ନୂଆଦିଲ୍ଲୀ, ୨୪।୪: ସମ୍ପ୍ରତି ବାୟୁ ପ୍ରଦୂଷଣର ବିପଜ୍ଜନକ ସ୍ତର ବୈଶ୍ୱିକସ୍ତରରେ ଚିନ୍ତାର ବିଷୟ। ପ୍ରଦୂଷିତ ବାୟୁକୁ ନିଃଶ୍ୱାସପ୍ରଶ୍ୱାସରେ ଗ୍ରହଣ କଲେ କିଛି ସମୟ ମଧ୍ୟରେ ତାହା ପ୍ରାଣନାଶକ ସାଜିପାରେ। ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ (ଡବ୍ଲ୍ୟୁଏଚ୍ଓ)ର ଏୟାର କ୍ୱାଲିଟି ଗାଇଡ୍ଲାଇନ୍ ଅନୁସାରେ ଧାର୍ଯ୍ୟ ସ୍ତରଠାରୁ ନିମ୍ନସ୍ତରର ବାୟୁକୁ ଶ୍ୱାସକ୍ରିୟାରେ ଗ୍ରହଣ କଲେ ମାତ୍ର ଘଣ୍ଟାଏରେ ଜଣଙ୍କୁ ହୃଦ୍ଘାତ ହୋଇପାରେ ବୋଲି ଆମେରିକାନ୍ ହାର୍ଟ ଆସୋସିଏଶନର ସର୍କୁଲାର ଜର୍ନାଲରେ ଏକ ନୂଆ ଅଧ୍ୟୟନ ରିପୋର୍ଟ ପ୍ରକାଶ ପାଇଛି।
ପ୍ରମୁଖ ବାୟୁ ପ୍ରଦୂଷକ ଯଥା ସୂକ୍ଷ୍ମ କଣିକା ପଦାର୍ଥ, ନାଇଟ୍ରୋଜେନ୍ ଡାଇଅକ୍ସସାଇଡ୍, ସଲ୍ଫର ଡାଇଅକ୍ସସାଇଡ ଏବଂ କାର୍ବନ ମନୋକ୍ସସାଇଡ ସଂସ୍ପର୍ଶରେ ଆସିବା ଫଳରେ ତାହା ଆକ୍ୟୁଟ୍ କରୋନାରି ସିଣ୍ଡ୍ରୋମ୍ (ଏସିଏସ୍)କୁ ଟ୍ରିଗର କରିଥାଏ। ଅର୍ଥାତ ଏହା ଦ୍ୱାରା ଜଣଙ୍କ ଶରୀରରେ ହୃତ୍ପିଣ୍ଡକୁ ହଠାତ୍ ରକ୍ତପ୍ରବାହ ବନ୍ଦ ହୋଇଯାଏ କିମ୍ବା ଅସ୍ଥାୟୀ ଭାବେ ଧମନୀରେ ରକ୍ତ ଜମାଟ ବାନ୍ଧି ହୋଇଯାଇଥାଏ। ଅନ୍ୟ ବାୟୁ ପ୍ରଦୂଷକ ତୁଳନାରେ ନାଇଟ୍ରୋଜେନ୍ ଡାଇଅକ୍ସସାଇଡ ଅଧିକ କ୍ଷତିକାରକ ହୋଇଥାଏ। ଏହା ସଂସ୍ପର୍ଶରେ ଆସିବାରେ ମାତ୍ର ଘଣ୍ଟାଏ ଭିତରେ ହୃଦ୍ଘାତ ହୋଇପାରେ। ବିଶେଷ କରି ୬୫ କିମ୍ବା ଊର୍ଦ୍ଧ୍ୱ ବୟସ ବର୍ଗର ଲୋକଙ୍କ କ୍ଷେତ୍ରରେ ଏହି ଆଶଙ୍କା ଅଧିକ ରହିଛି। ଧୂମପାନ କିମ୍ବା ଶ୍ୱାସକ୍ରିୟା ସମ୍ପର୍କିତ ସମସ୍ୟା ନ ଥିଲେ ମଧ୍ୟ ଜଣେ ଏଥିଯୋଗୁ ହୃଦ୍ଘାତର ଶିକାର ହୋଇପାରନ୍ତି। ଶୀତଦିନେ ପ୍ରଦୂଷିତ ବାୟୁ ଅଧିକ କ୍ଷତିକାରକ ହୋଇଥାଏ ବୋଲି ଅଧ୍ୟୟନରୁ ଜଣାପଡ଼ିଛି। ତେବେ ଯେ କୌଣସି ବାୟୁ ପ୍ରଦୂଷକ ହୃଦ୍ଘାତର କାରଣ ପାଲଟିପାରେ ବୋଲି ସାଂଘାଇସ୍ଥିତ ଫୁଡାନ୍ ୟୁନିଭର୍ସିଟିର ସ୍କୁଲ ଅଫ୍ ପବ୍ଲିକ ହେଲ୍ଥର ପ୍ରଫେସର ହାଇଡଙ୍ଗ୍ କାନ୍ କହିଛନ୍ତି। ଅଟୋମୋବାଇଲ ଶିଳ୍ପ, ପାଓ୍ବାର ପ୍ଲାଣ୍ଟ, ନିର୍ମାଣ ସାଇଟ୍ ଆଦିରୁ ବାହାରୁଥିବା ସୂକ୍ଷ୍ମ କଣିକା ଯଥା ମାଇକ୍ରୋସ୍କୋପିକ୍ ସଲିଡ୍ କିମ୍ବା ଲିକ୍ୟୁଡ୍ ଡ୍ରପ୍ଲେଟ୍ ମଧ୍ୟ ଅନୁରୂପ ଭାବେ ହୃଦ୍ଘାତ ତଥା ଅନ୍ୟ ହୃଦ୍ରୋଗ ପାଇଁ ଦାୟୀ। ଏହି କଣିକାଗୁଡ଼ିକ ଏତେ କ୍ଷୁଦ୍ର ଯେ ଆମେ ପ୍ରଶ୍ୱାସରେ ଗ୍ରହଣ କଲାପରେ ବି ଶରୀର ଜାଣିପାରି ନ ଥାଏ ଏବଂ ତାହା ସିଧାସଳଖ ଫୁସ୍ଫୁସ୍ରେ କିମ୍ବା ରକ୍ତପ୍ରବାହରେ ମିଶିଯାଇଥାଏ।
ହୃଦ୍ରୋଗ ଯୋଗୁ ବିଶ୍ୱରେ ବାର୍ଷିକ ୪୨ ଲକ୍ଷ ଲୋକଙ୍କ ଅକାଳ ମୃତ୍ୟୁ ଘଟୁଛି। ଅଧ୍ୟୟନ ଅନୁସାରେ, ୨୦୧୫ରୁ ୨୦୨୦ ମଧ୍ୟରେ ଚାଇନାର ୩୧୮ ସହରରେ ପ୍ରାୟ ୧୩ ଲକ୍ଷ ଲୋକ ଏଥିଜନିତ ହୃଦ୍ଘାତ ଯୋଗୁ ଚିକିତ୍ସିତ ହୋଇଛନ୍ତି। ସେହିପରି ଅଳ୍ପ ସମୟ ପାଇଁ ମଧ୍ୟ ଏଭଳି ଘାତକ ପ୍ରଦୂଷକ ସଂସ୍ପର୍ଶରେ ରହିବା ଫଳରେ ହୃଦ୍ରୋଗ ସହ ଅନ୍ୟ ଗମ୍ଭୀର ସ୍ବାସ୍ଥ୍ୟ ସମସ୍ୟାରେ ପଡ଼ିବା ଆଶଙ୍କା ଯଥେଷ୍ଟ ବଢ଼ିଯାଇଥାଏ।