ଗାଁକୁ ଫେରିଲା ଦୁଇ ଦାଦନ ଶ୍ରମିକଙ୍କ ମୃତଦେହ

ଗୋପାଳପୁର,୯ା୫(ନବୀନ ରାଜ ଆଚାରୀ): ତେଲଙ୍ଗାନା ରାଜ୍ୟର ହାଇଦ୍ରାବାଦକୁ ଦାଦନ ଖଟିବାକୁ ଯାଇ ଆକ୍ରମଣର ଶିକାର ହୋଇ ୨ ଶ୍ରମିକଙ୍କ ମୃତ୍ୟୁ ଘଟିଛି l ଗୁରୁବାର ଉଭୟଙ୍କ ମୃତଦେହ ରଣ୍ଢା ସରପଞ୍ଚ ଅଜିତ ରାଉଳଙ୍କ ସହାୟତାରେ ଗ୍ରାମରେ ପହଞ୍ଚିଛି। ମୃତଦେହ ଗାଁରେ ପହଞ୍ଚିବା ପରେ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି। ମୃତକ ହେଲେ ସଗୋପାଳପୁର ନୂଆସାହି ବାସିନ୍ଦା କୃଷ୍ଣ ଚନ୍ଦ୍ର ପଣ୍ଡା(୩୮) ଏବଂ ରଣ୍ଢା ହରିଜନ ସାହିର ମିଟୁ ଦାସ(୪୦)।

ମିଳିଥିବା ସୂଚନା ମୁତାବକ, କୃଷ୍ଣ ଗତ ଜାନୁଆରୀ ମାସରେ ଦାଦନ ଖଟିବାକୁ ହାଇଦ୍ରାବାଦ ଯାଇଥିଲେ। ସେଠାରେ ସେ ଏକ ହୋଟେଲରେ କାମ କରୁଥିଲେ । ମାର୍ଚ୍ଚରେ କୌଣସି କାମରେ ଗୋପାଳପୁର ଆସିଥିଲେ । ପରେ ଏପ୍ରିଲ ମାସରେ ପୁଣି ହାଇଦ୍ରାବାଦ ଯାଇଥିଲେ। ଗତ ମଙ୍ଗଳବାର ରାତିରେ ପରିବାର ଲୋକଙ୍କ ସହ ଫୋନରେ କଥା ହୋଇ ୧୦ ତାରିଖରେ ଗାଁକୁ ଆସିବେ ବୋଲି କହୁଥିଲେ। ସେତିକିବେଳେ କେହି ଜଣେ ତାଙ୍କ ମୋବାଇଲ ଫୋନକୁ ଛଡ଼ାଇ ନେଉଥିବା କହୁଥିବା ବେଳେ ପରିବାର ଲୋକେ ଶୁଣିଥିଲେ। କିଛି ସମୟ ପରେ ପରିବାର ଲୋକେ ବାରମ୍ବାର ଫୋନ କରିଥିଲେ ମଧ୍ୟ ସେ ଫୋନ ଉଠାଇ ନ ଥିଲେ।

ବୁଧବାର ସକାଳେ କୃଷ୍ଣଙ୍କ ମୃତଦେହ ହାଇଦ୍ରାବାଦ ପୋଲିସ ପାଇ ଗୋପାଳପୁର ପୋଲିସକୁ ଖବର ଦେଇଥିଲା l ସ୍ଥାନୀୟ ପୋଲିସ କୃଷ୍ଣଙ୍କ ମୃତଦେହ ଡ୍ରେନରେ ପଡ଼ିଥିବା ନେଇ ପରିବାରକୁ ଜଣାଇଥିଲେ। ପରିବାର ଲୋକେ ଖବର ପାଇବା ପରେ ସାନଭାଇ ଗୋପାଳ ହାଇଦ୍ରାବାଦରେ ରହୁଥିବା ସାଙ୍ଗମାନଙ୍କୁ ଯୋଗାଯୋଗ କରିଥିଲେ l ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ କରିଥିଲା। ଗୁରୁବାର ଅପରାହ୍ନରେ ମୃତଦେହ ଗୋପାଳପୁର ବାସଭବନରେ ପହଞ୍ଚିବା ପରେ ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା।

ଏନେଇ ସାନଭାଇ ଗୋପାଳଙ୍କୁ ପଚାରିବାରୁ ଭାଇଙ୍କୁ ହତ୍ୟା କରି ଡ୍ରେନରେ ଫିଙ୍ଗି ଦିଆଯାଇଥିବା ଅଭିଯୋଗ କରିଛନ୍ତି। ସେହିପରି ମୃତ କୃଷ୍ଣଙ୍କ ସାଙ୍ଗ ଗୋଳନ୍ଥରା ଥାନା ଅଧୀନ ରଣ୍ଢା ଗ୍ରାମର ମିଟୁ ଦାସଙ୍କ ମୃତଦେହ ପୋଲିସ ଉଦ୍ଧାର କରି ବ୍ୟବଚ୍ଛେଦ ପରେ ପରିବାର ବର୍ଗଙ୍କୁ ଜଣାଇଥିଲା। ମିଟୁ ଦୀର୍ଘ ୨୦ ବର୍ଷ ଧରି ହାଇଦ୍ରାବାଦରେ ଏକ ହୋଟେଲରେ କାମ କରି ଆସୁଥିଲେ।

ଇତିମଧ୍ୟରେ ମିଟୁଙ୍କ ସ୍ତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ ତାଙ୍କ ପୁଅ ଜେଜେମା’ ପାଖରେ ରହି ଆସୁଥିଲେ। ମୃତ୍ୟୁ ଖବର ପାଇବା ପରେ ପରିବାର ଲୋକେ ଭାଙ୍ଗି ପଡିଥିଲେ। ଏନେଇ ମୃତଦେହ ଆଣିବା ପାଇଁ ଉଭୟ ପରିବାର ସକ୍ଷମ ନ ଥିବା ବେଳେ ଏନେଇ ରଣ୍ଢା ସରପଞ୍ଚ ଅଜିତ ରାଉଳଙ୍କୁ ଜଣାଇଥିଲେ। ସରପଞ୍ଚ ଆମ୍ବୁଲାନ୍ସ ଯୋଗେ ଉଭୟଙ୍କ ମରଶରୀରକୁ ଗାଁକୁ ଆଣିବାରେ ସହଯୋଗ କରିଥିଲେ।

Share