କବରରୁ ବାହାରି ସାକ୍ଷୀ ଦେଲା ମୃତଦେହ

ପାଟନା, ୨୨।୭: କଥାରେ ଅଛି ସତ କେବେ ଲୁଚି ରହେନା। କରିଥିବା ଅପରାଧ ଦିନେ ନା ଦିନେ ପ୍ରକାଶିତ ହେବ ବୋଲି କେତେକ କହିଥାନ୍ତି। ଏହାର ସଦ୍ୟତମ ଉଦାହରଣ ବିହାରରେ ଘଟିଛି। ଏଠାରେ ହତ୍ୟା କରାଯାଇଥିବା ଜଣେ ବ୍ୟକ୍ତିଙ୍କ ମୃତଦେହ କବରରୁ ବାହାରି ସାକ୍ଷୀ ଦେଇଛି। ଫଳରେ ତାଙ୍କୁ ହତ୍ୟା କରାଯାଇଥିବା ଜଣାପଡ଼ିଛି। ଏବେ ପୋଲିସ ଘଟଣାର ତଦନ୍ତ ଜାରି ରଖିଛି। ସ୍ଥାନୀୟ ବକ୍ସର ଜିଲାର ବକ୍ସର ନଗର ଥାନାର ସିଭିଲ୍‌ ଲାଇନ୍‌ ଅଞ୍ଚଳରେ ଏଭଳି ଘଟଣା ଘଟିଛି। ଏଠାରେ ବାସ କରୁଥିବା ରାମ ଧନୀ ରାମ ନାମକ ଜଣେ ବ୍ୟକ୍ତି ନିଖୋଜ ଥିଲେ। ଏନେଇ ଥାନାରେ ଏତଲା ମଧ୍ୟ ଦିଆଯାଇଥିଲା। ପୋଲିସ ଧନୀ ରାମଙ୍କୁ ଖୋଜିବା ଆରମ୍ଭ କରିଥିଲା। ଘର ଲୋକେ ମଧ୍ୟ ଖୋଜାଖୋଜି ଜାରି ରଖିଥିଲେ। ପରିବାର ସଦସ୍ୟ ଶେଷରେ ନିରାଶ ହୋଇ ସ୍ଥାନୀୟ କବରସ୍ତାନ ଅଞ୍ଚଳରେ ଖୋଜାଖୋଜି ଆରମ୍ଭ କରିଥିଲେ। ହଠାତ୍‌ ସେମାନଙ୍କର ଦୃଷ୍ଟି ଏକ କବରରୁ ବାହାରକୁ ବାହାରିଥିବା ପାଦ ଉପରେ ପଡ଼ିଥିଲା। ଏହା ଧନୀ ରାମଙ୍କର ପାଦ ବୋଲି ପରିବାର ସଦସ୍ୟ ଚିହ୍ନି ପାରିଥିଲେ। ସେମାନେ ଏନେଇ ପୋଲିସକୁ ସୂଚନା ଦେଇଥିଲେ। ପୋଲିସ କବରସ୍ତାନରେ ପହଞ୍ଚି କବର ଖୋଳି ଧନୀ ରାମଙ୍କ ମୃତଦେହକୁ ବାହାର କରିଥିଲେ। ଜମି ବିବାଦକୁ ନେଇ ଧନୀ ରାମଙ୍କୁ ହତ୍ୟା କରାଯାଇଥିବା ପୋଲିସ କହିଛି। ଅପରାଧୀମାନେ ଧନୀ ରାମଙ୍କୁ ହତ୍ୟା କରିବା ପରେ ମୃତଦେହକୁ ପୋତି ଦେଇଥିଲେ। ତେବେ ଅସବଧାନତା ଯୋଗୁ ଧନୀ ରାମଙ୍କ ପାଦ ବାହାରକୁ ଦେଖାଯାଉଥିଲା। ଯଦି ପାଦ ବାହାରକୁ ଦେଖାଯାଇ ନ ଥାନ୍ତା ତେବେ ତାଙ୍କୁ ହତ୍ୟା କରାଯାଇ ଥିବା କେବେ ଜଣାପଡ଼ି ନ ଥାନ୍ତା। ଏବେ ଏହି ଘଟଣା ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି।

Share