ମେଳାରେ ବୃଦ୍ଧଙ୍କୁ ମରଣାନ୍ତକ ଆକ୍ରମଣ

ଦିଗପହଣ୍ଡି,୧୬।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଫାସିଗୁଡ଼ା ପଞ୍ଚାୟତ ଜକମେରୀପଲ୍ଲୀ ଗ୍ରାମରେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଗ୍ରାମର ନରସିଂହ ବେହେରା ନାମକ ଜଣେ ବୃଦ୍ଧଙ୍କୁ ମରଣାନ୍ତକ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି । ଏନେଇ ନରସିଂହଙ୍କ ପୁଅ ହୀନ ବେହେରା ଦିଗପହଣ୍ଡି ଥାନାରେ ଏତଲା ଦେଇଛନ୍ତି।

ଗ୍ରାମର କାଳୁଆ ମନ୍ଦିର ନିକଟରେ ମେଳା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସେତିକିବେଳେ ଗ୍ରାମର ବିଜୟ ବେହେରା ଓ ସୁଦାମ ବେହେରା ଦୁଇ ଭାଇ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ନରସିଂହଙ୍କୁ ଗାଳିଗୁଲଜ କରିବା ସହ ଠେଙ୍ଗାରେ ଆକ୍ରମଣ କରିଥିଲେ। ଫଳରେ ନରସିଂହଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ବେଳେ ତାଙ୍କୁ ପ୍ରଥମେ ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ବଡ଼ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଥିଲା।

ଏତଲାକୁ ଭିତ୍ତିକରି ପୋଲିସ ଅଭିଯୁକ୍ତ ଦୁଇ ଭାଇଙ୍କ ବିରୋଧରେ ଏକ ମାମଲା(ନଂ. ୨୫୩/୨୪) ରୁଜୁ କରି ତଦନ୍ତ ଚାଲିଥିବା ଥାନା ଆଇଆଇସି ବାବା ଶଙ୍କର ସରାଫ କହିଛନ୍ତି।