ପୋଖରୀରୁ ମିଳିଲା ଯୁବକଙ୍କ ମୃତଦେହ: ବେକରେ ବନ୍ଧା ହୋଇଥିଲା ପଥର

କୋଡିଙ୍ଗା,୧୭।୮(ସମରେନ୍ଦ୍ର ପଟ୍ଟନାୟକ): ନବରଙ୍ଗପୁର ଜିଲା କୋଡ଼ିଙ୍ଗା ଥାନା ଅଧୀନ ନୁଆଗୁଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରୁ ଗୁରୁବାର ଜଣେ ଯୁବକଙ୍କ ମୃତଦେହ କୋଡିଙ୍ଗା ପୋଲିସ ଜବତ କରିଛି। ମୃତକ ହେଲେ ନବରଙ୍ଗପୁର ଜିଲା ତେନ୍ତୁଳିଖୁଣ୍ଟି ଥାନା ଅଧୀନ କଂଗ୍ରା ପଞ୍ଚାୟତ କନ୍ଧଗୁଡ଼ା ଗ୍ରାମର ରମେଶ କୁମ୍ଭାର(୪୫)। ଅନ୍ୟପକ୍ଷେ ରମେଶଙ୍କୁ ହତ୍ୟା କରାଯାଇଥିବା ନେଇ ମୃତକଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି।
ଗୁରୁବାର ନୂଆଗୁଡା ଗ୍ରାମ ନିକଟସ୍ଥ ପୋଖରୀରେ ଏକ ମୃତଦେହ ଭାସୁଥିବା ଦେଖି ସ୍ଥାନୀୟ ଲୋକେ କୋଡ଼ିଙ୍ଗା ପୋଲିସକୁ ଖବର ଦେଇଥିଲେ। କୋଡ଼ିଙ୍ଗା ପୋଲିସ ଓ କୋଷାଗୁମୁଡ଼ା ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଥିଲେ। ହେଲେ ଯୁବକଙ୍କ ବେକରେ ଏକ ବଡ ପଥର ବନ୍ଧା ଯାଇଥିବା ଦେଖିବାକୁ ମିଳିଥିଲା।
ପାପଡ଼ାହାଣ୍ଡି ଏସ୍‌ଡିପିଓ ଆଦିତ୍ୟ ସେନ୍‌, କୋଡ଼ିଙ୍ଗା ଥାନାଧିକାରୀ ଯୁଗଳ ଶବର ସାଇଣ୍ଟିଫିକ୍‌ ଟିମ୍‌ ସହ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛନ୍ତି। ମୃତକଙ୍କ ଭାଇ ଗଣପତି କୁମ୍ଭାର କୋଡ଼ିଙ୍ଗା ଥାନାରେ ରମେଶଙ୍କୁ ହତ୍ୟା କରାଯାଇଥିବା ନେଇ ଅଭିଯୋଗ କରିଛନ୍ତି। ଏନେଇ କୋଡ଼ିଙ୍ଗା ପୋଲିସ ଏକ ମାମଲା(ନଂ.୧୭୮/ ୨୩) ରୁଜୁ କରି ଘଟଣାର ତଦନ୍ତ କରୁଥିବା ଥାନା ଅଧିକାରୀ ଯୁଗଳ ଶବର ସୂଚନା ଦେଇଛନ୍ତି। ବ୍ୟବଚ୍ଛେଦ ପରେ ପୋଲିସ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରିଛି। ରମେଶ କିଛିଦିନ ତଳେ କୋଡ଼ିଙ୍ଗା ଥାନା ଅଧୀନ ସିଙ୍ଗିଗୁଡ଼ାସ୍ଥିତ ଶ୍ୱଶୁର ଘରକୁ ଯାଇଥିଲେ। ହେଲେ ମଙ୍ଗଳବାରଠାରୁ ରମେଶ ନିଖୋଜ ଥିଲେ।