୪ ଅପହୃତ ଭାରତୀୟଙ୍କ ମୃତ ଦେହ ମିଳିଲା, ୮ ମାସର ଶିଶୁକନ୍ୟା ବି ସାମିଲ…

ସ୍କ୍ରାମେଣ୍ଟୋ,୬।୧୦ : ଆମେରିକାର କାଲିଫର୍ନିଆର ମର୍ସିଡ ସହରରେ ଅପହୃତ ହୋଇଥିବା ଚାରିଜଣ ଭାରତୀୟ ମୂଳ ଲୋକଙ୍କର ମୃତଦେହ ମିଳିଛି। ମୃତକଙ୍କ ମଧ୍ୟରେ ଭାରତୀୟ ମୂଳ ଦମ୍ପତି ଏବଂ ସେମାନଙ୍କର ଆଠ ମାସର ଶିଶୁ କନ୍ୟା ଓ ସେମାନଙ୍କର ଜଣେ ବନ୍ଧୁ ଅଛନ୍ତି।

ମର୍ସିଡ କାଉଣ୍ଟି ସରିଫ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ଯେ ମୃତକଙ୍କ ମଧ୍ୟରେ ୩୬ ବର୍ଷୀୟ ଜଶଦୀପ ସିଂ, ତାଙ୍କ ସ୍ତ୍ରୀ ୨୭ ବର୍ଷ ବୟସ୍କା ଜସଲିନ କୌର, ସେମାନଙ୍କର ଆଠ ମାସର ଶିଶୁକନ୍ୟା ଆରୁହି ଏବଂ ୩୯ ବର୍ଷିୟ ଅମନଦୀପ ସିଂ ରହିଛନ୍ତି।

ମର୍ସିଡ କାଉଣ୍ଟି ସରିଫ ଓ୍ବର୍ନ ଓ୍ବାର୍ନକେ କହିଛନ୍ତି ଏହା ଅତ୍ୟନ୍ତ ନିନ୍ଦା ଜନକ ଘଟଣା। ଆମେରିକାର ସୁରକ୍ଷା ଏଜେନ୍ସି କହିଛି ଯେ ସନ୍ଦିଗ୍ଧ ଅପହରଣକାରୀମାନେ ସଶସ୍ତ୍ର ଥିଲେ। ଜଣେ ସନ୍ଦିଗ୍ଧଙ୍କୁ ଗିରଫ କରାଯାଇଛି।

ସୂଚନାଯୋଗ୍ୟ ମର୍ସିଡାର ଦକ୍ଷିଣ ରାଜପଥ ୫୯ର ବ୍ଲକ ୮୦୦ ରେ ଥିବା ଏକ ବ୍ୟବସାୟିକ ପ୍ରତିଷ୍ଠାନ ନିକଟରୁ ଏହି ଚାରି ଭାରତୀୟଙ୍କୁ ଅପହରଣ କରାଯାଇଥିଲା। ସେମାନେ ସମସ୍ତେ ପଞ୍ଜାବର ହୋଶିଆରପୁର ଜିଲାର ଟାଣ୍ଡାର ହରସି ଗାଁର ବାସିନ୍ଦା।
ଏହାପୂର୍ବରୁ ୨୦୧୯ ରେ ଭାରତୀୟ ମୂଳ ବୈଷୟିକ ବିଶେଷଜ୍ଞ ତୁଷାର ଅତ୍ରେ ତାଙ୍କ ପ୍ରେମିକାଙ୍କ କାରରେ ମୃତଦେହ ପାଇଥିଲେ। ସେ ଆମେରିକାର ଏକ ଡିଜିଟାଲ ମାର୍କେଟିଂ କମ୍ପାନୀର ମାଲିକ ଥିଲେ। ତାଙ୍କ କାଲିଫର୍ନଆସ୍ଥିତ ଘରୁ ଅପହରଣ ହେବାର କିଛି ଘଣ୍ଟା ପରେ ତାଙ୍କ ମୃତଦେହ ମିଳିଥିଲା।

Share