Categories: ଜାତୀୟ

ବିଚ୍‌ ରାସ୍ତାରେ ମୃତଦେହ ଅଦଳବଦଳ, ପୂରା ଘଟଣାବଳୀ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଭୋପାଳ,୨୭ା୯: ସବୁବେଳେ ଚର୍ଚ୍ଚାରେ ରହୁଥିବା ଇନ୍ଦୋରର ଗ୍ରେଟର କୈଳାସ ହସ୍ପିଟାଲ ପୁଣି ଥରେ ଚର୍ଚ୍ଚାକୁ ଆସିଛି। ଏଥର ଚର୍ଚ୍ଚା ସବୁ ଚର୍ଚ୍ଚାକୁ ଟପିଯାଇଛି। ଏଠାରେ ଏଥର ମୃତଦେହ ଅଦଳବଦଳ ହୋଇଛି। ଯାହାକୁ ନେଇ ମୃତକଙ୍କ ପରିବାର ଲୋକେ ହସ୍ପିଟାଲ ପରିସରରେ ହୋ-ହଲ୍ଲା କରିଛନ୍ତି।
ଖଣ୍ଡଓ୍ବାରେ ରହୁଥିବା ଜଣେ ବ୍ୟବସାୟୀଙ୍କ ଶନିବାର ରାତିରେ ମୃତ୍ୟୁ ଘଟିଥିଲା। ରବିବାର ସକାଳେ ହସ୍ପିଟାଲ ପକ୍ଷରୁ ମୃତଦେହ ପରିବାରବର୍ଗଙ୍କୁ ହସ୍ତାନ୍ତର କରାଯାଇଥିଲା। ଆତ୍ମୀୟସ୍ବଜନ ମୃତଦେହ ଆମ୍ବୁଲାନ୍ସରେ ନେଇ ୬୦ କିଲୋମିଟର ଯିବା ପରେ ବଡ଼ଓ୍ବାଡା ଏବଂ ସାନଓ୍ବାଡା ରାସ୍ତା ମଝିରେ ପହଞ୍ଚିଥିଲେ। ହଠାତ୍‌ ହସ୍ପିଟାଲରୁ ଖବର ଆସିଲା ଭୁଲରେ ମୃତଦେହ ଅଦଳବଦଳ ହୋଇଯାଇଛି। ଯେଉଁ ମୃତଦେହ ନେଇଛନ୍ତି ତାହା ମହୁ ଅଞ୍ଚଳରେ ରହୁଥିବା ଜଣେ ବୃଦ୍ଧଙ୍କ ମୃତଦେହ ବୋଲି ହସ୍ପିଟାଲ ପକ୍ଷରୁ କୁହାଯାଇଥିଲା।


ମୃତଦେହ ଅଦଳବଦଳ ଘଟଣା ଜଣାପଡ଼ିଥିଲା ଯେତେେବେଳ ମହୁ ନିବାସୀ ପରିବାର ଲୋକେ କରୋନା ସଂକ୍ରମିତ ବୃଦ୍ଧଙ୍କ ମୃତଦେହ ନେବାକୁ ହସ୍ପିଟାଲରେ ପହଞ୍ଚିଥିଲେ। ସେତେବେଳେ ଜଣାପଡ଼ିଥିଲା ଏହି ମୃତଦେହ ଖଣ୍ଡଓ୍ବା ନିବାସୀ ଜଣେ ବ୍ୟବସାୟୀଙ୍କର। ଏହା ପରେ ହସ୍ପିଟାଲ କର୍ତ୍ତୃପକ୍ଷ ଖଣ୍ଡଓ୍ବାବାସୀଙ୍କୁ ମୃତଦେହ ଫେରାଇ ଆଣିବାକୁ କହିଥିଲେ।


ଏହି ଘଟଣା ପରେ ସ୍ବାସ୍ଥ୍ୟ ବିଭାଗ ନୋଡାଲ ଅଧିକାରୀ ଅମିତ ମାଲାକାର କହିଛନ୍ତି, ଏ ବିଷୟରେ ଆମକୁ ସୋସିଆଲ ମିଡିଆରୁ ଜଣାପଡ଼ିଛି। କୈଳାସ ହସ୍ପିଟାଲରେ ଏକ ମୃତଦେହ କରୋନା ରୋଗୀଙ୍କର ଆଉ ଗୋଟିଏ ସାଧାରଣ ମୃତଦେହ ଥିଲା। ତେବେ ପ୍ୟାକିଂ ସମୟରେ ଏହା ଅଦଳ ବଦଳ ହୋଇଯାଇଥିଲା। ପରେ ହସ୍ପିଟାଲ ନିଜର ଭୁଲ ସ୍ବୀକାର କରିଥିବା ବେଳେ ଠିକ୍‌ ମୃତଦେହ ଠିକ୍‌ ସ୍ଥାନକୁ ପଠାଇ ଦେଇଥିବା କହିଛି। ଏ ବିଷୟରେ ଆଉ କିଛି ଅଭିଯୋଗ ବର୍ତ୍ତମାନ ସୁଦ୍ଧା ଆସିନାହିଁ। ଆସିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସ୍ବାସ୍ଥ୍ୟ ଅଧିକାରୀ କହିଛନ୍ତି।

Share