ବିଜୁଳି କାଟ୍‌-ଚିକିତ୍ସା ଠପ୍‌: ୪୮ଘଣ୍ଟାରେ ମୃତ ସହରରେ ପରିଣତ ହେବ ଗାଜା

ଗାଜା,୨୫।୧୦: ଇସ୍ରାଏଲ-ହମାସ ଯୁଦ୍ଧକୁ ୧୮ଦିନ ବିତିଯାଇଥିବାବେଳେ ଏହା ଥମିବାର କୌଣସି ସମ୍ଭାବନା ଦେଖାଯାଉ ନାହିଁ। ଏତେଦିନ ମଧ୍ୟରେ ଗାଜାକୁ ଖାଦ୍ୟ, ଜଳ ଓ ବିଦ୍ୟୁତ ସେବାକୁ ବନ୍ଦ କରାଯାଇଛି। ଜରୁରୀକାଳୀନ ସେବା ପହଞ୍ଚୁଥିଲେ ମଧ୍ୟ ତାହା ସମୁଦ୍ରକୁ ଶଙ୍ଖେ ବୋଲି କୁହାଯାଉଛି। ଆଉ ୪୮ଘଣ୍ଟା ମଧ୍ୟରେ ଦୁନିଆର ଏକ ଅଂଶ ଯାହାର ନାମ ଗାଜା, ତାର ଅସ୍ତିତ୍ୱ ବିଲୁପ୍ତ ହେବାକୁ ଯାଉଛି। ଗାଜାର ଡାକ୍ତରଖାନାଗୁଡ଼ିକରେ ମାତ୍ର ୪୮ ଘଣ୍ଟା ଜେନେରେଟରଗୁଡି ବନ୍ଦ ହୋଇଯିବାକୁ ଯାଉଛି। ଏହାଦ୍ୱାରା ଚିକିତ୍ସା କରିବା ସମୟରେ ଅସୁବିଧା ଆସିପାରେ।

ଇସ୍ରାଏଲ ସେନା ଗାଜା ଉପରେ ଏୟାର ଷ୍ଟ୍ରାଇକ କରି ଅଧିକାଂଶ ଡାକ୍ତରଖାନାକୁ ନଷ୍ଟ କରିଦେଇଛି। ହମାସ ଦାବି କରିଛି ଯେ, ମଙ୍ଗଳବାର ଇସ୍ରାଏଲର ବାୟୁସେନା ବିମାନ ଗାଜାର ଖାନ ୟୁନିସ ଅଞ୍ଚଳରେ ଥିବା ଅଲ-ଅମାଲ ହସ୍ପିଟାଲରେ ବୋମା ମାଡ଼ କରିଛି। ଯେଉଁଥିରେ ୫୦୦ରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଥିବାବେଳେ ୨୫୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଯଦି ଏହି ସମସ୍ତ ଆହତ ଏବଂ ନିରୀହ ଶିଶୁଙ୍କ ଚିକିତ୍ସା ନକରାଯାଏ ତେବେ ୪୮ଘଣ୍ଟା ମଧ୍ୟରେ ସମସ୍ତେ ମୃତ୍ୟୁବରଣ କରିବେ।

ଉତ୍ତର ଗାଜାର ବିଟ ଲାହିଆ ଅଞ୍ଚଳରେ ଥିବା ଇଣ୍ଡୋନେସିଆନ ହସ୍ପିଟାଲରେ ବିଦ୍ୟୁତ ନାହିଁ। ମହଜୁଦ ଥିବା ସାମଗ୍ରୀ ଏବଂ ସୁବିଧା ମଧ୍ୟରେ ଡାକ୍ତରମାନେ ଅନ୍ଧାରରେ କୌଣସି ପ୍ରକାରେ ଲୋକଙ୍କୁ ଚିକିତ୍ସା କରୁଛନ୍ତ। ଆହତଙ୍କୁ ପୋର୍ଟେବଲ ଲାଇଟ କିମ୍ବା ମୋବାଇଲ ଫୋନ ସାହାଯ୍ୟରେ ଚିକିତ୍ସା କରାଯାଉଛି। ଆହତଙ୍କ ସଂଖ୍ୟା ଏତେ ଅଧିକ ହୋଇଛି ଯେ ଆହତଙ୍କୁ ଭୂମିରେ ରଖି ଚିକିତ୍ସା କରାଯାଉଛି।

ହୁ’ରୁ ଆସିଥିବା ସୂଚନା ସମଗ୍ର ବିଶ୍ୱକୁ ଚକିତ କରିଛି। ଇସ୍ରାଏଲ ଆକ୍ରମଣରେ ଗାଜାର ଦୁଇ ତୃତୀୟାଂଶ ଡାକ୍ତରଖାନା ବନ୍ଦ ହୋଇଯାଇଛି। ୭୨ଟି ହସ୍ପିଟାଲ ମଧ୍ୟରୁ ୪୬ଟି ଡାକ୍ତରଖାନା ବନ୍ଦ ଅଛିି। ଏହିସବୁ ହସ୍ପିଟାଲରେ ବିଦ୍ୟୁତ ସେବା ନ ଥିବା ସହ ଜେନେରେଟର ମଧ୍ୟ ବନ୍ଦ ହୋଇଯାଇଛି। ମୃତକଙ୍କ ମଧ୍ୟରୁ ୨ହଜାରରୁ ଅଧିକ ଶିଶୁଙ୍କ ମୃତ୍ୟୁ ଘଟିଛି। ୨୪ ଘଣ୍ଟା ମଧ୍ୟରେ ୧୮୨ ଶିଶୁଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି।

Share