ଜାଲରେ ପଡ଼ିଲା ଯୁବତୀଙ୍କ ମୃତଦେହ

ବାଲିଆପାଳ/ଲଙ୍ଗଳେଶ୍ୱର, ୩ା୯(ସ୍ବ.ପ୍ର./ଡି.ଏନ.ଏ.): ବାଲେଶ୍ୱର ଜିଲା ବାଲିଆପାଳ ଥାନା ଅଧୀନ ଜାମକୁଣ୍ଡା ପଞ୍ଚାୟତ ବଡ଼ତାଳପଦା ଗ୍ରାମ ଦେଇ ପ୍ରବାହିତ ଖାଳରୁ ଶୁକ୍ରବାର ମାଛ ଧରିବା ପାଇଁ ବସାଯାଇଥିବା ଜାଲରୁ ଜଣେ ଯୁବତୀଙ୍କ ମୃତଦେହ ଉଦ୍ଧାର କରାଯାଇଛି। ତାଙ୍କ ପରିଚୟ ମିଳି ନ ଥିବା ବେଳେ ବୟସ ମଧ୍ୟ ଜଣାପଡିନାହିଁ। ବଡ଼ତାଳପଦା ଗ୍ରାମ ଦେଇ ପ୍ରବାହିତ ଖାଳ ସୁବର୍ଣ୍ଣରେଖା ମୁହାଣ ସହିତ ସଂଯୋଗ ହୋଇଛି। ବର୍ଷସାରା ପ୍ରଚୁର ପରିମାଣରେ ମାଛ ଏହି ଖାଳରେ ରୁହନ୍ତି। ଗ୍ରାମର ମତ୍ସ୍ୟଜୀବୀମାନେ ଏହି ଖାଳରୁ ମାଛ ଧରି ଜୀବିକା ନିର୍ବାହ କରନ୍ତି। ସବୁଦିନ ପରି ମାଛ ଧରିବା ପାଇଁ ଗୁରୁବାର ରାତିରେ ଭଟ୍ଟା ସମୟରେ ଖାଳର ବିଭିନ୍ନ ସ୍ଥାନରେ ମତ୍ସ୍ୟଜୀବୀମାନେ ବେହୁନ୍ଦି ଜାଲ ବସାଇଥିଲେ। ମତ୍ସ୍ୟଜୀବୀ ବୁଲୁ ଦଲାଇ ଶୁକ୍ରବାର ସକାଳେ ଜାଲରୁ ମାଛ ଖୋଲିବାକୁ ଯାଇଥିବା ବେଳେ ଯୁବତୀଙ୍କ ମୃତଦେହ ଲାଗିଥିବା ଦେଖି ଗ୍ରାମବାସୀଙ୍କୁ ଜଣାଇଥିଲେ। ଗ୍ରାମବାସୀ ବାଲିଆପାଳ ପୋଲିସକୁ ଖବର ଦେଇଥିଲେ। ପୋଲିସ ପହଞ୍ଚତ୍ ଘଟଣାର ତଦନ୍ତ କରି ଅଗ୍ନିଶମ ବିଭାଗ ଦ୍ୱାରା ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ବାଲିଆପାଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଇଛି। ଏହି ଘଟଣାର ତଦନ୍ତ କରାଯାଉଥିବା ଜାମକୁଣ୍ଡା ଫାଣ୍ଡି ଅଧିକାରୀ ସାରଦା ପ୍ରସନ୍ନ ମୁଦୁଲି ସୂଚନା ଦେଇଛନ୍ତି।