ପୁଣି ଶିମିଳିପାଳରୁ ହାତୀ ମୃତଦେହ ଠାବ: ଶୁଣ୍ଢ କାଟି ଦାନ୍ତ ନେଇଗଲେ

ବାରିପଦା ଅଫିସ,୯।୨: ଶିମିଳିପାଳ ଅଭୟାରଣ୍ୟରେ ହାତୀ ମଡକ ପିଛା ଛାଡୁନି। ପୁଣି ଏକ ଦନ୍ତାହାତୀର ମୃତଦେହକୁ ବନବିଭାଗ ଠାବ କରିଛି। ପିଠାବଟା ରେଞ୍ଜର ଗୋପୀନାଥପୁର ବିଟ ଅଧୀନ ଜଙ୍ଗଲରେ ପାଟ୍ରୋଲିଂ ସମୟରେ ବୁଧବାର ଅପରାହ୍ନରେ ବନକର୍ମଚାରୀ ହାତୀ ମୃତଦେହ ଦେଖି ଉପରିସ୍ଥ ଅଧିକାରୀଙ୍କୁ ଜଣାଇଥିଲେ। ସଙ୍ଗେ ସଙ୍ଗେ ଘଟଣାର ତଦନ୍ତ କରାଯାଇଥିଲା। ତେବେ ରାତି ହୋଇଯିବାରୁ ଗୁରୁବାର ପ୍ରତ୍ୟୁଷରେ ପ୍ରାଣୀ ଚିକିତ୍ସକଙ୍କୁ ସାଙ୍ଗରେ ନେଇ ଘଟଣାସ୍ଥଳକୁ ବନ ବିଭାଗ ଟିମ ଯାଇଛନ୍ତି। ଶିକାରୀମାନେ ହାତୀକୁ ମାରି ତାର ଶୁଣ୍ଢ କାଟି ୨ଟି ଦାନ୍ତ ନେଇଯାଇଛନ୍ତି। ହାତୀଟିର ବୟସ ୭ରୁ ୧୦ବର୍ଷ ମଧ୍ୟରେ ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି। ହାତୀଟି ୩/୪ଦିନ ତଳେ ଶିକାର ହୋଇଥିବା ବେଳେ ଅରୁଣାଚଳ ପ୍ରଦେଶର ଶିକାରୀ ଘଟଣାରେ ଜଡିତ ବୋଲି ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ କର୍ତ୍ତୃପକ୍ଷ କହିଛନ୍ତି।

Share