ଅଙ୍ଗନୱାଡି ଛତୁଆ ପ୍ୟାକେଟରେ ମଲା ବେଙ୍ଗ

ତିର୍ତ୍ତୋଲ,୨୨ା୯( ଗୌରାଙ୍ଗ ଚରଣ ସ୍ବାଇଁ): ପ୍ରସୂତି ମହିଳା ଓ ୬ମାସରୁ ୩ ବର୍ଷର ପିଲାଙ୍କୁ ପୁଷ୍ଟିକର ଖାଦ୍ୟ ଲାଗି ରାଜ୍ୟ ସରକାର ଅଙ୍ଗନଓ୍ବାଡି କେନ୍ଦ୍ର ଜରିଆରେ ଛତୁଆ ବାଣ୍ଟୁଛନ୍ତି। ହେଲେ ଏହି ଛତୁଆ ପ୍ରସ୍ତୁତ ସମୟରେ ପ୍ରସ୍ତୁତକାରୀ ଯତ୍ନବାନ ହେଉ ନ ଥିବାରୁ ଏଥିରୁ ବିଭିନ୍ନ ସମୟରେ ପୋକ ସହ ନିମ୍ନମାନର କରାଯାଇ ଦିଆଯାଉଛି। ଏଭଳି ଏକ ଅଭିଯୋଗ ଜଗତ୍‌ସିଂହପୁର ଜିଲା ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ଦାଇଁଲୋ ପଞ୍ଚାୟତର ପୁରୁଣା ଅଙ୍ଗନଓ୍ବାଡ଼ି କେନ୍ଦ୍ର ପକ୍ଷରୁ ପିଲାଙ୍କ ଲାଗି ପ୍ରଦାନ କରାଯାଇଥିବା ଏକ ଛତୁଆ ପ୍ୟାକେଟ୍‌ରୁ ମଲା ବେଙ୍ଗ ବାହାରିଛି, ଯାହାକୁ ଦେଖି ଅଭିଭାବକ ଜଣକ ଆଶ୍ଚର୍ଯ୍ୟ ହେବା ସହ ଗୁରୁବାର ଅଭିଯୋଗ କରିଛନ୍ତି।
ଏହି ଅଙ୍ଗନଓ୍ବାଡିରେ ପଢୁଥିବା ଜଣେ ପିଲାର ଅଭିଭାବକ ମନୋରଞ୍ଜନ ଦାସ ସିଡିପିଓ ଦୀପ୍ତିମୟୀ ପାତ୍ରଙ୍କୁ ଲିଖିତ ଅଭିଯୋଗ କରିଛନ୍ତି। ଏଥିସହ ଯେଉଁ ଛତୁଆ ପ୍ୟାକେଟରୁ ମଲା ବେଙ୍ଗ ବାହାରି ଥିଲା, ସେହି ପ୍ୟାକେଟ ପ୍ରଦାନ କରିଥିଲେ। ସିଡିପିଓ ଏହି ପ୍ୟାକେଟ ତାଙ୍କଠାରୁ ନରଖି ତଦନ୍ତ ସମୟରେ ଦେଖାଇବ ବୋଲି କହି ଫେରସ୍ତ କରିଥିଲେ। ତାଙ୍କ ଅଭିଯୋଗ ଅନୁଯାୟୀ, ତାଙ୍କୁ ଚଳିତ ମାସରେ ପିଲାଙ୍କ ଲାଗି ଅଙ୍ଗନଓ୍ବାଡି କେନ୍ଦ୍ର ପକ୍ଷରୁ ଏକ ଛତୁଆ ପ୍ୟାକେଟ ଦିଆଯାଇଥିଲା। ଏହି ଛତୁଆ ପ୍ୟାକେଟ ସେମାନେ ଗତ ମଙ୍ଗଳବାର ଖୋଲିଥିଲେ। ପ୍ୟାକେଟରୁ ଛତୁଆ ବାହାର କରିବା ସମୟରେ ଏକ ମଲା ବେଙ୍ଗ ପ୍ୟାକେଟ ମଧ୍ୟରୁ ଦେଖିବାକୁ ପାଇଥିଲେ। ଛୁଟି ଥିବାରୁ ପିଲାର ବାପା ତଥା ଅଭିଭାବକ ୨ ଦିନ ପରେ ବ୍ଲକରେ ଅଭିଯୋଗ କରିବାକୁ ଆସିଥିଲେ। ବିଡିଓ ତପନ କୁମାର ସେନାପତିଙ୍କ ଅନୁପସ୍ଥିତିରେ ସେ ସିଡିପିଓ ପାତ୍ରଙ୍କୁ ଏହି ଅଭିଯୋଗ ପ୍ରଦାନ କରିଥିଲେ। ଏ ସମ୍ପର୍କରେ ସିଡିପିଓ ପାତ୍ରଙ୍କୁ ପଚାରିବାରେ ସେ ଅଭିଯୋଗ ଗ୍ରହଣ କରିଛନ୍ତି। ଏହା ଏକ ସ୍ପର୍ଶକାତର ଘଟଣା ହୋଇଥିବାରୁ ତଦନ୍ତ ପରେ ଏ ସମ୍ପର୍କରେ ଯାହା କିଛି ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି।