ଲିବିୟା ସମୁଦ୍ରକୂଳରେ ୧୦୦କିମି ପର୍ଯ୍ୟନ୍ତ ଭାସୁଛି ମୃତଦେହ,ମହାମାରୀ ବ୍ୟାପିବା ଆଶଙ୍କା…

ତ୍ରିପୋଲି,୧୬।୯: ଲିବିୟାରେ ହୋଇଥିବା ପ୍ରଳୟଙ୍କରୀ ବନ୍ୟାରେ ସମୁଦ୍ର କୂଳରେ ୧୦୦ କିଲୋମିଟର ପର୍ଯ୍ୟନ୍ତ ମୃତଦେହଗୁଡ଼ିକ ଭାସୁଛି। ହଜାର ହଜାର ଲୋକ ନିଖୋଜ ଅଛନ୍ତି। ଫଳରେ ଲିବିଆରେ ବନ୍ୟା ପରେ ବର୍ତ୍ତମାନ ମହାମାରୀ ହେବାର ଆଶଙ୍କା ଦେଖାଦେଇଛି।

ଲିବିୟାରେ ବନ୍ୟା ପରିସ୍ଥିତି ପରେ ଅଧିକାରୀମାନେ ତଦନ୍ତ ଦାବି କରିଛନ୍ତି। ଏହାକୁ ଦୁନିଆର ସବୁଠାରୁ ଖରାପ ମାନବୀୟ ଦୁଃଖଦ ଘଟଣା ବୋଲି କୁହାଯାଉଛି। ହଜାର ହଜାର ଲୋକଙ୍କ ଜୀବନ ନେଇଥିବା ତଥା ସମ୍ପତ୍ତିରେ କ୍ଷତି ଘଟାଇଥିବା ଏହି ଭୟଙ୍କର ପ୍ରାକୃତିକ ବିପର୍ଯ୍ୟୟ କୌଣସି ମାନବୀୟ ତ୍ରୁଟି ଯୋଗୁ ହୋଇଛି କି ନାହିଁ ତାହାର ଅନୁସନ୍ଧାନ କରିବାକୁ ଦାବି କରାଯାଇଛି। ରିପୋର୍ଟରେ କୁହାଯାଇଛି ଯେଉଁମାନେ ବଞ୍ଚିଛନ୍ତି ସେମାନେ ନିଜ ପ୍ରିୟ ଲୋକଙ୍କୁ ଖୋଜିବାରେ ବ୍ୟସ୍ତ ଅଛନ୍ତି।

ନ୍ୟୁଜ ଅନୁଯାୟୀ, ସେପ୍ଟେମ୍ବର ୧୦ ରେ ଲିବିୟାର ଡର୍ନା ସହରରେ ଯାହା ଘଟିଥିଲା, ସମଗ୍ର ବିଶ୍ୱ କେବେ ବି ଭୁଲି ପାରିବ ନାହିଁ। ଏଠାରେ ଏକ ଶକ୍ତିଶାଳୀ ଝଡ ଏକ ଭୟଙ୍କର ବନ୍ୟା ପରିସ୍ଥିତି ସୃଷ୍ଟି କରିଥିଲା ଯାହା ଆଖି ପିଛୁଳାକେ ସମଗ୍ର ସହରକୁ ବୋହି ନେଇ ସମୁଦ୍ର ମୁହାଁ ହୋଇଥିଲା । ବନ୍ୟା ଜଳ ପୂର୍ବ ସହରର ଡର୍ନା ଡ୍ୟାମକୁ ଭାଙ୍ଗି ଦେଇଥିଲା। ବହୁ ମହଲା କୋଠା ଏବଂ ଭିତରେ ଶୋଇଥିବା ପରିବାରଗୁଡିକର କୌଣସି ଖୋଜ ଖବର ମିଳି ନାହିଁ। ମୃତ୍ୟୁସଂଖ୍ୟାର ସରକାରୀ ଆକଳନ ଭିନ୍ନ ଭିନ୍ନ ରହିଛି।

ଡର୍ନା ମେୟର ଅବଦୁଲମେନେମ ଅଲ-ଘାଥୀ ଗଭୀର ଚିନ୍ତା ପ୍ରକଟ କରିଛନ୍ତି ଭୟଙ୍କର ବନ୍ୟା ଯୋଗୁଁ ସହରରେ ମୃତ୍ୟୁ ସଂଖ୍ୟା ୧୮ ହଜାର ରୁ ୨୦ ହଜାର ପର୍ଯ୍ୟନ୍ତ ପହଞ୍ଚିପାରେ। ନ୍ୟୁଜ ଏଜେନ୍ସି ରଏଟର୍ସ ସହ କଥାବାର୍ତ୍ତା କରି ସେ କହିଛନ୍ତି ଆବର୍ଜନା ଓ ପାଣିରେ ବହୁ ସଂଖ୍ୟକ ମୃତଦେହ ମିଳିବା ପରେ ବର୍ତ୍ତମାନ ମହାମାରୀ ବ୍ୟାପିବାର ଆଶଙ୍କା ରହିଛି।

Share