ପୋଲିସକୁ ମରଣାନ୍ତକ ଆକ୍ରମଣ

ଭୁବନେଶ୍ୱର,୨୪ା୧୦ (ବ୍ୟୁରୋ): ଭୁବନେଶ୍ୱର ସାଲିଆସାହିରେ ଦାଦାବଟି ମାଗୁଥିବା ଜଣେ ଅଭିଯୁକ୍ତଙ୍କୁ ଗିରଫ କରିବାକୁ ଯାଇଥିବା ନୟାପଲ୍ଲୀ ଥାନାର ପୋଲିସ ଟିମ୍‌ ଉପରେ ଆକ୍ରମଣ ହୋଇଛି। ଅଭିଯୁକ୍ତର ମା’ ଓ ଭଉଣୀ ମିଳିତ ଭାବେ ବିଧା ଗୋଇଠା ମାରିବା ସହ କାଠ ଫାଳିଆରେ ନିର୍ଘାତ ପିଟିବାରୁ ଏସ୍‌ଆଇ ବିଜୟ କୁମାର ବାରିକ, କନ୍‌ଷ୍ଟେବଳ ଜ୍ୟୋତ୍ସ୍ନାରାଣୀ ସାହୁ, ହୋମ୍‌ଗାର୍ଡ ଦୀପ୍ତିରଞ୍ଜନ ପାଟଶାଣୀ ଆହତ ହୋଇଛନ୍ତି। ଏସ୍‌ଆଇ ବିଜୟଙ୍କ ଅଭିଯୋଗକ୍ରମେ ଥାନାରେ ଏକ ମାମଲା ରୁଜୁ କରାଯାଇଛି। ମୁଖ୍ୟ ଅଭିଯୁକ୍ତ ସଞ୍ଜୟ ସେଠୀ, ମା’ ଅନ୍ନପୂର୍ଣ୍ଣା ଓ ଭଉଣୀ ବିଷ୍ଣୁପ୍ରିୟାଙ୍କୁ ଗିରଫ ପରେ କୋର୍ଟଚାଲାଣ କରାଯାଇଛି।
ପୋଲିସ ସୂଚନା ଅନୁଯାୟୀ, ସାଲିଆସାହି ତାରିଣୀ ନଗରରେ ରହୁଥିବା ରିଆସତ ଖାନ୍‌ ଗତ ୨୦ ତାରିଖ ରାତି ପ୍ରାୟ ୧୦ଟାରେ ସ୍କୁଟିରେ ସ୍ତ୍ରୀଙ୍କୁ ବସାଇ ଘରକୁ ଫେରୁଥିଲେ। ଉକ୍ତ ଅଞ୍ଚଳର ସଞ୍ଜୟ ତାଙ୍କ ସ୍କୁଟିକୁ ଅଟକାଇ ୩୦ ହଜାର ଟଙ୍କା ଦାଦାବଟି ମାଗିଥିଲେ। ରିଆସତ ଟଙ୍କା ଦେବାକୁ ମନା କରିବାରୁ ସେ ତାଙ୍କ ସ୍କୁଟିକୁ ଛଡ଼ାଇ ରଖିଥିଲେ। ଏନେଇ ରିଆସତ ଥାନାରେ ଅଭିଯୋଗ କରିବା ପରେ ଏସ୍‌ଆଇ ବିଜୟ ବାରିକ ମାମଲାର ତଦନ୍ତ କରୁଥିଲେ। ଗୁରୁବାର ଅପରାହ୍ନ ୨ଟାରେ ପୋଲିସ ଟିମ୍‌ ସହ ସଞ୍ଜୟଙ୍କ ଘରେ ପହଞ୍ଚତ୍ ଘଟଣା ସଂକ୍ରାନ୍ତରେ ପଚାରିଥିଲେ। ହେଲେ ବିଷ୍ଣୁପ୍ରିୟା ଏବଂ ଅନ୍ନପୂର୍ଣ୍ଣା ସେମାନଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ସହ ସଂଘବଦ୍ଧ ଆକ୍ରମଣ କରିଥିଲେ। ଟିମ୍‌ର ଅନ୍ୟ ସଦସ୍ୟଙ୍କୁ କାଠ ଫାଳିଆରେ ପିଟିଥିଲେ। ଏପରି କି ବିଜୟଙ୍କ ବେକରୁ ସୁନାଚେନ୍‌କୁ ମଧ୍ୟ ଲୁଟି ନେଇଥିଲେ। ଜୀବନକୁ ବାଜି ଲଗାଇ ପୋଲିସ ଟିମ୍‌ ସଞ୍ଜୟଙ୍କୁ କାବୁ କରିନେଇଥିବା ଦେଖି ତାଙ୍କ ମାଆ ଓ ଭଉଣୀ ପନିକିରେ ଆକ୍ରମଣ କରିବାକୁ ଗୋଡ଼ାଇଥିଲେ। କାଠଫାଳିଆ ମାଡ଼ରେ କନ୍‌ଷ୍ଟେବଳ ଦୀପ୍ତିରଞ୍ଜନଙ୍କ ହାତରେ ଗଭୀର ଆଘାତ ଲାଗିଛି। ଶେଷରେ ଜୀବନ ବଞ୍ଚାଇବାକୁ ଯାଇ ପୋଲିସ ସେଠାରୁ ପଳାଇ ଆସିଥିଲା। ଶୁକ୍ରବାର ଅଧିକ ଫୋର୍ସ ସହ ୩ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ସ୍କୁଟିକୁ ଉଦ୍ଧାର କରିଛି।

Share