Categories: ଜାତୀୟ

ପ୍ରୟାଗରାଜରେ କରୋନା ଭଳି ସ୍ଥିତି

ପ୍ରୟାଗରାଜ,୧୮।୫: ଉତ୍ତରପ୍ରଦେଶର ପ୍ରୟାଗରାଜର ଗଙ୍ଗା ନଦୀ କୂଳର ବାଲିରେ ପୁଣି ଥରେ ବହୁ ସଂଖ୍ୟାରେ ମୃତଦେହ ପୋତି ଦିଆଯାଇଥିବାର ଦୃଶ୍ୟ ସାମ୍ନାକୁ ଆସିଛି। ଫାଫାମଉ ଘାଟର ସଦ୍ୟ ଚିତ୍ର ପୁଣି ଥରେ କରୋନା କାଳ ସମୟର ଦୃଶ୍ୟକୁ ମନେ ପକାଇଦେଇଛି। ଯଦିଓ ଏଠାରେ ମୃତଦେହକୁ କବର ଦେବାର ପରମ୍ପରା ରହିଆସିଛି। କିନ୍ତୁ ନ୍ୟାସନାଲ ଗ୍ରୀନ ଟ୍ରିବ୍ୟୁନାଲ(ଏନଜିଟି) ଏବଂ ଜିଲାପ୍ରଶାସନ ଗଙ୍ଗା ଘାଟରେ ମୃତଦେହକୁ ପୋତିବା ଉପରେ କଟକଣା ଲଗାଇଛି। ଏହା ସତ୍ତ୍ୱେ ପରମ୍ପରା ନାମରେ ମୃତଦେହକୁ କିପରି ପୋତିଦିଆଯାଉଛି ତାହା ଅତ୍ୟନ୍ତ ଚିନ୍ତାଜନକ। ପ୍ରତିଦିନ ଫାଫାମଉ ଘାଟର ବାଲିରେ ଶହ ଶହ ସଂଖ୍ୟାରେ ମୃତଦେହ ପୋତାଯାଉଛି। ଯେଉଁଥିପାଇଁ ସବୁ ସ୍ଥାନରେ କେବଳ କବର ହିଁ କବର ଦୃଶ୍ୟମାନ ହେଉଛି। ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ସୂଚନାଯୋଗ୍ୟ, ଆଗକୁ ମୌସୁମୀ ଆସିବାର ଅଛି। ଏଭଳି ପରିସ୍ଥିତିରେ ଗଙ୍ଗା ନଦୀ କୂଳରେ ପୋତାଯାଇଥିବା ମୃତଦେହଗୁଡ଼ିକ ଯଦି ନଦୀର ଜଳ ସ୍ତର ବଢ଼ିଯିବାରୁ ସେଥିରେ ମିଶିଯାଏ ତେବେ ଗଙ୍ଗା ନଦୀ ପାଇଁ ବିପଦ ରହିଛି। ଏହାଦ୍ୱାରା କେବଳ ବାଲିରେ ପୋତାଯାଇଥିବା ମୃତଦେହ ଗଙ୍ଗାକୁ ପ୍ରବାହିତ ହେବ ନାହିଁ, ବରଂ ଏହା ନଦୀକୁ ମଧ୍ୟ ପ୍ରଦୂଷିତ କରିବ। ଯାହାକୁ ଏବେ ଜିଲ୍ଲା ପ୍ରଶାସନଠାରୁ ଆରମ୍ଭ କରି ମ୍ୟୁନିସିପାଲିଟି କର୍ପୋରେସନ ପର୍ଯ୍ୟନ୍ତ ସମସ୍ତଙ୍କର ଚିନ୍ତାର କାରଣ ପାଲଟିଛି। ଗତ ବର୍ଷ କରୋନା କାଳରେ ମଧ୍ୟ ଗଙ୍ଗା କୂଳରେ ମୃତଦେହ ପୋତାଯିବା ଖବର ସାମ୍ନାକୁ ଆସିଥିଲା। ଏହାପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ପ୍ରୟାଗରାଜ ମ୍ୟୁନିସିପାଲିଟି କର୍ପୋରେସନ ମୃତଦେହକୁ ବାଲିରୁ ବାହାର କରି ଅନ୍ତିମ ସଂସ୍କାର କରିଥିଲା। ସେହିଦିନଠାରୁ ପ୍ରଶାସନ ନଦୀ କୂଳର ବାଲିରେ ମୃତଦେହ ପୋତିବାକୁ ବାରଣ କରିଥିଲା। ତେବେ ଏହି ନିଷେଧାଦେଶ ସତ୍ତ୍ୱେ ମଧ୍ୟ ବର୍ତ୍ତମାନ ଗଙ୍ଗା କୂଳରେ ମୃତଦେହକୁ କବର ଦିଆଯିବା ଘଟଣା ଜାରି ରହିଛି।

Share