ବଡ଼ମ୍ବା,୬ା୨(ଡି.ଏନ୍.ଏ.): କଟକ ଜିଲା ଆଠଗଡ଼ ବନଖଣ୍ଡରେ ଏକ ଅଭାବନୀୟ ଘଟଣା ଘଟିଛି। ହାତୀକୁ ହତ୍ୟା କରିଥିବା ସନ୍ଦେହରେ ଅଟକ ରଖି ଜେରା ବେଳେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିବାରୁ ଦୁଇ ଏସିଏଫ୍ ଘନଶ୍ୟାମ ମୁଦୁଲି ଏବଂ ହରେକୃଷ୍ଣ ମଲ୍ଲିକଙ୍କୁ ଅଟକ ରଖାଯାଇଛି। ବଡ଼ମ୍ବା ରେଞ୍ଜରେ ପଚରାଉଚରା ବେଳେ ସାତଗୋଛିଆ ଗାଁର ୫୯ ବର୍ଷୀୟ ଧନେଶ୍ବର ବେହେରାଙ୍କ ମୃତ୍ୟୁ ହୋଇଥିଲା। ଏହାକୁ ନେଇ ବଡ଼ମ୍ବା ରେଞ୍ଜର ସୁବ୍ରତ ବେହେରାଙ୍କ ସମେତ ଅନ୍ୟ ବନ କର୍ମଚାରୀଙ୍କୁ ଆଠଗଡ଼ ପୋଲିସ ଅଟକ ରଖିଛି।
ସୂଚନାଯୋଗ୍ୟ, ବଡ଼ମ୍ବା ରେଞ୍ଜ୍ର ମାଣିଆବନ୍ଧ ବିଟ୍ ହିନ୍ଦୋଳ ବଡ଼ର ହିପିଣ୍ଡା ସଂରକ୍ଷିତ ଜଙ୍ଗଲରୁ ଏକ ଦନ୍ତା ହାତୀର ମୃତଦେହ ମିଳିବା ପରେ ଧନେଶ୍ୱରଙ୍କୁ ରବିବାର ବଡ଼ମ୍ବା ରେଞ୍ଜର ବନ କର୍ମଚାରୀମାନେ ତାଙ୍କୁ ଘରୁ ଉଠାଇ ନେଇଥିଲେ। ତାଙ୍କୁ ବଡ଼ମ୍ବା ରେଞ୍ଜର ସୁବ୍ରତ ବେହେରାଙ୍କ ହେପାଜତରେ ରଖି ପଚରାଉଚରା କରାଯାଉଥିବା ବେଳେ ସୋମବାର ତାଙ୍କର ମୃତ୍ୟୁ ଘଟିଛି। ଫଳରେ ଗ୍ରାମବାସୀ ୬୫ ନମ୍ବର ଜାତୀୟ ରାଜପଥ ବଡ଼ବାରସିଂହ ନିକଟରେ ଅବରୋଧ କରିଛନ୍ତି।