ମୃତଦେହ ବି ଖାଇଯିବେ ମଙ୍ଗଳ ମହାକାଶ ଯାତ୍ରୀ…

ଓ୍ବାଶିଂଟନ,୧୭।୪: ପୃଥିବୀ ବାହାରେ ବସତି ସ୍ଥାପନ ପାଇଁ ମହାକାଶ ବିଜ୍ଞାନୀମାନେ ଳଗାତାର ଉଦ୍ୟମ ଜାରି ରଖିଛନ୍ତି। ମଙ୍ଗଳ ଗ୍ରହରେ ବାସ କରିବା ଲାଗି ଏବେ ଯୋଜନା ଜୋର୍‌ସୋର୍‌ରେ ଆରମ୍ଭ ହୋଇଛି। ପୃଥିବୀଠାରୁ ମଙ୍ଗଳଗ୍ରହର ଦୂରତା ପ୍ରାୟ ୧୭ କୋଟି ମାଇଲ୍‌ ଅର୍ଥାତ୍‌ ୨କୋଟି ୭୩ ଲକ୍ଷ ୫୮ ହଜାର ୮୪୮ କିଲୋମିଟର। ଏତେ ଦୀର୍ଘ ବାଟ ଯିବା ପାଇଁ ୭ ମାସ ସମୟ ଲାଗିବ। ଏକ ଛୋଟ ମହାକାଶ କ୍ୟାପସୁଲ୍‌ରେ ବସି ଯାତ୍ରା କରିବା କଷ୍ଟକର। ସେହିପରି ମଙ୍ଗଳରେ ପହଞ୍ଚିଗଲେ ମଧ୍ୟ ବିଭିନ୍ନ ଅଜଣା ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିବ। ଯଦି ମଙ୍ଗଳ ଅଭିଯାନ ସମୟରେ କୌଣସି ମହାକାଶ ଯାତ୍ରୀଙ୍କର ମୃତ୍ୟୁ ଘଟେ ତେବେ ତାଙ୍କୁ ପୃଥିବୀକୁ ଆଣିବା ପାଇଁ ବହୁ ଦିନ ଲାଗିବ। ତେଣୁ ମୃତଦେହକୁ ମହାକାଶରେ ଭସାଇ ଦିଆଯିବ ଅବା ମଙ୍ଗଳରେ ପହଞ୍ଚିବା ପରେ ମାଟିରେ କବର କିମ୍ବା ଜଳାଇ ଦିଆଯିବ। ଜଳାଇ ଦିଆଯିବା ଉପଯୁକ୍ତ ହେବ ବୋଲି ମହାକାଶବିଜ୍ଞାନୀମାନେ ମତପୋଷଣ କରିଛନ୍ତି। ଏହାଦ୍ୱାରା କୌଣସି ଅପରିଷ୍କାର ଅବା ସଂକ୍ରମଣ ହେବାର ଆଶଙ୍କା ଆଉ ରହିବ ନାହିଁ। ତେବେ ଖାଦ୍ୟର ଅଭାବରେ ସାଥୀ ଯାତ୍ରୀଙ୍କ ମୃତଦେହ ଖାଇବାର ବିକଳ୍ପ ମଧ୍ୟ ରହିଛି। ତେଣୁ ଯାତ୍ରା ଶେଷ ନ ହେବା ପର୍ଯ୍ୟନ୍ତ ମୃତଦେହକୁ କ୍ୟାପସୁଲରେ ଥିବା ଫ୍ରିଜ୍‌ରେ ସଂରକ୍ଷିତ ରଖାଯିବ ବୋଲି ମହାକାଶ ବିଜ୍ଞାନୀମାନେ ମତପୋଷଣ କରିଛନ୍ତି। ଏପର୍ଯ୍ୟନ୍ତ ମଣିଷର ମହାକାଶ ଅଭିଯାନରେ ୨୧ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଛି। ମହାକାଶ ଅଭିଯାନରେ ସବୁବେଳେ ବିପଦର ଆଶଙ୍କା ରହିଥାଏ। ତେଣୁ ସାଥୀ ଯାତ୍ରୀଙ୍କ ମୃତଦେହକୁ ଖାଦ୍ୟ ଭାବେ ବ୍ୟବହାର କରିବା ସାଧାରଣ କଥା ବୋଲି ମହାକାଶ ବିଶେଷଜ୍ଞ କହିଥାନ୍ତି।

Share