କରେଣ୍ଟ ଲାଗି ମୃତ୍ୟୁ ହୋଇଥିବା ବ୍ୟକ୍ତିଙ୍କୁ ଜୀବନ୍ତ କରିବା ପାଇଁ ଗୋବରରେ ପୋତିଲେ ଶବ

ଲକ୍ଷ୍ନୌ, ୧୦।୯: ଉତ୍ତର ପ୍ରଦେଶ ଅମରୋହା ଜିଲାରୁ ଅନ୍ଧ ବିଶ୍ୱାସର ଏକ ଅଭାବନୀୟ ଚିତ୍ର ସାମ୍ନାକୁ ଆସିଛି। ଜିଲାର ଜନପଦ ଥାନା ଅନ୍ତର୍ଗତ ଦେହାତ ଅଞ୍ଚଳର ଜଣେ ବାସିନ୍ଦା ବିଜୁଳି ତାର ସଂସ୍ପର୍ଶରେ ଆସି ମୃତ୍ୟୁବରଣ କରିଥିଲେ। ବିଲରେ ଚାରା ଲଗାଉବା ପାଇଁ ୫୧ ବର୍ଷୀୟ ସୁରେନ୍ଦ୍ର ସିଂ ନାମକ ଜଣେ କୃଷକ ଟ୍ରାକ୍ଟରରେ ଚାରା ନେଇ ଯାଉଥିଲେ। ଯେତେବେଳେ ସେ ଘରୁ ବାହାରିଲେ ସେତେବେଳେ ହଠାତ୍‌ ଉପର ଦେଇ ଯାଇଥିବା ଏକ ବିଜୁଳି ତାର ସଂସ୍ପର୍ଶରେ ଆସି ସୁରେନ୍ଦ୍ର ତଳେ ପଡ଼ିଯାଇଥିଲେ। ଏହାପରେ ଘଟଣାସ୍ଥଳରେ ଉପସ୍ଥିତ ଲୋକ ତାଙ୍କୁ ହସ୍ପିଟାଲ ନେଇଥିଲେ ମଧ୍ୟ ପହଞ୍ଚିବା ପୂର୍ବରୁ ରାସ୍ତାରେ ତାଙ୍କ ପ୍ରାଣବାୟୂ ଉଡ଼ି ଯାଇଥିଲା। ଏହାପରେ ସୁରେନ୍ଦ୍ରଙ୍କ ପରିବାରେ ଶୋକର ଛାୟା ଖେଳି ଯାଇଥିଲା। କିନ୍ତୁ ସୁରେନ୍ଦ୍ରଙ୍କ ପରିବାର ଲୋକ ଅନ୍ଧ ବିଶ୍ୱାସର ସାହାରା ନେଇଥିଲେ। ସୁରେନ୍ଦ୍ରଙ୍କୁ ଜୀବିତ କରିବା ଲାଗି ତାଙ୍କ ପରିବାର ଲୋକ ତାଙ୍କୁ ଗୋବର ମଧ୍ୟରେ ପୋତି ରଖିଥିଲେ। କିନ୍ତୁ ଏଥିରେ ସେମାନେ ନିରାଶ ହୋଇଥିଲେ। ଏହି ସମୟରେ ଗ୍ରାମବାସୀଙ୍କ ନିକଟରୁ ସୂଚନା ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ଶେଷରେ ଗୋବର ମଧ୍ୟରୁ ସୁରେନ୍ଦ୍ରଙ୍କ ଶବକୁ ବାହାର କରି ପୋଲିସ ପୋଷ୍ଟମର୍ଟମ ପାଇଁ ପଠାଇଥିଲା।

Share