ହ୍ୟୁଷ୍ଟନ,୩ା୮: ମହାକାଶକୁ ମାନବ ପ୍ରେରଣ ଏକ ଅତି ଦୁରୂହ ଓ ବିପଜ୍ଜନକ ବ୍ୟାପାର। ୬୦ ବର୍ଷ ପୂର୍ବେ ମହାକାଶ ଅଭିଯାନ ଆରମ୍ଭ ହେବା ପରଠୁ ଅଦ୍ୟାବଧି ସ୍ପେସ୍ରେ ୨୦ ଜଣଙ୍କ ମୃତ୍ୟୁ ଘଟିଛି। ସେମାନଙ୍କ ମଧ୍ୟରୁ ୧୪ ଜଣ ୧୯୮୬ରୁ ୨୦୦୩ ମଧ୍ୟରେ ଆମେରିକୀୟ ମହାକାଶ ଗବେଷଣା ସଂସ୍ଥା ନାସା ସ୍ପେସ୍ ଶଟଲ ଟ୍ରାଜେଡିରେ ପ୍ରାଣ ହରାଇଛନ୍ତି। ସେହିପରି ୧୯୭୧ର ସୋୟୁଜ୍ ୧୧ ମିଶନରେ ୩ ଏବଂ ୧୯୬୭ରେ ଆପୋଲୋ ୧ ଲଞ୍ଚ ପ୍ୟାଡ୍ରେ ୩ ଜଣଙ୍କ ମୃତ୍ୟୁ ଘଟିଥିଲା।
୨୦୨୫ରେ ନାସା ପକ୍ଷରୁ ଚନ୍ଦ୍ରକୁ ଜଣେ ମଣିଷଙ୍କୁ ପଠାଇବା ଯୋଜନା ଚାଲିଛି। ସେହିପରି ମଙ୍ଗଳ ଗ୍ରହକୁ ମଧ୍ୟ ମହାକାଶଚାରୀଙ୍କୁ ପ୍ରେରଣ ଯୋଜନା ରହିଛି। ବ୍ୟବସାୟିକ ସ୍ପେସ୍ଫ୍ଲାଇଟ୍ର ଲୋକପ୍ରିୟତା ମଧ୍ୟ ବଢ଼ୁଛି। ଟ୍ରାନ୍ସଲେଶନାଲ୍ ରିସର୍ଚ୍ଚ ଇନ୍ଷ୍ଟିଚ୍ୟୁଟ୍ର ଜଣେ ସ୍ପେସ୍ ମେଡିକାଲ ଡାକ୍ତର କହିଛନ୍ତି, ମୁଁ ଓ ମୋର ଟିମ୍ ସ୍ପେସ୍ ଏକ୍ସପ୍ଲୋରରମାନଙ୍କ ସ୍ବାସ୍ଥ୍ୟକୁ ଧ୍ୟାନ ଦେଇଥାଉ। ତେବେ ମହାକାଶ ଯାତ୍ରାରେ ଥିବା କୌଣସି ବ୍ୟକ୍ତିଙ୍କ ମୃତ୍ୟୁ ଘଟିଲେ କ’ଣ କରାଯିବ। ଲୋ-ଅର୍ବିଟ୍ ମିଶନରେ ଥିବା ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଇଣ୍ଟରନ୍ୟାଶନାଲ ସ୍ପେସ୍ ଷ୍ଟେଶନ ଅଭିଯାନ ବେଳେ ଘଟିଲେ କ୍ରିଉ ତାଙ୍କ ମୃତଦେହକୁ ଏକ କ୍ୟାପ୍ସୁଲରେ ପୃଥିବୀକୁ କିଛି ଘଣ୍ଟା ଭିତରେ ପଠାଇପାରିବେ। ଚନ୍ଦ୍ରରେ ମୃତ୍ୟୁ ହେଲେ କ୍ରିଉ ତାଙ୍କ ମରଶରୀରକୁ କିଛି ଦିନ ମଧ୍ୟରେ ପୃଥିବୀକୁ ପଠାଇପାରିବେ। ଏସମ୍ପର୍କିତ ପ୍ରୋଟୋକଲର ବିସ୍ତୃତ ବିବରଣୀ ନାସା ପକ୍ଷରୁ ପ୍ରଦାନ କରାଯାଇଛି।
ମହାକାଶରେ ମୃତକଙ୍କ ଶରୀରକୁ ଫେରାଇଆଣିବାକୁ ନାସା ସେତେ ଗୁରୁତ୍ୱ ଦେଇ ଥାଏ, ବରଂ ଅନ୍ୟ ମହାକାଶ ଯାତ୍ରୀମାନଙ୍କ ସୁରକ୍ଷିତ ପ୍ରତ୍ୟାବର୍ତ୍ତନ ଏହି ଏଜେନ୍ସିର ସର୍ବାଧିକ ପ୍ରାଥମିକତା। ୩୦୦ ନିୟୁତ ମାଇଲ ଯାତ୍ରା କରି ମଙ୍ଗଳରେ ପହଞ୍ଚତ୍ବାବେଳେ ଭିନ୍ନ ଉପାୟ ଆପଣାଯିବ। ଏଭଳି ସ୍ଥିତିରେ କ୍ରିଉ ତତ୍କାଳ ମୃତଦେହ ଧରି ଫେରିଆସିବା ପାଇଁ ସକ୍ଷମ ହେବେ ନାହିଁ। ବର୍ଷେ ହେଉ କି ଦୁଇବର୍ଷ ମିଶନ ଶେଷ ହେବା ପରେ ହିଁ ସେ ମୃତକଙ୍କ ମରଶରୀର ଧରି ପୃଥିବୀକୁ ଫେରିବେ। ସେତେଦିନ ଯାଏ ମୃତକଙ୍କ ଶବକୁ ଏକ ଭିନ୍ନ ଚାମ୍ବରରେ ସୁରକ୍ଷିତ ରଖାଯିବ। ମହାକାଶ ଯାନରେ ତାପମାତ୍ରା ଓ ଆର୍ଦ୍ରତା ଏଥିରେ ସହାୟକ ହେବ ବୋଲି ନାସା ପକ୍ଷରୁ ପ୍ରକାଶ କରାଯାଇଛି।