ନୂତନ ହଷ୍ଟେଲରୁ ଛାତ୍ରଙ୍କ ମୃତଦେହ ଠାବ

ଗୋପାଳପୁୂର,୧୨।୩(ଡ଼ି.ଏନ.ଏ.): ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ନୂତନ ଛାତ୍ରାବାସର ଏକ କୋଠରିରେ ଶନିବାର ଜଣେ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଦେଖିବାକୁ ମିଳିଛି। ମୃତକ ହେଲେ ଜଗତ୍‌ସିଂହପୁର ଜିଲା ତିର୍ତ୍ତୋଲ ଅଞ୍ଚଳର ତାରିଣୀ ପ୍ରସାଦ ବିଶ୍ୱାଳ। ସୂଚନା ଅନୁସାରେ,ଗୋପାଳପୁର ଥାନା ଅନ୍ତର୍ଗତ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ତାରିଣୀ ଇଣ୍ଡିଷ୍ଟ୍ରିଆଲ ରିଲେଶନ ଓ ପସର୍ର୍ନାଲ ମ୍ୟାନେଜମେଣ୍ଟ (ଆଇଆର୍‌ପିଏମ୍‌) ବିଭାଗ ପ୍ରଥମ ବର୍ଷ ଛାତ୍ର ଥିଲେ। ସେ ନୂଆ ଛାତ୍ରାବାସରେ ରହୁଥିଲେ। ସେ ରହୁଥିବା କୋଠରି କବାଟ ଶନିବାର ପୂର୍ବାହ୍ନ ପର୍ଯ୍ୟନ୍ତ ଖୋଲି ନ ଥିଲା। ଏନେଇ ସହପାଠୀମାନେ ବହୁବାର ବାଡ଼େଇ ଥିଲେ ସୁଦ୍ଧା ଭିତରୁ କୌଣସି ଉତ୍ତର ମିଳି ନ ଥିଲା। ସନ୍ଦେହ ହେବାରୁ ଛାତ୍ରମାନେ କବାଟ ଭାଙ୍ଗି ତାରିଣୀଙ୍କ ଝୁଲନ୍ତା ମୃତଦେହ ଦେଖି ହଷ୍ଟେଲ ୱାର୍ଡେନ ଓ ପୋଲିସକୁ ଘଟଣା ସମ୍ପର୍କରେ ଜଣାଇଥିଲେ। ୱାର୍ଡେନ ଏବଂ ପୋଲିସ ନୂତନ ଛାତ୍ରାବାସ ନିକଟକୁ ଆସି ଗାମୁଛାରେ ତାରିଣୀ ଝୁଲୁଥିବା ଦେଖିଥିଲେ। ପୋଲିସ ମୃତଦେହ ତଳକୁ ନ ଓହ୍ଲାଇ ଘଟଣା ସମ୍ପର୍କରେ ତାଙ୍କ ପରିବାର ଲୋକଙ୍କୁ ଜଣାଇଥିଲା। ଖବର ଲେଖା ହେବା ସୁଦ୍ଧା ଛାତ୍ରଙ୍କ ମୃତଦେହ ସେଭଳି ଝୁଲନ୍ତା ଅବସ୍ଥାରେ ରହିଛି। ପରିବାର ଲୋକେ ପହଞ୍ଚିଲେ ତାଙ୍କ ଉପସ୍ଥିତିରେ ତଳକୁ ଓହ୍ଲାଯିବ ବୋଲି ଫାଣ୍ଡି ଅଧିକାରୀ ଶଙ୍କର ରାଓ ସୂଚନା ଦେଇଛନ୍ତି। ମୃତ୍ୟୁର କାରଣ ଜଣାପଡି ନାହିଁ, କିମ୍ବା ଥାନାରେ କଣସି ମାମଲା ରୁଜୁ ହୋଇନାହିଁ ।

Share