ମହିଳାଙ୍କ ଦରପୋଡ଼ା ମୃତଦେହ ଜବତ ଘଟଣା: ସ୍ବାମୀ, ଶାଶୁ-ଶ୍ୱଶୁର, ପୁତୁରା ଗିରଫ

ଲୋଇସିଂହା,୯ା୬(ସୁଶାନ୍ତ ବାରିକ): ବଲାଙ୍ଗୀର ଜିଲା ଲୋଇସିଂହା ଥାନା ଅନ୍ତର୍ଗତ ବୁଡ଼ା ଗ୍ରାମର ନମିତା ବଣିଆ(୩୩) ନାମ୍ନୀ ଜଣେ ବିବାହିତା ମହିଳାଙ୍କ ଦରପୋଡ଼ା ମୃତଦେହ ଶ୍ମଶାନ ନିକଟ ଏକ ନାଳାରୁ ଶୁକ୍ରବାର ପୋଲିସ ଜବତ କରିଥିଲା । ଏହି ଘଟଣାରେ ସମ୍ପୃକ୍ତ ନମିତାଙ୍କ ବଡ଼ଭାଇ ଭଗବାନ ସରାଫଙ୍କ ଅଭିଯୋଗକୁ ଭିତ୍ତି କରି ପୋଲିସ ସ୍ବାମୀ ସୁଦାମ ବଣିଆ(୪୦), ଶାଶୁ ବେଲମତୀ(୭୦), ଶ୍ବଶୁର ବାବାଜୀ ବଣିଆ(୭୫) ଓ ପୁତୁରା ରୋହିତ(୧୮)ଙ୍କୁ ଗିରଫ କରି ଶନିବାର ସନ୍ଧ୍ୟାରେ କୋର୍ଟ ଚାଲାଣ କରିଥିଲା। ଜାମିନ ନାମଞ୍ଜୁର ହେବାରୁ ସମସ୍ତ ଅଭିଯୁକ୍ତଙ୍କୁ
ବଲାଙ୍ଗୀର ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଆଇପିସିର ଦଫା ୧୨୦ବି/୪୯୮(ଏ),୨୯୪, ୩୦୨, ୨୦୧,୩୨୩, ଏବଂ ୫୦୬ ଯୌତୁକଜନିତ ନିର୍ଯାତନା ଅଭିଯୋଗ(ନଂ୧୯୪୮୨୪)ରେ ଏକ ମାମଲା ରୁଜୁ ହୋଇଛି। ଅଭିଯୁକ୍ତଙ୍କଠାରୁ ଷ୍ଟିଲ୍‌ ରଡ୍‌, ଶାବଳ ଆଦି ମାରଣାସ୍ତ୍ର ଜବତ ହୋଇଛି।

ପୋଲିସ ସୂଚନାନୁଯାୟୀ, ସାବିତ୍ରୀ ବ୍ରତ ଦିନ ବିଳମ୍ବିତ ରାତିରେ ନମିତା ଓ ତାଙ୍କ ସ୍ବାମୀ ସୁଦାମଙ୍କ ମଧ୍ୟରେ
କୌଣସି କାରଣ ନେଇ ବଚସା ହୋଇଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ ସୁଦାମ ତାଙ୍କ ସ୍ତ୍ରୀଙ୍କୁ ଗାଳିଗୁଲଜ କରିବା ସହ ମାରଣାସ୍ତ୍ରରେ ମୁଣ୍ଡକୁ ପ୍ରହାର କରିଥିଲେ। ଏଥିରେ ନମିତା ଆହତ ହୋଇଥିଲେ। ଏହାପରେ ସେ ଘରୁ କୁଆଡ଼େ ପଳାଇ ଯାଇଥିଲେ। ଶୁକ୍ରବାର ସକାଳେ ଗ୍ରାମର ଶିବ ମନ୍ଦିର ନିକଟସ୍ଥ ରେଳଧାରଣାରେ ତାଙ୍କ ମୃତଦେହ ଠାବ କରିଥିଲେ ପରିବାର ଲୋକେ। ପ୍ରମାଣକୁ ସ୍ଥାନୀୟ ନଷ୍ଟ କରିବା ଉଦ୍ଦେଶ୍ୟରେ ପୋଲିସକୁ ନ ଜଣାଇ ମୃତଦେହକୁ ରେଳଧାରଣାରୁ ଉଠାଇ ଆଣି ବୁର୍ଡା କଳାସୀ ଜୋର ଶ୍ମଶାନ ନିକଟ ନିଛାଟିଆ ସ୍ଥାନରେ ପରିବାରବର୍ଗ ଓ ଗ୍ରାମବାସୀ ମିଶି ମୃତଦେହ ସତ୍କାର କରୁଥିଲେ। ଏ ସମ୍ପର୍କରେ କୌଣସି ସୂତ୍ରରୁ ଜାଣି ବଡ଼ଭାଇ ଭଗବାନ ପୋଲିସ କଣ୍ଟ୍ରୋଲ ରୁମ୍‌କୁ ଜଣାଇଥିଲେ। ସ୍ଥାନୀୟ ପୋଲିସ ଅଗ୍ନିଶମ ବାହିନୀକୁ ଧରି ଘଟଣାସ୍ଥଳରେ ପହଞ୍ଚ ନିଆଁ ଲିଭାଇ ଦର ଦରପୋଡ଼ା ମୃତଦେହ ଜବତ କରିଥିଲେ। ସେତେବେଳକୁ ମୃତଦେହର ୯୦ ଭାଗ ପୋଡ଼ି ଯାଇଥିଲା। ଏହି ଘଟଣା ବୁର୍ଡା ଏବଂ ଜିଲାରେ ଚାଞ୍ଚଲ୍ୟ ଖେଳାଇ ଦେଇଥିଲା।

ସୂଚନାଯୋଗ୍ୟ, ନମିତାଙ୍କୁ ଯୌତୁକ ପାଇଁ ଶାଶୁଘର ଲୋକେ ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିଲେ। ସୁଦାମ ନିୟମିତ ମଦ୍ୟ ପାନ କରି ଆସି ମାର୍‌ପିଟ କରୁଥିଲେ ଏହାଛଡ଼ା ଘଟଣାଦିନ ହତ୍ୟା କରି ଆତ୍ମହତ୍ୟାର ରୂପ ଦେବାକୁ ଯାଇ ପ୍ରମାଣ ନଷ୍ଟ ଉଦ୍ଦେଶ୍ୟରେ ମୃତଦେହ ପୋଡ଼ି ଦିଆଯାଇଥିବା ନେଇ ଥାନାରେ ଅଭିଯୋଗ କରିଥିଲେ।

Share