ନୟାଗଡ଼ ଅଫିସ,୧୦ା୨: ନୟାଗଡ଼ ଜିଲା ଫତେଗଡ଼ ଥାନା ଜଗନ୍ନାଥପ୍ରସାଦ ଗ୍ରାମରେ ପୂଜା ଜୁଝାରସିଂହଙ୍କ ନାମକ ଜଣେ ବଧୂଙ୍କୁ ହତ୍ୟା ଜରାଯାଇଛି। ହତ୍ୟାକାରୀଙ୍କୁ ଗିରଫ ଦାବିରେ ପରିବାର ଲୋକେ ଜଗନ୍ନାଥପ୍ରସାଦ ଫାଣ୍ଡି ଆଗରେ ମୃତଦେହ ରଖି ଶୁକ୍ରବାର ଧାରଣା ଦେଇଛନ୍ତି।
ଅଭିଯୋଗ ଅନୁସାରେ, ଫତେଗଡ଼ ଥାନା କେଶରସିଂ ଗ୍ରାମର ରାଜକିଶୋର ଜେନାଙ୍କ ଝିଅ ପୂଜା ଜୁଝାରସିଂହ ଜଗନ୍ନାଥପ୍ରସାଦ ପଞ୍ଚାୟତ ଅଧୀନ କାଦୁଆ ଗ୍ରାମର ଫକୀର ପ୍ରଧାନଙ୍କ ପୁଅ ଜିତେନ୍ଦ୍ର ଜୁଝାରସିଂହକୁ ୪ବର୍ଷ ତଳେ ବିବାହ କରିଥିଲେ। ବିବାହ ସମୟରେ ବର ପକ୍ଷର ଦାବି ମୁତାବକ ଯୌତୁକ ଦିଆଯାଇଥିଲା। ତେବେ ଅଧିକ ଯୌତୁକ ଦାବି କରି ପୂଜା ଉପରେ ନିର୍ଯାତନା ଦିଆଯାଉଥିଲା। ତେବେ ଅଧିକ ଯୌତୁକ ଦାବି କରି ପୂଜାଙ୍କୁ ବିଷ ପିଆଇ ହତ୍ୟା କରାଯାଇଥିବା ନେଇ ଅଭିଯୋଗ ଆଣିଛନ୍ତି।
ଗୁରୁବାର ରାତିରୁ ପରିବାର ଲୋକେ ମୃତଦେହକୁ ସ୍ଥାନୀୟ ଫାଣ୍ଡି ସମ୍ମୁଖରେ ରଖି ଧାରଣା ଦେଇଛନ୍ତି। ଶାଶୁ ଶ୍ୱଶୁରଙ୍କୁ ପୋଲିସ ଛାଡ଼ି ଦେଇଥିବାରୁ ପୋଲିସ ଉପରେ ସନ୍ଦେହ ବଢ଼ିଛି। ଅନ୍ୟପକ୍ଷରେ ଫତେଗଡ଼ ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ସ୍ବାମୀ ଜିତେନ୍ଦ୍ରଙ୍କୁ ଅଟକ ରଖାଯାଇଥିବା ବେଳେ ମାମଲା ରୁଜୁ କରାଯାଇ ଘଟଣାର ତଦନ୍ତ ଜାରି ରହିଛି।