ଭାରତୀୟ ଦଳର ଅଧିନାୟକ ବିରାଟ କୋହଲିଙ୍କ ପରିବାରକୁ ଧମକ ମିଳିବା ନେଇ ମିଡିଆ ରିପୋର୍ଟ ପ୍ରକାଶ ପାଇବା ପରେ ସାଇବର ପୋଲିସକୁ ନୋଟିସ କରିଛି ଦିଲ୍ଲୀ ମହିଳା କମିଶନ (ଡିସିଡବ୍ଲ୍ୟୁ)।

ଚଳିତ ଟି୨୦ ବିଶ୍ୱକପ୍‌ରେ ପାକିସ୍ତାନଠାରୁ ୧୦ ଉଇକେଟରେ ହାରିବା ପରେ ଟିମ୍‌ ଇଣ୍ଡିଆର ଅଧିନାୟକ କୋହଲିଙ୍କ ୯ ମାସର ଝିଅକୁ ବଳାତ୍କାର ଧମକ ଦିଆଯାଇଛି। ସାଇବର ପୋଲିସର ଡେପୁଟି କମିଶନରଙ୍କୁ କରାଯାଇଥିବା ନୋଟିସ୍‌ରେ ଘଟଣାର ଏଫ୍‌ଆଇଆର କପି ଓ ଚିହ୍ନଟ କରାଯାଇଥିବା ଅଭିଯୁକ୍ତଙ୍କ ସମ୍ପୂର୍ଣ୍ଣ ତଥ୍ୟ ମଗାଯାଇଛି। ଏଥିସହ ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ଦିଲ୍ଲୀ ପୋଲିସ ପକ୍ଷରୁ କେଉଁ କେଉଁ ପଦକ୍ଷେପ ନିଆଯାଇଛି, ତାହାର ସମ୍ପୂର୍ଣ୍ଣ ତଥ୍ୟ ଦେବାକୁ କୁହାଯାଇଛି ନୋଟିସରେ।

ଡିସିଡବ୍ଲ୍ୟୁ ଅଧ୍ୟକ୍ଷା ସ୍ବାତୀ ମାଲିଓ୍ବାଲ କହିଛନ୍ତି, ସାଥି ଖେଳାଳି ମହମ୍ମଦ ଶାମିଙ୍କୁ ତାଙ୍କ ଧର୍ମ ସହ ଯୋଡ଼ି କରାଯାଉଥିବା ଟ୍ରୋଲିଂକୁ କୋହଲି ବିରୋଧ କରିଥିଲେ। ଏହା ପରଠାରୁ ତାଙ୍କୁ ସୋସିଆଲ ମିଡିଆରେ ଟର୍ଗେଟ କରାଯାଉଛି। ଏହା ଏକ ଗୁରୁତର ବିଷୟ ଓ ଏହା ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଦରକାର।

Share