ନୂଆଦିଲ୍ଲୀ,୧୩।୪ : ଦେଶରେ ବୃଦ୍ଧି ପାଉଥିବା କରୋନା ମାମଲା ମଧ୍ୟରେ ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସ (ଏମ୍ସ) ଏହାର କର୍ମଚାରୀମାନଙ୍କ ପାଇଁ କରୋନା ଭାଇରସ ସମ୍ବନ୍ଧରେ ଆଡଭାଇଜରୀ ଜାରି କରିଛି। ଦିଲ୍ଲୀ ଏମ୍ସର ଡାକ୍ତରଖାନାର ସମସ୍ତ କର୍ମଚାରୀଙ୍କ ପାଇଁ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି। ଜାରି କରାଯାଇଥିବା ଆଡଭାଇଜରୀରେ କୁହାଯାଇଛି ସମସ୍ତ କର୍ମଚାରୀଙ୍କୁ କର୍ମକ୍ଷେତ୍ରରେ ଫେସ ମାସ୍କ / ସର୍ଜିକାଲ ମାସ୍କ ପିନ୍ଧିବାକୁ ପଡିବ। ଜନଗହଳି ପୂର୍ଣ୍ଣ ସ୍ଥାନରୁ ଦୂରେଇ ରହିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି ।
କର୍ମଚାରୀମାନଙ୍କୁ କ୍ୟାଣ୍ଟିନରେ ଏକାଠି ନ ହେବା ପାଇଁ କୁହାଯାଇଛି। ପାଞ୍ଚ କିମ୍ବା ଅଧିକ ଲୋକ ଅଫିସରେ କୌଣସି ସ୍ଥାନରେ ଏକାଠି ହେବା ଉଚିତ ନୁହେଁ। ଯଦି କୌଣସି କର୍ମଚାରୀ ଅସୁସ୍ଥ ଅନୁଭବ କରୁଛନ୍ତି, ତୁରନ୍ତ ତାଙ୍କ ରିପୋର୍ଟ ଅଧିକାରୀଙ୍କୁ ଜଣାନ୍ତୁ ଏବଂ କର୍ମକ୍ଷେତ୍ରକୁ ଆସନ୍ତୁ ନାହିଁ। ଏହିପରି କର୍ମଚାରୀଙ୍କୁ ଘରେ କ୍ୱାରାଣ୍ଟାଇନରେ ରହିବାକୁ କୁହାଯାଇଛି।
ଗର୍ଭବତୀ, ବୃଦ୍ଧାବୃଦ୍ଧଙ୍କ ପରି ଅଧିକ ବିପଦ ଥିବା ସମସ୍ତ କର୍ମଚାରୀଙ୍କୁ ଅତିରିକ୍ତ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦିଆଯାଇଛି। ଦିଲ୍ଲୀ ଏମ୍ସର ଅନେକ କର୍ମଚାରୀ କରୋନାରେ ସଂକ୍ରମିତ ହେବା ପରେ ଏହି ଆଡଭାଇଜରୀ ଜାରି କରାଯାଇଛି ।