Advertisement

ଜାନୁୟାରୀରୁ ରାଶନ ବଣ୍ଟନ ବନ୍ଦ କରିବେ ଡିଲର

ସମ୍ବଲପୁର,୨୫।୧୨ (ଭବାନୀ ଶଙ୍କର ଭୋଇ): କରୋନା ଆରମ୍ଭରୁ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ ବଣ୍ଟନ କରିଥିବା ରାଶନ ବାବଦରେ ସରକାରୀ ନିଯୁକ୍ତ ଡିଲରମାନଙ୍କୁ କମିଶନ ମିଳି ନ ଥିବା ନେଇ ସୋମବାର ଏକ ଖବରଦାତା ସମ୍ମିଳନୀରେ ସମ୍ବଲପୁର ଜିଲା ସରକାରୀ ନିଯୁକ୍ତ ଡିଲର ସଂଘ ପକ୍ଷରୁ ଅଭିଯୋଗ କରାଯାଇଛି।

ଡିଲରମାନଙ୍କୁ ମାସିକ ୫୦ ହଜାର ଟଙ୍କାର କମିଶନ ପ୍ରଦାନ, ସମସ୍ତ ଡିଲରଙ୍କୁ ୨୫ ଲକ୍ଷ ଟଙ୍କାର ସ୍ବାସ୍ଥ୍ୟବୀମା ପ୍ରଦାନ ଆଦି ୯ ଦଫା ଦାବି ପୂରଣ କରିବାକୁ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କୁ ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ସମୟ ପ୍ରଦାନ କରାଯାଇଛି।

ଦାବି ପୂରଣ ନ ହେଲେ ଆସନ୍ତା ଜାନୁୟାରୀ ପହିଲାରୁ ଡିଲରମାନେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ରାଶନ ସମାଗ୍ରୀ ବିତରଣ ବନ୍ଦ ରଖିବେ ବୋଲି ଘୋଷଣା କରିଛନ୍ତି। ଅଖିଳ ଭାରତୀୟ ସରକାରୀ ନିଯୁକ୍ତ ଡିଲର ମହାସଂଘ ଆହ୍ବାନ କ୍ରମେ ସମ୍ବଲପୁର ଜିଲା ସଂଘ ପକ୍ଷରୁ ଏହି ଘୋଷଣା କରାଯାଇଛି। ଏ ନେଇ ମଙ୍ଗଳବାର ଜିଲା ଯୋଗାଣ ଅଧିକାରୀ, ମହାନଗର ନିଗମ କମିଶନର ଓ ଜିଲାପାଳଙ୍କୁ ଦାବିପତ୍ର ଦିଆଯିବ ବୋଲି ସଂଘ ପକ୍ଷରୁ କୁହାଯାଇଛି। ସ୍ଥାନୀୟ ଅଗ୍ରସେନ ଭବନଠାରେ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ସଂଘର ଜିଲା ସଭାପତି ରତିକାନ୍ତ ମହାନ୍ତି, ଉପସଭାପତି ଅମିତ ଅଗ୍ରୱାଲ, ସାଧାରଣ ସମ୍ପାଦକ ଅନୱର ଅଲି, ଅଞ୍ଜଳି ନାୟକ, ଉମେଶ ଚନ୍ଦ୍ର ବଳ, ଦେବରାଜ ପଟେଲ ପ୍ରମୁଖ ଉପସ୍ଥିତ ଥିଲେ ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share