ଗଞ୍ଜାମ ସହରରେ ବଢୁଛି ନକଲି ଔଷଧ କାରବାର, ରୋଗୀ ହନ୍ତସନ୍ତ

ଗଞ୍ଜାମ,୨୫ା୬(ବିଦ୍ୟାଧର ସାହୁ): ଦିନକୁ ଦିନ ଗଞ୍ଜାମ ସହରରେ କାୟାବିସ୍ତାର କରିଚାଲିଛି ନକଲି ଔଷଧ। ସ୍ବାସ୍ଥ୍ୟ ବିଭାଗ ଗାଇଡ୍‌ଲାଇନକୁ ଖୋଲାଖୋଲି ଉଲ୍ଲଂଘନ କରୁଛନ୍ତି ସହରର କିଛି ଔଷଧ ଦୋକାନୀ। ଜଣେ ଫାର୍ମାସିଷ୍ଟଙ୍କ ଉପସ୍ଥିତିରେ ମେଡିସିନ ଷ୍ଟୋର ଖୋଲା ଔଷଧ ବିକ୍ରି କରିବା ପାଇଁ ନିୟମ ଥିଲେ ମଧ୍ୟ ତାହା ଏଠାରେ ବ୍ୟତିକ୍ରମ ହେଉଥିବା ସ୍ଥାନୀୟ ଅଞ୍ଚଳବାସୀ ଅଭିଯୋଗ କରୁଛନ୍ତି। ଏହି ନକଲି ଔଷଧର ଚେର ଭୁବନେଶ୍ୱରରୁ ଗଞ୍ଜାମ ପର୍ଯ୍ୟନ୍ତ ଲମ୍ବିଥିବା ଚର୍ଚ୍ଚା ହେଉଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଜଣେ ବ୍ୟକ୍ତିଙ୍କୁ ଥଣ୍ଡା କିମ୍ବା କାଶ ହେଲେ କିଛି ମେଡିସିନ ଦୋକାନୀ ୩୦୦ରୁ ୪୦୦ ଟଙ୍କାର ମେଡିସିନ ଦେଉଥିବା ଜଣେ ବ୍ୟକ୍ତି ନିଜ ନାମ ଗୋପନ ରଖି ଗଣମାଧ୍ୟମକୁ କହିଛନ୍ତି। ଯାହା ଫଳରେ ଗରିବ ଜନସାଧାରଣ ବହୁତ ହଇରାଣ ହରକତ ହେଉଛନ୍ତି। ଏହାର ତଦାରଖ ନିମନ୍ତେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଡ୍ରଗ୍ସ ଇନ୍ସପେକ୍ଟର ନିଯୁକ୍ତି କରାଯାଇଛି ଏବଂ ପ୍ରତି ମାସରେ ଥରେ ଏହି ସବୁ ବ୍ୟବସ୍ଥାକୁ ତଦାରଖ କରିବା ନିୟମ ଥିଲେ ମଧ୍ୟ ତାହା ଏଠାରେ ଉକ୍ତ ନିୟମ କାର୍ଯ୍ୟକାରୀ ହେଉ ନ ଥିବା ସହରରେ ବେଶ ଆଲୋଚନା ହେଉଛି। ମେଡିସିନର ମାନ ଯାଞ୍ଚ ନ ହେବାରୁ କିଛି ଔଷଧ ଦୋକାନରେ ନକଲି ଔଷଧ ରଖି ବ୍ୟବସାୟ କରି ଦୋକାନୀ ମାଲାମାଲ ହେଉଥିବା ବେଳେ ଏଠି ରୋଗୀ ହନ୍ତସନ୍ତ ହେବାର ଦେଖିବାକୁ ମିଳୁଛି। ସେଥିମଧ୍ୟରୁ ପ୍ରାୟ ଔଷଧ ପାର୍ଶ୍ୱ ପ୍ରତିକ୍ରିୟା ଦେଖାଦେଉଥିବାର ମଧ୍ୟ ଅଭିଯୋଗ ହେଉଛି। ଡ୍ରଗ୍ସ ଅଧିକାରୀ ଏହା ଉପରେ ଦୃଷ୍ଟି ଦେଇ ଯାଞ୍ଚ କରିବାକୁ ସାଧାରଣରେ ଦାବି ହେଉଛି।