ବଲାଙ୍ଗୀର ଅଫିସ/ସଇଁତଲା,୧ା୧୧: ବଲାଙ୍ଗୀର ଜିଲା ସଇଁତଳା ଥାନା ଅଧୀନ ଆମ୍ବପାଲି ଗ୍ରାମରେ ଜଣେ ମହିଳାଙ୍କ ମୃତଦେହ ଗାଁ ଏକ ବିଲରୁ ଉଦ୍ଧାର କରାଯାଇଛି। ପୋଲିସ ସୂଚନା ମୁତାବକ, ଆମ୍ବପାଲି ଗ୍ରାମର ଜାନକୀ ମହାନନ୍ଦ(୪୮) ସୋମବାର ସକାଳୁ ଗ୍ରାମଠାରୁ ୩କିମି ଦୂରରେ ଥିବା ବିଲକୁ ଘାସ କାଟିବାକୁ ଯାଇଥିଲେ। ସନ୍ଧ୍ୟା ପର୍ଯ୍ୟନ୍ତ ସେ ଘରକୁ ନ ଫେରିବାରୁ ଘରେ ଥିବା ସାନଝିଅ ଓ ପୁଅ ପାଖ ପଡୋଶୀ ଓ ସମ୍ପର୍କୀୟଙ୍କୁ ପଚାରି ବୁଝିଥିଲେ। ପଡୋଶୀ ଓ ପରିବାର ଲୋକେ ଗାଁଠାରୁ ଦୂରରେ ଥିବା ଏକ ବିଲକୁ ଯାଇ ସେଠାରେ ଜାନକୀଙ୍କୁ ଖୋଜାଖୋଜି କରିଥିଲେ। ବିଲରେ ଜାନକୀ ପଡ଼ିଥିବା ଦେଖି ତାଙ୍କୁ ଆମ୍ବୁଲାନ୍ସ ଯୋଗେ ସଇଁତଲା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ। ତେବେ ଡାକ୍ତର ସେଠାରେ ଜାନକୀଙ୍କୁ ମୃତ ଘୋଷଣା କରିଥିଲେ। ସଇଁତଳା ଏସଆଇ ସଙ୍ଗୀତା ବେକ ଓ ପ୍ରସନ୍ନ ନାୟକ ସେଠାରେ ପହଞ୍ଚି ମୃତଦେହ ଜବତ କରିଥିଲେ। ମୃତାଙ୍କ ମୁହଁରେ କଟା ଦାଗ ରହିଛି। ତାଙ୍କ ମୁଣ୍ଡ ଖପୁରି ଦେଖା ଯାଉଥିବାରୁ ତାଙ୍କୁ ଆକ୍ରମଣ କରି ହତ୍ୟା କରାଯାଇଥିବା ସନ୍ଦେହ କରାଯାଇଛି। ଜାନକୀଙ୍କ ମୃତ୍ୟୁ ସମ୍ପର୍କରେ ପୋଲିସ ତଦନ୍ତ ଆରମ୍ଭ କରିଛି। ଜାନକୀଙ୍କ ସ୍ବାମୀ ରାଜ୍ୟ ବାହାରକୁ ଦାଦନ ଶ୍ରମିକ ଭାବେ କାମ କରିବାକୁ ଯାଇଥିବା ଜଣାପଡିଛି।