ସ୍କୁଲ ହତାରେ ହଷ୍ଟେଲ ଛାତ୍ରଙ୍କ ଝୁଲନ୍ତା ମୃତଦେହ

ଖୋର୍ଦ୍ଧା,୪ା୧୧, (ପ୍ରଭାତ ପାଣିଗ୍ରାହୀ): ଜଟଣୀରେ ଟ୍ୟୁଶନ ଫି’ ପାଇଁ ଜଣେ ନାବାଳକ ଛାତ୍ରଙ୍କୁ ହତ୍ୟା ଘଟଣାର ୨ଦିନ ପରେ ଖୋର୍ଦ୍ଧାରେ ଘଟିଛି ଆଉ ଏକ ଅଭାବନୀୟ ଘଟଣା। ଶୁକ୍ରବାର ସକାଳେ ଖୋର୍ଦ୍ଧା ଟାଉନ ଥାନା ଅନ୍ତର୍ଗତ ୫୭ନଂ. ଜାତୀୟ ରାଜପଥର ଚଣ୍ଡିଚୁଆ ଛକ ନିକଟ ଏକ ଘରୋଇ ସ୍କୁଲ ପରିସର ଆମ୍ବଗଛରୁ ପୋଲିସ ଜଣେ ଦଶମ ଶ୍ରେଣୀ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଜବତ କରିଛି। ମୃତକ ହେଲେ ଗଜପତି ଜିଲା ହୁମା ଅଞ୍ଚଳର ପାବଲିଆସ କାର୍ଜି। ଛାତ୍ର ଜଣଙ୍କ ହଷ୍ଟେଲରେ ରହୁଥିବାବେଳେ ମୋବାଇଲ ବ୍ୟବହାର କରିବା ଏବଂ ଏହାକୁ ଓ୍ବାର୍ଡେନ ନେଇଯିବାରୁ ଭୟରେ ଏଭଳି ଚରମ ପଦକ୍ଷେପ ନେଇଥିବା ସନ୍ଦେହ କରାଯାଉଛି। ସ୍କୁଲ କର୍ତ୍ତୃପକ୍ଷଙ୍କଠାରୁ ଖବରପାଇ ସଦର ଏସ୍‌ଡିପିଓ ଦିଲୀପ ଦାସ, ତହସିଲଦାର ବିଭାସ ପାଣିଗ୍ରାହୀ, ଥାନାଧିକାରୀ ତାରିକ ଅହମ୍ମଦ ପ୍ରମୁଖ ସାଇଣ୍ଟିଫିକ ଟିମ୍‌ ସହ ପହଞ୍ଚି ଘଟଣାର ତଦନ୍ତ କରିଛନ୍ତି। ଅଧିକାରୀମାନେ ପାବଲିଆସ ରହୁଥିବା ହଷ୍ଟେଲ ଶଯ୍ୟା ଯାଞ୍ଚ କରିବା ସହ ଓ୍ବାର୍ଡେନ, ସ୍କୁଲ ଅଧ୍ୟକ୍ଷ ଏବଂ ଅନ୍ତେବାସୀ (ସହପାଠୀ)ଙ୍କୁ ପଚରାଉଚରା କରିଛନ୍ତି। ପୋଲିସ ମୃତଦେହ ବ୍ୟବଚ୍ଛେଦ ଲାଗି ମେଡିକାଲ ପଠାଇଛି। ଅନ୍ୟପଟେ ପୁଅର ଆତ୍ମହତ୍ୟା ଘଟଣାକୁ ପରିବାର ଲୋକେ ସହଜରେ ଗ୍ରହଣ କରିପାରୁନାହାନ୍ତି। ସେମାନେ ଏନେଇ ଥାନାରେ ଏତଲା ଦେବା ସହ ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛନ୍ତି। ସୂଚନା ମୁତାବକ, ପାବଲିଆସ ହଷ୍ଟେଲରେ ରହି ପାଠ ପଢୁଥିଲେ। ପୂଜା ଛୁଟି ପରେ ଗତ ୩୦ତାରିଖ(ସୋମବାର)ରେ ବାପାଙ୍କ ସହ ସ୍କୁଲକୁ ଫେରିଥିଲେ। ଗୁରୁବାର ବିଳମ୍ବିତ ରାତିରେ ହଷ୍ଟେଲ ଓ୍ବାର୍ଡେନ ରୁମ୍‌ ଚେକିଂ କରିବା ସମୟରେ ପାବଲିଆସଙ୍କ ଶଯ୍ୟା ନିକଟରେ
ସ୍କୁଲ ହତାରେ ହଷ୍ଟେଲ …
ମୋବାଇଲ ଚାର୍ଜରେ ଲାଗିଥିବା ଦେଖି ନେଇଯାଇଥିଲେ। ଏହାର କିଛି ସମୟ ପରେ ପାବଲିଆସଙ୍କ ନିଦ ଭାଙ୍ଗିଯିବାରୁ ସେ ମୋବାଇଲ ଖୋଜି ପାଇ ନ ଥିଲେ। କୋଠରି ଭିତରେ ସମସ୍ତେ ଶୋଇଥିବା ବେଳେ ହଷ୍ଟେଲ ପାର୍ଶ୍ୱ ଲୁହା ଗ୍ରୀଲ୍‌ ତାଲା ତାଡ଼ି ଛାତ ପାର୍ଶ୍ୱ ଆମ୍ବ ଗଛରେ ପାବଲିଆସ ବେକରେ ଗାମୁଛା ଲଗାଇ ଆତ୍ମହତ୍ୟା କରିଥାଇପାରନ୍ତି ବୋଲି ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି। ଅପରପକ୍ଷରେ ରାତିରେ କିପରି ପାବଲିଆସ୍‌ ଗ୍ରୀଲ୍‌ ତାଲା ତାଡ଼ିଲେ ଏବଂ ଏହାକୁ କେହି ଜାଣି ନ ପାରିଲେ ତାକୁ ନେଇ ଏବେ ସନ୍ଦେହ ବଢ଼ିବାରେ ଲାଗିଛି। ତେବେ କେତେଜଣ ସହପାଠୀଙ୍କ କହିବାନୁଯାୟୀ, ପାବଲିଆସ ଜଣେ ମେଧାବୀ ଛାତ୍ର ଥିଲେ। କ୍ରୀଡ଼ାରେ ତାଙ୍କର ଋଚି ଥିଲା। ତାଙ୍କ ବାପା ପୋଲିସ ବିଭାଗରେ କାର୍ଯ୍ୟରତ ଥିବାରୁ ସେ ପାଠପଢ଼ି ଆଇପିଏସ୍‌ ଅଫିସର ହେବାକୁ ଲକ୍ଷ୍ୟ ରଖିଥିଲେ। ଏ ସମ୍ପର୍କରେ ସଦର ଏସ୍‌ଡିପିଓ ଦିଲୀପ ଦାସ କହିଛନ୍ତି, ଛାତ୍ରଙ୍କ ମୃତଦେହ ଜବତ କରାଯିବା ସହ ଘଟଣାସ୍ଥଳ ଯାଞ୍ଚ କରାଯାଇଛି। ଘଟଣାର ତଦନ୍ତ ଜାରି ରହିଛି ବୋଲି ସେ କହିଛନ୍ତି। ସେହିପରି ସ୍କୁଲ ଅଧ୍ୟକ୍ଷ ବି. ଇଜରାଏଲ କହିଛନ୍ତି, ସମ୍ପୃକ୍ତ ଛାତ୍ର ଦଶମ ଶ୍ରେଣୀରେ ପଢୁଥିଲେ। ସେ ଆତ୍ମହତ୍ୟା କରିଥିବା ଜଣାପଡିଛି। ପୋଲିସ ଘଟଣାର ତଦନ୍ତ କରୁଛି। ହଷ୍ଟେଲ ଭିତରେ ଛାତ୍ରୀଛାତ୍ରଙ୍କୁ ମୋବାଇଲ ନିଷେଧ କରାଯାଇଛି। କେବଳ ରବିବାର ଏକ ଘଣ୍ଟା ପାଇଁ କଥା ହେବାକୁ ମୋବାଇଲ ଦିଆଯାଉଛି ବୋଲି ସେ କହିଛନ୍ତି।

Share