ବ୍ୟାପୁଛି ଘାତକ ସଂକ୍ରାମକ ରୋଗ, ଜ୍ୱର ପରେ ନାକରୁ ବୋହୁଛି ରକ୍ତ…

ବାଗଦାଦ୍‌, ୩୦।୫ : ସମ୍ପ୍ରତି ମଧ୍ୟ-ପୂର୍ବ ଏସୀୟ ଦେଶ ଇରାକରେ ଏକ ନୂତନ ପ୍ରକାରର ରୋଗ ଦ୍ରୁତ ବେଗରେ ବ୍ୟାପିବାରେ ଲାଗିଛି। ଏଥିରେ ରୋଗୀରେ ଜ୍ୱର ହେବା ସହିତ ନାକରୁ ରକ୍ତ ବାହାରୁଛି। ନାକ ଦେଇ ଅତ୍ୟଧିକ ରକ୍ତସ୍ରାବ ଯୋଗୁ ଆକ୍ରାନ୍ତଙ୍କ ମୃତ୍ୟୁ ଘଟୁଛି। ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ଅନୁଯାୟୀ, ଏହି ରୋଗରେ ଇରାକରେ ଏପର୍ଯ୍ୟନ୍ତ ୧୯ ଜଣଙ୍କର ମୃତ୍ୟୁ ଘଟିଛି।

ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ଅନୁଯାୟୀ ଏହା ଏକ ଭୁତାଣୁ ଜନିତ ରୋଗ। ଏପର୍ଯ୍ୟନ୍ତ ଏହାର କୌଣସି ଟିକା ଉପଲବ୍ଧ ହୋଇନାହିଁ। ନ୍ୟୁଜ ଏଜେନ୍ସି ଏଏଫପିର ରିପୋର୍ଟ ଅନୁଯାୟୀ, ଜଣେ ସ୍ବାସ୍ଥ୍ୟ କର୍ମୀ ଗାଈମାନଙ୍କ ଉପରେ କୀଟନାଶକ ସ୍ପ୍ରେ କରୁଥିବାବେଳେ ଏହି ସଂକ୍ରମଣର ଶିକାର ହୋଇଥିଲେ। ପିପିଏ କିଟ ପିନ୍ଧିଥିବା ସ୍ବାସ୍ଥ୍ୟ କର୍ମୀମାନେ ଏହି ରୋଗ ଆରମ୍ଭ ହେବା ପରେ ଇରାକର ଗ୍ରାମାଞ୍ଚଳରେ କାର୍ଯ୍ୟ କରୁଛନ୍ତି। ଏହି ଜ୍ୱରର ନାମ କ୍ରିମିଅନ-କଙ୍ଗୋ ହେମୋରେଜିକ ଫିବର ରଖାଯାଇଛି। ଏହା ପ୍ରାଣୀମାନଙ୍କଠାରୁ ମଣିଷଙ୍କୁ ଶୀଘ୍ର ସଂକ୍ରମିତ ହୋଇଥାଏ।

ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ଅନୁଯାୟୀ, ଏହି ରୋଗ କୀଟପତଙ୍ଗ କାମୁଡ଼ିବା ଦ୍ୱାରା ପ୍ରାଣୀମାନଙ୍କଠାରେ ବ୍ୟାପୁଛି। ସଂକ୍ରମିତ ପ୍ରାଣୀମାନଙ୍କ ସଂସ୍ପର୍ଶରେ ଆସି ମଣିଷମାନେ ଏହି ସଂକ୍ରାମକ ରୋଗର ଶିକାର ହେଉଛନ୍ତି। ଇରାକରେ ଏପର୍ଯ୍ୟନ୍ତ ମଣିଷମାନଙ୍କରେଏହି ସଂକ୍ରମଣର ୧୧୧ ଟି ମାମଲା ପଞ୍ଜିକୃତ ହୋଇଛି। ଡାକ୍ତରମାନେ କହିଛନ୍ତି ଯେ ଏହି ଭୁତାଣୁ ସଂକ୍ରମଣ ଶୀଘ୍ର ବ୍ୟାପିପାରେ। କାରଣ ଆକ୍ରାନ୍ତଙ୍କ ଶରୀର ଭିତରେ ଏବଂ ବାହାରେ ରକ୍ତସ୍ରାବ ହୁଏ। ସେଥିମଧ୍ୟରୁ ସବୁଠାରୁ ଗମ୍ଭୀର ହେଉଛି ନାକରୁ ରକ୍ତସ୍ରାବ। ନାକରୁ ରକ୍ତସ୍ରାବ ପ୍ରତି ପାଞ୍ଚ ଜଣରେ ୨ ଜଣଙ୍କ ମୃତ୍ୟୁ ଘଟୁଛି।

ଦକ୍ଷିଣ ଇରାକରେ ଏଭଳି ଅଧିକାଂଶ ମାମଲା ରିପୋର୍ଟ କରାଯାଉଛି। ଧିକାର ପ୍ରଦେଶର ସ୍ବାସ୍ଥ୍ୟ ଅଧିକାରୀ ହାୟଦାର ହତୌଚି କହିଛନ୍ତି ଯେ ଏହି ସଂକ୍ରମଣ ପୂର୍ବରୁ ଦେଖାଯାଇ ନାହିଁ। ଏହି ସଂକ୍ରାମକ ରୋଗର ଅଧାରୁ ଅଧିକ ଆକ୍ରାନ୍ତ ଦକ୍ଷିଣ ଇରାକ ଅଞ୍ଚଳରେ ରିପୋର୍ଟ କରାଯାଇଛି। ସ୍ବାସ୍ଥ୍ୟ ଅଧିକାରୀଙ୍କ କହିବାନୁସାରେ, ଏହି ସଂକ୍ରମଣ ଅତି ଶୀଘ୍ର ବ୍ୟାପିବାରେ ଲାଗିଛି। ଡାକ୍ତରଙ୍କ ଅନୁଯାୟୀ, ଏହି ସଂକ୍ରମଣ ଧିକାର ପ୍ରଦେଶର ବଳଦ, ଗାଈ, ଛେଳି ଏବଂ ମେଣ୍ଢା ଆଦି ଗୃହପାଳିତ ପ୍ରାଣୀଙ୍କ ସମେତ ବନ୍ୟ ପ୍ରାଣୀଙ୍କଠାରୁ ବ୍ୟାପୁଛି।

Share