ଡ୍ୟାମ୍‌ରୁ ମିଳିଲା ମୃତଦେହ: ଭାଇ କହୁଛି ମୋ’ ଭଉଣୀ, ମୋ ସ୍ତ୍ରୀ ନୁହେଁ କହିଲେ ସ୍ବାମୀ

ଝାରସୁଗୁଡ଼ା ଅଫିସ,୨୩ା୭: ଲଖନପୁର ଥାନା ବଳଣ୍ଡା ଗ୍ରାମ ନିକଟ ହୀରାକୁଦ ଜଳଭଣ୍ଡାରରୁ ପୋଲିସ ଜଣେ ମହିଳାଙ୍କ ମୃତଦେହ ଜବତ କରିଛି। ଜଳଭଣ୍ଡାରରେ ମୃତଦେହ ଭାସୁଥିବା ଦେଖି ଗ୍ରାମବାସୀ ଥାନାକୁ ଜଣାଇଥିଲେ । ଖବରପାଇ ଏସ୍‌ଡିପିଓ ଗୁପ୍ତେଶର ଭୋଇ, ମାଜିଷ୍ଟ୍ରେଟ ଲଖନପୁର ତହସିଲଦାର ବିଶ୍ବକେଶନ ପାଣ୍ଡେ, ଲଖନପୁର ଥାନା ଆଇଆଇସି ଇଗ୍ନେଶ ବାର୍ଲା, ରେଙ୍ଗାଲି ଥାନା ଆଇଆଇସି କ୍ରେସାନିଆ ସାମରିଆ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚତ୍ଥିଲେ। ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇ ପୋଲିସ ଏକ ମାମଲା (ନଂ.୧୭/୨୨) ରୁଜୁକରି ତଦନ୍ତ ଚଳାଇଛି।

ସୂଚନାଯୋଗ୍ୟ ଗତ ୩୦ତାରିଖରୁ ରେଙ୍ଗାଲି ଥାନା ଅନ୍ତର୍ଗତ କତରବଗା ଗ୍ରାମର ଗୌର ପ୍ରଧାନଙ୍କ ସ୍ତ୍ରୀ ଗୀତାଞ୍ଜଳି ନିଖୋଜ ଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ଅନ୍ୟପକ୍ଷେ ନିଖୋଜ ମହିଳାଙ୍କ ଭାଇ ଲକ୍ଷ୍ମଣ ସାହୁ ତାଙ୍କ ଭଉଣୀଙ୍କୁ ଶାଶୁଘର ଲୋକେ ମାରିଦେଇଛନ୍ତି ବୋଲି ଥାନାରେ ଅଭିଯୋଗ କରିଛନ୍ତି। ଏଭଳି ସ୍ଥିତିରେ ଜବତ ମୃତଦେହ ଗୀତାଞ୍ଜଳିଙ୍କର କି ନୁହେଁ ଚିହ୍ନଟ ପାଇଁ ପୋଲିସ ବାପଘର ଓ ଶାଶୁଘର ଲୋକଙ୍କୁ ଡାକିଥିଲା। ଏହା ଗୀତାଞ୍ଜଳିଙ୍କର ନୁହେଁ ବୋଲି ତାଙ୍କ ସ୍ବାମୀ କହିଥିବାବେଳେ ଲକ୍ଷ୍ମଣ ଏହା ତାଙ୍କ ଭଉଣୀଙ୍କ ମୃତଦେହ ବୋଲି ଚିହ୍ନଟ କରିଥିଲେ। ଏଭଳିସ୍ଥିତିରେ ପୋଲିସ ପ୍ରମାଣ ପାଇଁ ତାଙ୍କର ଡିଏନ୍‌ଏ ଟେଷ୍ଟ କରାଯିବ ବୋଲି କହିଛି।