ନିଖୋଜର ୫ ଦିନ ପରେ ପାହାଡ଼ରୁ ୩ ଜଣଙ୍କ ମୃତଦେହ ଠାବ, ହତ୍ୟା ସନ୍ଦେହ

ବାଲେଶ୍ଵର ଅଫିସ (ମାନସ ବିଶ୍ୱାଳ)୪।୭: ବାଲେଶ୍ୱର ଜିଲା ଔପଦା ଥାନା ବଡ଼ପୋଖରୀ ପଞ୍ଚାୟତ ବଡ଼ପୋଖରୀ ରାଜସ୍ୱ ଗ୍ରାମର ଆଦିବାସୀ ବସ୍ତି ବରପଦା ଗ୍ରାମରେ ଚାରି ଦିନ ଧରି ନିଖୋଜ ଥିବା ୩ ଜଣ ଆଦିବାସୀଙ୍କର ମୃତ ଶରୀର ଗୁରୁବାର ବଡ଼ପୋଖରୀ ନିକଟସ୍ଥ ଜଙ୍ଗଲରୁ ମିଳିଛି । ନିଖୋଜ ଥିବା ସମ୍ପର୍କରେ ଔପଦା ଥାନାରେ ଗୁରୁବାର ପୂର୍ବାହ୍ନରେ ପରିବାର ପକ୍ଷରୁ ଅଭିଯୋଗ ହେବା ପରେ ଅପରାହ୍ନ ୩ଟା ସମୟରେ ବଡ଼ପୋଖରୀ ସ୍ଥିତ ଜଙ୍ଗଲରେ ନିଖୋଜ ୩ ଜଣଙ୍କ ପଡ଼ିଥିବା ନେଇ ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚିଛି। ଅଦ୍ୟାବଧି ଉଦ୍ଧାର ମୃତଦେହଗୁଡ଼ିକୁ କରାଯାଇ ନାହିଁ । ଉକ୍ତ ଅଞ୍ଚଳକୁ ପୋଲିସ ହେପାଜତରେ ରଖାଯାଇଥିବାର ଜଣାପଡ଼ିଛି।

ସୂଚନା ଯେ, ଗତ ୧ ତାରିଖରେ ବରପଦା ଗ୍ରାମର ସମ୍ବାରି ସିଂ, ଜାଲିଆ ସିଂ, ଦାମ୍ପା ସିଂ ଘରୁ ନିଖୋଜ ଥିଲେ । ସେମାନଙ୍କ ପରିବାର ଲୋକ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରି ନ ପାଇବାରୁ ଗୁରୁବାର ମୃତ ସମ୍ବାରି ସିଂଙ୍କ ପୁଅ ନିରଞ୍ଜନ ଔପଦା ଥାନାରେ ଅଭିଯୋଗ କରିଥିଲେ । ଔପଦା ଭଳି ଉପାନ୍ତ ଅଞ୍ଚଳରେ ଆଦିବାସୀ ବସ୍ତିରେ ଦୀର୍ଘ ଚାରି ଦିନ ଧରି ନିଖୋଜ ଥିବା ୩ ଜଣ ଆଦିବାସୀଙ୍କର ଗଳିତ ଶବ ଜଙ୍ଗଲରୁ ମିଳିବା ଔପଦା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ବେଳେ ଏହା ହତ୍ୟା କି ଆତ୍ମହତ୍ୟା ଉଚ୍ଚସ୍ତରୀୟ ତଦନ୍ତ ହେବା ପାଇଁ ସାଧାରଣରେ ଦୃଢ଼ ଦାବି ହେଉଛି । ଖବର ଲେଖା ହେବା ପର୍ଯ୍ୟନ୍ତ ଜଙ୍ଗଲରେ ପଡ଼ିଥିବା ଶବ ଗୁଡିକ ଉଦ୍ଧାର କରାଯାଇ ପାରି ନଥିବା ଜଣାଯାଇଛି ।

Share