ଖବରଦାତାଙ୍କୁ ମରଣାନ୍ତକ ଆକ୍ରମଣ, ଥାନାରେ ମାମଲା

ବରୀ,୮ା୫(ଡି.ଏନ୍‌.ଏ.): ଯାଜପୁର ଜିଲା ବରୀ ଅଞ୍ଚଳର ଖବରଦାତା ସୁରେଶ ଚନ୍ଦ୍ର କରଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି।

ସୂଚନାଥାଉକି, ଶ୍ରୀ କର ବାଇଁଶିରିଆ ପଞ୍ଚାୟତକୁ ସରକାରଙ୍କ ତରଫରୁ ଉନ୍ନୟନମୂଳକ କାର୍ଯ୍ୟ ପାଇଁ ଆସୁଥିବା ଅନୁଦାନ ସଦୁପଯୋଗ ହେଉ ନ ଥିବା ଘଟଣାକୁ ଖବର ପ୍ରକାଶ କରିଥିଲେ। ବିଭିନ୍ନ ସମୟରେ ଏହି ପଞ୍ଚାୟତ କିଛି ଅସାମାଜିକ ବ୍ୟକ୍ତି ଖବର ପ୍ରସାରଣରୁ ନିବୃତ୍ତ ରହିବାକୁ ବାରମ୍ବାର ଧମକ ଦେଇ ଆସୁଥିଲେ। ଆଜି ସକାଳେ ଶ୍ରୀ କର ବ୍ୟକ୍ତିଗତ କାର୍ଯ୍ୟରେ ଘରୁ ବାହାରୁ ଥିବା ବେଳେ ବାଇଁଶିରିଆ ପଞ୍ଚାୟତ ଅଧିନସ୍ଥ ଇଚ୍ଛାପୁର ଗ୍ରାମର ସିଲୁ ମହାନ୍ତି ତାଙ୍କୁ ମରଣାନ୍ତକ ଆକ୍ରମଣ କରିବା ସହ ତାଙ୍କ ମୋବାଇଲ ଫୋନ ଛଡ଼ାଇ ନେଇ ଥିବାର ବରୀ ରାମଚନ୍ଦ୍ରପୁର ଥାନାରେ ଶ୍ରୀ କର ଲିଖିତ ଅଭିଯୋଗ କରିଛନ୍ତି। ସେ ଅତ୍ୟନ୍ତ ଭୟଭୀତ ଅବସ୍ଥାରେ ଥିବାରୁ ଆକ୍ରମଣର ଶିକାର ହୋଇ ସୁରକ୍ଷା ପାଇଁ ବରୀ ଥାନାଧିକାରୀ ମନୋଜ କୁମାର ସ୍ବାଇଁଙ୍କୁ ଫୋନ୍‌ ଯୋଗେ ଅନୁରୋଧ କରିଥିବାର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।