ଡିଲରଙ୍କ ଲାଇସେନ୍ସ ଅବଧି ବଢ଼ିଲା

କଟକ ଅଫିସ,୨୫ା୭: ଲାଇସେନ୍ସ ନବୀକରଣ ପ୍ରସଙ୍ଗରେ ରାଜ୍ୟର ପ୍ରାୟ ୨ ହଜାର ୫୯୦ ଜଣ ଡିଲରଙ୍କୁ ହାଇକୋର୍ଟରୁ ଆଶ୍ୱସ୍ତି ମିଳିଛି। ୨୦୨୧ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ସାନି ଉଚ୍ଛେଦ ହୋଇଥିବା ଏହି ଡିଲରଙ୍କ ଲାଇସେନ୍ସକୁ ନବୀକରଣ କରାଯାଇଥିବା ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ହାଇକୋର୍ଟରେ ଜବାବ ରଖିଛି। ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଥିବା କୁହାଯାଇଛି। କରୋନା ସଂକ୍ରମଣ ଜନିତ ସମସ୍ୟାକୁ ଦେଖି ଖାଉଟି ସାମଗ୍ରୀର ବଣ୍ଟନ ପାଇଁ ଏହି ନିଷ୍ପତ୍ତି ନିଆଯାଇଥିବା ବିଭାଗ ଯୁକ୍ତି ରଖିଛି।
ବିବରଣୀରୁ ପ୍ରକାଶ ଯେ, ଲାଇସେନ୍ସ ଅବଧି ଥିଲେ ମଧ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ସଚିବ ଗତ ମାର୍ଚ୍ଚରେ ଏହି ଡିଲରମାନଙ୍କୁ ଉଚ୍ଛେଦ ପାଇଁ ନିର୍ଦ୍ଦେଶ ଜାରି କରିଥିଲେ। ଡିଲରମାନଙ୍କ ପଏଣ୍ଟ ଅଫ୍‌ ସେଲ୍‌ (ପିଓଏସ୍‌) ମେଶିନ୍‌ରେ ଖାଉଟିଙ୍କ ଉପସ୍ଥାନ ନିର୍ଦ୍ଧାରିତ ମାନଦଣ୍ଡଠାରୁ କମ୍‌ ଥିବା ଦର୍ଶାଇ ଏହି ନିଷ୍ପତ୍ତି ନିଆଯାଇଥିବା ବିଭାଗ କହିଥିଲା। ଏହି ନିର୍ଦ୍ଦେଶକୁ ବିରୋଧକରି ବହୁ ଡିଲର ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଏହି ମାମଲାର ଶୁଣାଣି କରି ହାଇକୋର୍ଟ ବିଭାଗର ନିର୍ଦ୍ଦେଶକୁ ରଦ୍ଦ କରିଦେଇଥିଲେ। ଡିଲରଙ୍କ ପକ୍ଷ ନ ନେଇ ଏକତରଫା ନିଷ୍ପତ୍ତି ଉଚିତ ନୁହଁ ବୋଲି ହାଇକୋର୍ଟ କହିଥିଲେ। ଏଣୁ ଉଚ୍ଛେଦ ହୋଇଥିବା ଡିଲରମାନଙ୍କ ଲାଇସେନ୍ସକୁ ହାଇକୋର୍ଟ କାଏମ୍‌ ରଖିବା ସହ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍‌)ରେ ସେମାନେ ସାମଗ୍ରୀ ଯୋଗାଣ କରିପାରିବେ ବୋଲି କହିଥିଲେ। ହାଇକୋର୍ଟଙ୍କ ଏହି ନିର୍ଦ୍ଦେଶ ପରେ ରାଜ୍ୟ ସରକାର ସାନି ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ଡିଲରମାନଙ୍କ ଲାଇସେନ୍ସକୁ ସାନି ନବୀକରଣ କରିଛନ୍ତି।

Share