ପୁରୀ ଅଫିସ,୧୮ା୯: ନରେନ୍ଦ୍ର ପୁଷ୍କରିଣୀ। କୋଟି କୋଟି ଶ୍ରଦ୍ଧାଳୁଙ୍କ ଆସ୍ଥା ଓ ବିଶ୍ୱାସର ପୁଷ୍କରିଣୀ। ଏହି ପବିତ୍ର ପୁଷ୍କରିଣୀରେ ମହାପ୍ରଭୁ ଜଳକ୍ରୀଡ଼ା କରନ୍ତି। ଶ୍ରଦ୍ଧାଳୁମାନେ ବୁଡ଼ ପକାଇଥାନ୍ତି। ହେଲେ ଏହାର ପାଣି ଏବେ ପ୍ରଦୂଷିତ ହୋଇଥିବା କୁହାଯାଉଛି। କାରଣ ନରେନ୍ଦ୍ର ପୁଷ୍କରିଣୀରେ ଭାସୁଛନ୍ତି ଶତାଧିକ ମଲା ମାଛ। ଗୁରୁବାର ପୋଖରୀ କଡ଼ରେ ବହୁ ସଂଖ୍ୟାରେ ମାଛ ମରି ଭାସୁଥିବା ଦେଖିବାକୁ ମିଳିଛି। ତେବେ କେଉଁ କାରଣ ପାଇଁ ମାଛଗୁଡ଼ିକ ମରିଛନ୍ତି ତାହାର କାରଣ ସ୍ପଷ୍ଟ ହୋଇ ନ ଥିବାବେଳେ କେହି କେହି ପାଣି ଅଧିକ ମାତ୍ରାରେ ପ୍ରଦୂଷିତ ହୋଇଯାଇଥିବା କହୁଛନ୍ତି। ଏହି ଘଟଣା ଏକପ୍ରକାର ଚର୍ଚ୍ଚାର ବିଷୟ ହୋଇଛି। ସବୁଠୁ ଗୁରୁତ୍ୱପୂର୍ଣ୍ଣ ହେଉଛି ଏହି ମଲା ମାଛ କଡ଼ରେ ଲାଗି ପଚୁଥିବାରୁ ଦୁର୍ଗନ୍ଧ ହେଉଛି। ଲୋକଙ୍କ ଆସ୍ଥା ଓ ଭାବାବେଗ ସହ ଜଡ଼ିତ ଥିବା ନରେନ୍ଦ୍ର ପୁଷ୍କରିଣୀର ଏ ଦୁରବସ୍ଥା ପ୍ରତି ଯେମିତି କାହାର ନିଘା ନାହିଁ।
ସୂଚନାଥାଉ କି, ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ମଦନମୋହନ, କୃଷ୍ଣ ବଳରାମ ଏବଂ ପଞ୍ଚମହାଦେବ ପ୍ରତିବର୍ଷ ଚନ୍ଦନ ଯାତ୍ରାରେ ଏଠାକୁ ଚାପ ଖେଳିବାକୁ ଆସନ୍ତି। ଏହି ପବିତ୍ର ଜଳାଶୟରେ ଜଗନ୍ନାଥଙ୍କ ଚନ୍ଦନ ଯାତ୍ରା ହେଉଥିବାରୁ ଏହା ଚନ୍ଦନ ସରୋବର ନାମରେ ଖ୍ୟାତ। ପିତୃପକ୍ଷ ଅବସରରେ ଏଠାରେ ତିଳତର୍ପଣ ଏବଂ ପିଣ୍ଡଦାନ କରାଯାଇଥାଏ।