ଗୁରୁଙ୍କ ସ୍ଥାନ ସବୁବେଳେ ସର୍ବାଗ୍ରେ। ଶିକ୍ଷା ମଣିଷର ବ୍ୟକ୍ତିତ୍ୱ ବିକଶିତ କରିଥାଏ । ଦିନଥିଲା ଶିକ୍ଷାଗ୍ରହଣ ପାଇଁ ଶିଷ୍ୟମାନେ ଯାଉଥିଲେ ଗୁରୁକୁଳ ଆଶ୍ରମ ତ ପୁଣି କେହି କେହି ଯାଉଥିଲେ ଗାଁ ଚାଟଶାଳୀକୁ। ଶିଷ୍ୟଙ୍କୁ ଉତ୍ତମରୂପେ ଗଢ଼ିବାରେ ଗୁରୁଙ୍କ ଭୂମିକା ଥିଲା ସ୍ବତନ୍ତ୍ର । ଯେଉଁଥି ପାଇଁ ଜଣେ ଆର୍ଦଶ ଗୁରୁଙ୍କଠାରୁ ଉତ୍ତମ ଶିକ୍ଷାଲାଭ କରିଥିବା ଶିଷ୍ୟ ନିଜକୁ ଧନ୍ୟ ମନେକରିଥାନ୍ତି। ସେହିପରି ସମାଜରେ ଉତ୍ତମ ବ୍ୟକ୍ତିଭାବେ ପରିଚିତ ହୋଇଥିବା ଉତ୍ତମ ଶିଷ୍ୟଙ୍କ ପାଇଁ ଗୁରୁ ମଧ୍ୟ ନିଜକୁ ଗୌରବାନ୍ବିତ ମନେକରିଥାନ୍ତି। ସେମିତି କେତେଜଣ ଗୁରୁ ଏବଂ ଶିଷ୍ୟଙ୍କ ସମ୍ପର୍କରେ …
କେବଳ ଗୁରୁଜୀଙ୍କ ପାଇଁ ସମ୍ଭବ: ଦୀର୍ଘ ୪୦ବର୍ଷରୁ ଊର୍ଦ୍ଧ୍ୱ ହେବ ବୈଦିକ ଶିକ୍ଷା ପ୍ରଦାନ କରିବା ସହିତ ବେଦପୀୟୂଷର ସମ୍ପାଦନା କରିଆସୁଥିବା ତଥା ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟର ପୂର୍ବତନ ପ୍ରଧାନ ଆଚାର୍ଯ୍ୟ ଓ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ପଣ୍ଡିତ ବୀରେନ୍ଦ୍ର କୁମାର ପଣ୍ଡା। ଶିକ୍ଷକତା ସମୟରେ ଗଢ଼ିତୋଳିଥିବା ଛାତ୍ରୀଛାତ୍ରଙ୍କ ସମ୍ପର୍କରେ ସେ କୁହନ୍ତି -ସଂସ୍କୃତି ଶିକ୍ଷା ବିଭାଗ ରାଜସ୍ଥାନର ପୂର୍ବତନ ଅଧ୍ୟକ୍ଷ ପ୍ରଫେସର ନିରଞ୍ଜନ ସାହୁ ମୋର ଅନ୍ୟତମ ପ୍ରିୟ ଛାତ୍ର । ସେତେବେଳେ ନିରଞ୍ଜନଙ୍କ ପରିବାର ଆର୍ଥିକ ସ୍ବଚ୍ଛଳ ନ ଥିଲା। ନାନା ଅସୁବିଧା ସତ୍ତ୍ୱେ ବି ସେ ପାଠପଢାରେ ଅବହେଳା କରୁ ନ ଥିଲା। ଶ୍ରେଣୀରେ ପ୍ରଥମ ହେଉଥିଲା। ପର୍ବପର୍ବାଣି ସମୟରେ ସମସ୍ତଙ୍କ ସହ ମିଶୁଥିଲା। ତାକୁ ଗୋଟିଏ କଥା କହୁଥିଲି ଶୃଙ୍ଖଳିତ ଜୀବନ ଓ ମଣିଷପଣିଆ ବ୍ୟକ୍ତିକୁ ଆଗକୁ ବଢ଼ାଇଥାଏ। ଏକଥାକୁ ସେ ପାଳନ କରୁଥିଲା। ତାକୁ କହିଥିଲି ତମେ ଯେତେବଡ଼ ପଦବୀରେ ରହିଲେ ବି କେବେ କାହାରିକୁ ଠକିବ ନାହିଁ କି ଅନ୍ୟଠାରୁ କିଛି ଆଶା ରଖିବ ନାହିଁ। ନିଜ କର୍ତ୍ତବ୍ୟକୁ ଠିକ୍ଭାବେ ପାଳନ କରିବ । ମନେ ରଖିବ ତମ ଦ୍ୱାରା ଯଦି କେହି କିଛି ଉପକୃତ ହେଉଛନ୍ତି ତା’ହେଲେ ତାକୁ ସାହାଯ୍ୟ କରିବ। ଏକଥାକୁ ନିରଞ୍ଜନ ଅକ୍ଷରେ ଅକ୍ଷରେ ପାଳନ କରିଆସୁଛି ।’ ଠିକ୍ ସେହିପରି ତାଙ୍କ ଛାତ୍ର ଅବସରପ୍ରାପ୍ତ ପ୍ରଫେସର ନିରଞ୍ଜନ ସାହୁ କୁହନ୍ତି, ‘ମୋର ପୂଜ୍ୟଗୁରୁ ପଣ୍ଡିତ ବୀରେନ୍ଦ୍ର ପଣ୍ଡାଙ୍କ ପାଇଁ ଆଜି ମୁଁ ଏତେ ବାଟରେ ପହଞ୍ଚି ପାରିଛି। ଭଦ୍ରକର ଶ୍ରୀଜଗନ୍ନାଥ ସଂସ୍କୃତ ବିଦ୍ୟାଳୟରେ ମଧ୍ୟମା ପଢୁଥିଲି । ଗୁରୁଜୀଙ୍କ ସହିତ ମୋର ସେବେଠାରୁ ପରିଚୟ । ଗୁରୁଜୀ ଯାହା ସଂସ୍କୃତରେ ପଢ଼ାଉ ଥିଲେ ତାହାକୁ ଅତି ସରଳ ଭାବରେ ବୁଝାଉଥିଲେ, ଯାହା ଆପେ ଆପେ ହୃଦୟରେ ଛାପି ହୋଇଯାଉଥିଲା। ଗୁରୁଜୀଙ୍କ କର୍ମ, ବଚନ ଓ ଆଚରଣରେ ତାଳମେଳ ରହୁଥିଲା। ସବୁବେଳେ ପ୍ରେରଣାଦାୟକ ବାର୍ତ୍ତା ଦେଉଥିଲେ। ସଂସ୍କୃତ ପ୍ରତି ମୋର ରୁଚି ବଢ଼ିଥିବାରୁ ପରବର୍ତ୍ତୀ ସମୟରେ ରାଜସ୍ଥାନର ସଂସ୍କୃତି ବିଭାଗ ପରିଚାଳିତ ଏକ ବିଶ୍ୱବିଦ୍ୟାଳୟରେ ଅଧ୍ୟକ୍ଷଭାବେ କାର୍ଯ୍ୟ ତୁଲାଇ ଏବେ ସେବାନିବୃତ୍ତ ହୋଇସାରିଛି । କେବଳ ଗୁରୁଜୀଙ୍କ ପାଇଁ ଏହା ସମ୍ଭବ ହୋଇପାରିଛି।’
ସାର୍ଙ୍କ ବିରକ୍ତି ମୋତେ ପ୍ରେରଣା ଦେଇଛି: -ପିଲାଟି ଦିନରୁ ଚିତ୍ରକଳାକୁ ନେଇ ତାଙ୍କର ସାଧନା । ଏବେ ସେ ଓଡ଼ିଶା ଲଳିତକଳା ଏକାଡେମୀର ସଚିବ ତଥା ବିଶିଷ୍ଟ ଚିତ୍ରଶିଳ୍ପୀ ପଞ୍ଚାନନ ସାମଲ। ସେ କୁହନ୍ତି, ‘ଭୁବନେଶ୍ୱର ଧଉଳି ଚାରୁ ଓ କାରୁ କଳା ମହାବିଦ୍ୟାଳୟରେ ଅଧ୍ୟକ୍ଷଭାବେ କାର୍ଯ୍ୟକରୁଥାଏ। ମୁଁ ଦେଖିଛି ଏଠାରୁ ତାଲିମ ପାଇ ଛାତ୍ରୀଛାତ୍ରମାନେ ପ୍ରତିଷ୍ଠିତ ଶିଳ୍ପୀଭାବେ ନିଜର ପରିଚୟ ସୃଷ୍ଟି କରିପାରିଛନ୍ତି। ସେମିତି ଜଣେ ଛାତ୍ର ହେଲେ ହୃଷୀକେଶ ବିଶ୍ୱାଳ । ଏଠାରେ ପଢ଼ୁଥିବା ବେଳେ ଥରେ ତାକୁ ଏକ ପେଣ୍ଟିଂ କରିବାକୁ ଦିଆଯାଇଥିଲା, ଯାହାକି ଥିଲା ଜଣେ ପୁରୁଷଲୋକର ବସିଥିବାର ଚିତ୍ର। ମାତ୍ର ସେ ତାହା ନ କରି ଏକ ଝିଅର ଚିତ୍ର କରିଥିଲା । ଏଥି୍ଯଯୋଗୁ ମୁଁ ଖୁବ୍ ବିରକ୍ତ ହୋଇଥିଲି । ଆଉ ଥରେ ସେହିକାମ ଦେଲି ହେଲେ ଏଥର ସେ ନିରବ ରହି ପୁନର୍ବାର ସେହି ଭୁଲ୍ କଲା। ଫଳରେ ତା’ ପ୍ରତି ଖୁବ ବିରକ୍ତି ହୋଇଗଲି। କିନ୍ତୁ ପରେ ସେହି ପେଣ୍ଟିଂରେ ମୁଁ କିଛି ନୂତନତ୍ୱ ଦେଖି ମୁଁ ବୁଝିଗଲି ଯେ, ତାହାର ଏହି କାମ କେତେ ଉଚ୍ଚମାନର ହୋଇଥିଲା। ତା’ର ସେହି କଳା ଏକ ଭିନ୍ନ ଧରଣର ପେଣ୍ଟିଂ ଥିଲା। ଯାହା ସମସ୍ତଙ୍କଠାରୁ ପ୍ରଶଂସା ପାଇଥିଲା। ସେ ମୋ କଥା ଶୁଣୁଥିଲା ଓ ନିରବରେ କିଛିଗୋଟେ ନୂଆ କାମ କରୁଥିଲା। ମୁଁ ଅନୁଭବ କଲି ତା’ ଭିତରେ ସୃଜନଶୀଳତା ଖୁବ ରହିଛି।’ ସେମିତି ହୃଷୀକେଶ କୁହନ୍ତି, ‘ପଞ୍ଚାନନ ସାର୍ ଓ ପ୍ରବୀର ସାର୍ଙ୍କଠାରୁ ଅନେକ କିଛି ଶିକ୍ଷାଲାଭ କରିଛି। ୨୦୦୧ମସିହାରେ ପଞ୍ଚାନନ ସାର୍ଙ୍କ ସହ ଦେଖା ହୋଇଥିଲା । ଧଉଳି ଚାରୁକଳା ମହାବିଦ୍ୟାଳୟରେ ଆର୍ଟରେ ବ୍ୟାଚ୍ଲର ଡିଗ୍ରୀ ସାରିଲି। ସାର୍ଙ୍କ ସହିତ ପିକ୍ନିକ୍ ଯାଇଥିଲି। ସ୍ବାଧୀନଭାବେ କିଛି ଡ୍ରଇଂ କରିଥିଲି, ସାର୍ ବହୁତ ଖୁସି ହୋଇଥିଲେ । ସାର୍ଙ୍କ ପାଇଁ ଜଣେ ଶିଳ୍ପୀଭାବେ ପରିଚିତ ହୋଇଥିବାରୁ ନିଜକୁ ଧନ୍ୟ ମନେକରୁଛି।’
ଶିବ ସାର୍ଙ୍କ ପଦିଏ କଥା: ସାହିତ୍ୟ, ସଂସ୍କୃତିକୁ ନେଇ ତାଙ୍କର ସ୍ବପ୍ନ ଓ ଦୁନିଆ । ଓଡ଼ିଆ ସାହିତ୍ୟ କ୍ଷେତ୍ରରେ ମିନିଗଳ୍ପ ରଚନାରେ ତାଙ୍କର ରହିଛି ଭିନ୍ନ ପରିଚୟ । ସେ ହେଲେ ଗାଳ୍ପିକ ଓ ଶିକ୍ଷାବିତ୍ ଶିବ ମିଶ୍ର । ସେ କୁହନ୍ତି, ‘ଖୋର୍ଦ୍ଧା ଜିଲା ବାଣପୁର ଅଞ୍ଚଳରେ ମୋ ଘର। ଗାଁର ବେସରକାରୀ ସ୍କୁଲରେ ପ୍ରଥମେ ଶିକ୍ଷକତା କଲି। ପରେ ବୃତ୍ତିଗତ ତାଲିମ ବି ନେଲି। ଏହା ପରେ ସରକାରୀ ସ୍କୁଲରେ ପାଠ ପଢ଼ାଇଲି। ଅନ୍ତର କିଆରି ସ୍କୁଲରେ ଶିକ୍ଷକଭାବେ କାର୍ଯ୍ୟ କରିବା ସମୟର କଥା । ସେତେବେଳେ ୭ମ ଶ୍ରେଣୀରେ ପଢୁଥିବା ଶୁଭଶ୍ରୀ ଜଣେ ମେଧାବୀ ଛାତ୍ରୀ ଥିଲା। କିନ୍ତୁ ତା’ର ଦେହ ଅସୁସ୍ଥତା କାରଣରୁ ଅନେକ ସମୟରେ ସେ ସ୍କୁଲକୁ ଆସିପାରେ ନାହିଁ। ସ୍କୁଲ ପଢା ବେଳେ ଅଧିକ କିଛି ଜାଣିବା ପାଇଁ ତା’ର ଜିଜ୍ଞାସା ରହିଥାଏ। ସେଥି ପାଇଁ ଆମକୁ ପାଠର ଅନେକ ଦିଗକୁ ଯିବାକୁ ପଡ଼ିଥାଏ। ଯାହା କୁହାଯାଏ ସେ ଶୁଣେ ଏବଂ ମାନିଥାଏ। ଏହା ଦ୍ୱାରା ଅନ୍ୟ ଛାତ୍ରୀଙ୍କଠାରୁ ସେ ବାରି ହୋଇପଡ଼େ। ସେଦିନ ସେହି ଛାତ୍ରୀ ଆଜି ଡାକ୍ତର ଶୁଭଶ୍ରୀ ରାୟସିଂ ।’ ସେ କୁହନ୍ତି, ‘୨୦୦୨ରେ ଆମ ଗାଁ ଉ.ପ୍ର. ବିଦ୍ୟାଳୟରେ ପଢୁଥାଏ। ଶିବ ସାର୍ ଆମକୁ ସାହିତ୍ୟ ପଢ଼ାଉଥିଲେ। ସେ ଖୁବ୍ ସରଳ ଓ ମିଷ୍ଟଭାଷୀ। ଥରେ ଖେଳ ପିରିୟଡ୍ରେ କେତେଜଣ ସାଙ୍ଗ ମିଶି ଅନ୍ୟ ଜଣେ ସାଙ୍ଗଙ୍କ ଘରକୁ ଯାଇଥିଲୁ, କିନ୍ତୁ ଫେରିଲା ବେଳକୁ ଶିବ ସାର୍ ଶ୍ରେଣୀରେ ପଢ଼ାଉଛନ୍ତି। ଆମେ ଆସିବାରେ ବିଳମ୍ବ ହୋଇଥିବାରୁ ସାର୍ କହିଲେ ଆରେ ମା’ ତୁ ବି ଏମିତି ବିଳମ୍ବ କରିଲୁ । ଅନ୍ୟମାନେ ଯାହା ତୁ ବି ସେହିପରି ହୋଇଗଲୁ । ଏତିକି କଥାରେ ସେବେଠାରୁ ପଢ଼ାରେ କେବେ ଅବହେଳା କରିନାହିଁ । ସମୟର ମୂଲ୍ୟ ଆଉ ସାର୍ଙ୍କ ସେହି ପଦକ କଥା ମୋ ଜୀବନର ଗତିପଥକୁ ବଦାଳାଇ ଦେଇଥିଲା। ସେଥିପାଇଁ ଆଜି ଜଣେ ଡାକ୍ତର ଭାବେ ସମାଜରେ ସେବା କରିବାର ଦାୟିତ୍ୱ ତୁଲାଇପାରିଛି। କେବଳ ସାର୍ଙ୍କ ପଦକ କଥା ମୋତେ ଗଢିବାରେ ସାହାଯ୍ୟ କରିଛି।’
ଗାଁ ସ୍କୁଲ ଓ ଶିକ୍ଷକଙ୍କ କଥା ସବୁଦିନ ମନେରହିବ: ରଣପୁର ଇତିହାସର ଲେଖକ, ପୂର୍ବତନ ବିଦ୍ୟାଳୟ ଅନୁନିରୀକ୍ଷକ ତଥା ଶିକ୍ଷାବିତ୍ ସତ୍ୟବାଦୀ ବଳିଆରସିଂହ କୁହନ୍ତି, ‘ଗଡ଼ବାଣିକିଲୋ ହାଇସ୍କୁଲରେ ସହକାରୀ ଶିକ୍ଷକଭାବେ ଯୋଗ ଦେଇଥାଏ। ୧୯୭୪ରେ ସ୍କୁଲରେ ଅନ୍ୟ ଛାତ୍ରୀଛାତ୍ରଙ୍କ ମଧ୍ୟରେ ପ୍ରଦୀପ୍ତ କୁମାର ନନ୍ଦ ବାରିହୋଇପଡ଼ନ୍ତି। ତାଙ୍କର ସରଳ ସ୍ବଭାବ, ପରୋପକାରୀ ଗୁଣ, ଶିକ୍ଷାଗ୍ରହଣରେ ଆଗ୍ରହ ସହ ସ୍କୁଲରେ ବିଭିନ୍ନ ଶିକ୍ଷଣୀୟ କାର୍ଯ୍ୟକ୍ରମରେ ଭାଗ ନେଉଥିଲେ। ବାସ୍ତବରେ ସେ ଜଣେ ମେଧାବୀ ଛାତ୍ର ଥିଲା। ତା’ର ହିନ୍ଦୀ, ଇଂଲିଶ ଓ ଓଡ଼ିଆ ହସ୍ତାକ୍ଷର ଖୁବ୍ ସୁନ୍ଦର ଥିତ୍ଲା। ଏହି ପିଲା ଦିନେ ନାଁ ରଖିବ ଏକଥା ସ୍କୁଲରେ ସାର୍ମାନେ କଥା ହେଉଥିଲୁ। ତାହା ସତ ହୋଇଛି । ସମାଜରେ ଜଣେ ଉତ୍ତମ ପ୍ରତିଷ୍ଠିତ ବ୍ୟକ୍ତି ଭାବରେ ନିଜର ପରିଚୟ ତିଆରି କରିଥିବାରୁ ଏଭଳି ଛାତ୍ର ପାଇଁ ଆମେ ନିଜକୁ ଧନ୍ୟ ମନେକରୁଛୁ । ସେହି ଛାତ୍ର ଆଜି (ସୋଆ)ବିଶ୍ୱବିଦ୍ୟାଳୟର କୁଳପତି ତଥା ଏନ୍ବି ଓ ଡିଆରଡିଓ ମନୋନୟନ କମିଟିର ବିଶେଷଜ୍ଞ ସଦସ୍ୟ ଭାବେ କାର୍ଯ୍ୟ କରିଥିବା ବିଶିଷ୍ଟ ଗବେଷକ ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ । ସେ କୁହନ୍ତି, ସେତେବେଳେ ଗଡ଼ବାଣିକିଲୋ ହାଇସ୍କୁଲରେ ୮ମରେ ପଢୁଥିଲି । ଶହୀଦ ରଘୁଦିବାକରଙ୍କ ସମ୍ପର୍କରେ ସତ୍ୟବାଦୀ ବଳିୟାରସିଂହ ସାର୍ଙ୍କଠାରୁ ଦେଶପ୍ରେମ କଥା ଶୁଣିଥିଲି। ଏହା ଦେଶପ୍ରେମ ଭାବ ସୃଷ୍ଟି କରିଥିଲା। ସାର୍ ସ୍ପଷ୍ଟବାଦୀ, ସମସ୍ତଙ୍କୁ ସବୁବେଳେ କୁହନ୍ତି ଭଲକର, ବଡ଼ ହୁଅ, ଭଲ ମଣିଷ ହୁଅ । ସାର୍ ସାହିତ୍ୟ, ଇତିହାସକୁ ଖୁବ୍ ସରଳଭାବେ ବୁଝାଇଥାନ୍ତି। ଯେମିତି କି ସାର୍ଙ୍କ କଥାରେ କିଛି ଯାଦୁ ରହିଥାଏ। ସେତେବେଳେ ସାଇକେଲ ଧରି ଆମ ଘର ବେଣୁଧରପୁରରୁ ପ୍ରାୟ ୬କିମି ଦୂର ଗଡ଼ବାଣିକିଲୋ ସ୍କୁଲକୁ ପଢିବାକୁ ଆସିବାରେ ନିଆରା ଲାଗୁଥିଲା। ମାତ୍ର ସାର୍ଙ୍କ କଥା ପ୍ରେରଣା ଦେଉଥିଲା। ଏଥିଯୋଗୁ ଏମିତି ସ୍ଥାନରେ ପହଞ୍ଚି ପାରିଛିି। ସମସ୍ତ ଗୁରୁଜନଙ୍କ ଆଶୀର୍ବାଦ ମୋ ପ୍ରତି ରହିଛି। ଗାଁ ସ୍କୁଲ କଥା ସବୁଦିନ ମନେରହିଥିବ।
ନବୀନ ସାର୍ ଗୁଣ ଚିହ୍ନୁଥିଲେ: ଅଭିନୟରେ ରୁଚି ରଖି ୩ଦଶନ୍ଧିରୁ ଊର୍ଦ୍ଧ୍ୱ ସମୟ ମଧ୍ୟରେ ନାଟ୍ୟ ନିର୍ଦ୍ଦେଶକ,ନାଟ୍ୟପ୍ରଶିକ୍ଷକ, ମଞ୍ଚକଳା ବିଶେଷଜ୍ଞ ଭାବରେ ଯାତ୍ରା, ଥିଏଟର, ଟିଭି ଧାରାବାହିକ ଓ ଚଳଚ୍ଚିତ୍ର ଆଦି ସାଧନାରେ ସେ ସୃଷ୍ଟି କରିଛନ୍ତି ଅନେକ ଛାତ୍ରୀଛାତ୍ର । ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟରେ ନାଟକ ବିଭାଗର ଅଧ୍ୟାପକ, ବିଭାଗୀୟ ମୁଖ୍ୟ ଓ ଅଧ୍ୟକ୍ଷ ଭାବେ କାର୍ଯ୍ୟକରି ୨୦୧୨ମସିହା ମାର୍ଚ୍ଚରେ ଅବସର ନେଇଛନ୍ତି। ସେ ହେଲେ ଅବସରପ୍ରାପ୍ତ ଶିକ୍ଷାବିତ୍ ତଥା ନାଟ୍ୟକାର ନବୀନ ପରିଡ଼ା। ସେ କୁହନ୍ତି ସଙ୍ଗୀତ ମହାବିଦ୍ୟାଳୟରେ ଅଧ୍ୟାପକ ଥିବା ବେଳେ ପ୍ରଜ୍ଞାରଞ୍ଜନ ଖଟୁଆଙ୍କୁ ୬/୭ବର୍ଷ ଏଠାରେ ଶିକ୍ଷା ଦେଇଛି। ଗୋଟିଏ ଥିଏଟର ଗ୍ରୁପ୍ରେ କାମ କରିଛୁ । ସେ ମଧ୍ୟ ଏକ ଗ୍ରୁପ୍ କରିଛି ସେଥିରେ ବି କାମ କରିଛି। ସେ ଗାଁରୁ ଭୁବନେଶ୍ୱର ଅସିଥିବାରୁ ତା’ର ଆନୁଷଙ୍ଗିକ ଅସୁବିଧା ସମାଧାନ କରିବାରେ ଉଦ୍ୟମ କରିଛି। ତେବେ ସେ ଏମିତ ଜଣେ ଖୋଲାମନର, ପରୋପକାରୀ ମଜାଳିଆ ପିଲା। ତା’ ପାଖରେ ବହୁ ଟ୍ୟାଲେଣ୍ଟ ରହିଛି । ତାକୁ ଆଗକୁ ନେବାରେ କିଛି ବାଟ ବତେଇଥିଲି । ସେ ନାଟକ ଲେଖିପାରେ, ନିର୍ଦ୍ଦେଶନା ଦେଇପାରେ, ମ୍ୟୁଜିକ କରିପାରେ, ପୁଣି ଗୋଟିଏ ସିନ୍ରେ ହଠାତ୍ କିପରି କିଛି ନୂଆ ହୋଇପାରିବ ତାହା ତାକୁ ଜଣାଥାଏ। ତା’ର ସେହି ପ୍ରତିଭା ସ୍ବତନ୍ତ୍ର । ସବୁବେଳେ କିଛି ଖୋଜୁଥାଏ। ଥରେ ବାଣ ହରଣ ଏକ ଗୀତିନାଟ୍ୟ ପ୍ଲେ ଚାଲିଥାଏ । ଏହି ଦୃଶ୍ୟରେ ଶକୁନି ଚରିତ୍ରରେ ହରିହର ଅଭିନୟ କରୁଥାନ୍ତି । ହଠାତ ସେଠାରେ ମଞ୍ଚରେ ପ୍ରବେଶ କରି ପ୍ରଜ୍ଞା ଶକୁନିର କଛାକୁ ଟାଣି ପକାଇଥିଲା । ଏଥିରେ ଦର୍ଶକ ହସିଲେ ମାତ୍ର ସିରିୟସ ସିନ୍ଟାକୁ ଏମିତି ହସେଇ ବେଦମ କରିଦେଇଥିଲା। ଆଉଥରେ ଜଣେ ସିନିୟର ଛାତ୍ର ପ୍ରଜ୍ଞାକୁ ଏକ ଗଛରେ ଚଢାଇ ଭୟଭୀତ କରାଇଥାଏ। ଏ ଖବର ଶୁଣି ସେତେବେଳେ ସଙ୍ଗୀତ ମହାବିଦ୍ୟାଳୟରେ ପହଞ୍ଚି ଘଟଣାର ସମାଧାନ କରିଥିଲି । ହେଲେ ଆଜି ସେହି ପିଲା ସାଥିରେ ସେ ଅଭିନୟ କରୁଛି ତା’ ସୁଖ ଦୁଃଖରେ ଠିଆହେଉଛି। ମୋତେ ଥରେ ଫୋନକଲା ସେତେବେଳେ ମୋତ ଜ୍ୱର ହେଉଥିବାର ଶୁଣି ସେ ବ୍ୟସ୍ଥ ହାଇପଡ଼ିଥିଲା । ତା’ର ଏହି ସେବା ପାଇଁ ମୁଁ ଖୁସି ହୋଇଥିଲି। ଏବେ ସେ ଓଡ଼ିଶାର ଜଣେ ଆଗ ଧାଡ଼ିର ହାସ୍ୟକଳାକାର ଭାବେ ଖୁବ୍ ଜଣାଶୁଣା। ସେହିପରି ପ୍ରଜ୍ଞାରଞ୍ଜନ ଖଟୁଆ କୁହନ୍ତି – ମୋର ପ୍ରଥମ ଗୁରୁ ମୋ ମା’ ଯିଏ ମୋତେ ପ୍ରଥମେ କଳାଟିପା ଲଗାଇ ପାଉଡ଼ରେ ମେକପ୍ କରିଥିଲା। ୨ୟରେ ବାପା ବଡ଼ କରାଇ ରାସ୍ତାରେ ଚାଲିବା ଶିଖାଇଥିଲେ। ବିଦ୍ୟାଗୁରୁ ଖଡ଼ିଗଡ଼ାଇ ଗୁରୁବ୍ରହ୍ମା, ଗୁରୁବିଷ୍ଣୁ ଓ ଗୁରୁଦେବ ମହେଶ୍ୱର ବୋଲି ଜଣାଇଥିଲେ । ପ୍ରକୃତରେ ମୁଁ ଜଣେ ନିପଟ ମୁର୍ଖ ଥିଲି। କେବଳ ନାଟକ ଦେଖୁଥିଲି। ନାଚୁଥିଲି ଏହା ବ୍ୟତୀତ ଆଉ କିଛି ଆସେନା। କିନ୍ତୁ ମନରେ ଥାଏ ଏମିତି ଏକ ପରିବେଶ ମିଳନ୍ତା କି ମୋତେ କିଏ ନାଟକ ବିଷୟରେ କିଛି ଶିକ୍ଷା ଦିଅନ୍ତା । ଅବଶ୍ୟ ଇଚ୍ଛାଥିଲେ ଉପାୟ ଆସେ । ତାହା ହିଁ ହେଲା। ସଙ୍ଗୀତ ମହାବିଦ୍ୟାଳୟରେ ପଢିଲି । ଅନେକ ଗୁରୁଙ୍କଠାରୁ ଶିକ୍ଷା ପାଇଲି। ତେବେ ନବୀନ ସାର୍ଙ୍କ କଥା ସବୁଠାରୁ ନିଆରା । ତାଙ୍କ ଠାରୁ ଯୁଆଡ଼େ ଯାଏ ଅସୁବିଧା ବେଳେ ବାଟଖର୍ଚ୍ଚ ନେଉଥିଲି। ସବୁବେଳେ ସାର୍ ଗୀତାର କଥାକୁ କୁହନ୍ତି କର୍ମ କର, ଫଳ ମିଳିବ । ଆଗକୁ ଚାଲ ଅନ୍ଧାର ଥିଲେ ବି ହଟିଯିବ, ଆଲୁଅ ଆସିବ। ଯେଉଁଥି ପାଇଁ ତୁମର ଜନ୍ମ ସେଥିରେ ଫୋକସ କର, ନିଶ୍ଚୟ ବିଜୟ ଲାଭ କରିବ। ତୁମେ ନିଜକୁ ନିଜେ ଚିହ୍ନ, ପରିଚିତ କରାଅ। ଏହା ମୋତେ ସବୁବେଳେ ପ୍ରେରଣା ଦେଉଛି। ସବୁବେଳେ କିଛି ନୂଅ କରିବା କଥା କୁହନ୍ତି । ଏତିକି କହିବି ମୋତେ ଏମିତି ଗୁରୁ ମିଳନ୍ତୁ ଯିଏ ମୋ ଜୀବନରେ ଦିଗ୍ଦର୍ଶନ ଦେଉଥିବେ ।
ପଲେଇ ସାର୍ଙ୍କ ପଢ଼ାରେ ପ୍ରେରଣା ମିଳୁଥିଲା: ପେସା ତାଙ୍କର ଶିକ୍ଷକତା ନିଶା ଭଗବତ ସେବା। ସର୍ବଦା ସମାଜ କଲ୍ୟାଣ କାର୍ଯ୍ୟରେ ସେ ନିଯୋଜିତ ରହିଥାନ୍ତି। ତାଙ୍କ ସାଧନାରେ ସୃଷ୍ଟି ହୋଇଛନ୍ତି ଏକାଧିକ ପ୍ରତିଭାବାନ୍ ଯୁବତୀ ଯୁବକ । ଦେଶ ଓ ରାଜ୍ୟରେ ଗୌରବ ଅର୍ଜନ କରିଛନ୍ତି। କୋରାପୁଟର ସେମିଳିଗୁଡ଼ାର ଘରେ ଘରେ ସେ ପରିଚିତ। ବିଦ୍ୟାଳୟ ନିର୍ମାଣ ଓ ଶିକ୍ଷାଦାନ ପାଇଁ ଜଣେ ଆଦର୍ଶ ଶିକ୍ଷକଭାବେ ରାଜ୍ୟପାଳଙ୍କଠାରୁ ପୁରସ୍କୃତ । ସେ ହେଲେ ସୁନାବେଡ଼ା ଅଞ୍ଚଳର ଅବସରପ୍ରାପ୍ତ ଶିକ୍ଷକ ତ୍ରିନାଥ ପଲେଇ। ସେ କୁହନ୍ତି, ବିଦ୍ୟାଳୟ ଶିକ୍ଷାଦାନରେ ଛାତ୍ରୀଛାତ୍ରଙ୍କ ଦକ୍ଷତାକୁ ଜାଣି ହୋଇଥାଏ। ସେତେବେଳେ ସେମିଳିଗୁଡ଼ା ସ୍କୁଲରେ ୩ୟରୁ ୫ମଶ୍ରେଣୀ ଯାଏ ପଢୁଥିବା ଝାନ୍ସୀ ସିଂହ ଜଣେ ମେଧାବୀ ଛାତ୍ରୀ। ତା’ର ସରଳ ସ୍ବଭାବ, ଯାହା ପଢାହୁଏ ଶୀଘ୍ର ମନେରଖି ପାରୁଥିଲା। ଶିକ୍ଷାରେ ଅଧିକ କିଛି ଜାଣିବା ପାଇଁ କିଛି ପ୍ରଶ୍ନ ପଚାରିଥିଲା। ସବୁ ବେଳେ ତା’ର ଉପସ୍ଥିତବୁଦ୍ଧି । ଗୁରୁଜନଙ୍କ କଥାକୁ ସମ୍ମାନର ସହିତ ଗ୍ରହଣ କରିଥାଏ। ଏଭଳି ଛାତ୍ରୀ ପାଇଁ ଆମେ ଗର୍ବିତ । ସେଦିନର ଝାନ୍ସୀ ଏବେ ଡକ୍ଟର ଝାନ୍ସୀ ସିଂହ। ପ୍ରାଧ୍ୟାପିକା ରାଜନୀତି ବିଜ୍ଞାନ ଡିଗ୍ରୀ କଲେଜ, ସେମିଳିଗୁଡ଼ା । ସେ କୁହନ୍ତି ସେମିଳିଗୁଡ଼ା ଏକ୍ସ ବୋର୍ଡ ୟୁପି ସ୍କୁଲରେ ୫ମ ଯାଏ ପଢିଛି। ମୋତେ ସମସ୍ତେ ଖୁବ୍ ଆଦର କରୁଥିଲେ। ସାର୍ ଯାହା କହୁଥିଲେ ତାହାକୁ ଶୁଣୁଥିଲି। ପଲେଇ ସାର୍ ସବୁବେଳ ସ୍ବାମୀ ବିବେକାନନ୍ଦ ଓ ଗୁରୁ ରାମକୃଷ୍ଣଙ୍କ ଆଦର୍ଶ ଜୀବନୀ କଥା କୁହନ୍ତି । ସେଥିରୁ ଆମକୁ ପ୍ରେରଣା ମିଳୁଥିଲା। ପାଠପଢାରେ ସାର୍ଙ୍କ କଥା ମନେରହିଥାଏ। ଜଣେ ଭଲ ଗୁରୁଙ୍କ ପାଇଁ ଆଜି ସମାଜର ଉଚ୍ଚ ସ୍ଥାନରେ ପହଞ୍ଚି ପାରିଥିବାରୁ ଗୁରୁଜୀଙ୍କୁ ମୋର ଶତକୋଟି ପ୍ରଣାମ। ଏଥିପାଇଁ ଗୁରୁଙ୍କ ସ୍ଥାନ ସର୍ବାଗ୍ରେ।
-ବନବିହାରୀ ବେହେରା