ଲକ୍ଷ୍ନୌ,୧୪।୧୨: ଉତ୍ତର ପ୍ରଦେଶର ଝାନସୀରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ଜଣେ ମୃତ ମହିଳା କରୋନା ଟିକାର ଦ୍ୱିତୀୟ ଡୋଜ୍ ନେଇଥିବା ମେସେଜ ପରିବାର ଲୋକଙ୍କ ପାଖକୁ ଆସିବା ପରେ ହଇଚଇ ସୃଷ୍ଟି ହୋଇଛି।
ସୂଚନାନୁସାରେ, ଜଣେ ୬୭ ବର୍ଷୀୟ ବୃଦ୍ଧା ୨୦୨୧ ମସିହା ଏପ୍ରିଲ ମାସରେ କରୋନାର ଟିକାର ପ୍ରଥମ ଡୋଜ ନେଇଥିଲେ। ଏହାର ଗୋଟିଏ ସପ୍ତାହ ପରେ ବାର୍ଦ୍ଧକ୍ୟ ଜନିତ ଅସୁସ୍ଥତା କାରଣରୁ ତାଙ୍କର ମୃତ୍ୟୁ ହୋଇଥିଲା। ତେବେ ତାଙ୍କ ପୁଅ ବ୍ୟବହାର କରୁଥିବା ମୋବାଇଲକୁ ଡିସେମ୍ବର ୯ରେ ଗୋଟିଏ ମେସେଜ ଆସିଥିଲା ସେଥିରେ ଲେଖାଥିଲା କି ସେ ମୃତ ମହିଳା ଜଣଙ୍କ କରୋନା ଟିକାର ଦ୍ୱିତୀୟ ଡୋଜ ସମ୍ପୂର୍ଣ୍ଣ କରିଛନ୍ତି। ଏହାକୁ ଦେଖି ମହିଳାଙ୍କ ପୁଅ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ। ସେ ତୁରନ୍ତ ପ୍ରଶାସନିକ ଅଧିକାରୀଙ୍କୁ ଏ ବିଷୟରେ ଜଣାଇଥିଲେ। ଘଟଣାକୁ ଡିଆଇଓ ରବି ଶଙ୍କର ବେଶ ଗୁରୁତ୍ୱର ସହ ନେଇଛନ୍ତି। ଏଥିସହ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ମୁଖ୍ୟ ଡାକ୍ତର ତ୍ରପ୍ତୀ ପାରଶର ଓ ଏଏନ୍ଏମ୍ ଜ୍ଞାନ ଦେବୀଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି। ଏହା ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ। ଆମେ ଜବାବ ପାଇବା ପରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ ବୋଲି ସେ କହିଛନ୍ତି।