ବଡ଼ଗୁମୁଡ଼ା ସେବାଶ୍ରମ ୧୦ମ ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁ

ନବରଙ୍ଗପୁର,୨୪ା୮(ସଦାଶିବ ପ୍ରହରାଜ)ନବରଙ୍ଗପୁର ଜିଲା ମଙ୍ଗଳ ବିଭାଗ ଦ୍ୱାରା ପରିଚାଳିତ କୋଷାଗୁମୁଡା ବ୍ଲକ ବଡ଼ଗୁମୁଡ଼ା ସେବାଶ୍ରମ ବିଦ୍ୟାଳୟର ୧୦ମ ଶ୍ରେଣୀ ଛାତ୍ରୀ ରଞ୍ଜିିତା ହରିଜନଙ୍କର ଚିକିତ୍ସାଧୀନ ଅବସ୍ଥାରେ ବୁଧବାର ନବରଙ୍ଗପୁର ଜିଲା ଡାକ୍ତରଖାନାରେ ମୃତ୍ୟୁ ଘଟିଛି। ଝରିଗଁା ବ୍ଲକ ତାରାଯୋଡି ଗ୍ରାମର ଖଗପତି ହରିଜନଙ୍କ ଝିଅ ରଞ୍ଜିତା ବଡ଼ଗୁମୁଡ଼ା ସେବାଶ୍ରମ ବିଦ୍ୟାଳୟରେ ୧୦ମ ଶ୍ରେଣୀରେ ପଢୁଥିଲେ। ୨୧ ତାରିଖରେ ତାଙ୍କର ମୁଣ୍ଡବ୍ୟଥା ହେବାରୁ ବଡ଼ଗୁମୁଡ଼ା ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେବା ପରେ ସେବାଶ୍ରମକୁ ଫେରି ଆସିଥିଲେ। ରଞ୍ଜିତା ପୁଣି ଅସୁସ୍ଥ ହେବାରୁ ବୁଧବାର ବଡ଼ଗୁମୁଡ଼ା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ନବରଙ୍ଗପୁର ଜିଲା ଡାକ୍ତରଖାନାକୁ ଅଣାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପ୍ରଧାନ ଶିକ୍ଷକ ସପନ ହାଲଦାର କହିଛନ୍ତି, ରଞ୍ଜିତାଙ୍କୁ ୨୧ ତାରିଖରେ ବଡ଼ଗୁମୁଡ଼ା ଡାକ୍ତରଖାନା କର୍ତ୍ତୃପକ୍ଷ ଔଷଧ ଦେଇ ଛାଡି ଦେଇଥିଲେ। ରାତିରେ ଔଷଧ ଖାଇବା ପରେ ମଧ୍ୟ ମୁଣ୍ଡବ୍ୟଥା ନ କମିବାରୁ ପୁଣି ଥରେ ଗତ ୨୨ ତାରିଖରେ ଡାକ୍ତରଖାନାକୁ ନିଆଯାଇଥିଲା। ୨୩ ତାରିଖରେ ବାନ୍ତି ହେବା ପରେ ପୁଣି ଥରେ ଡାକ୍ତରଖାନାକୁ ନିଆଯାଇଥିଲା। ବୁଧବାର ସକାଳୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ଗୁରୁତର ହେବାରୁ ଅପରାହ୍ନ ୧ଟାରେ ନବରଙ୍ଗପୁର ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବା କହିଛନ୍ତି। କୋଡିଗାଁ ଥାନା ଅଧିକାରୀ ଯୁଗଳ ଶବର ଗୁରୁବାର ମୃତଦେହ ବ୍ୟବଚ୍ଛେଦ ହେବ ବୋଲି କହିଛନ୍ତି। ତେବେ ପରିବାର ଲୋକେ ଅଭିଯୋଗ କରିଛନ୍ତି, ଝିଅ ଗୁରୁତର ସଂକ୍ରାନ୍ତରେ ତାଙ୍କୁ ଜଣାଯାଇ ନ ଥିଲା। ପୂର୍ବରୁ ଖବର ପାଇ ସମ୍ପର୍କୀୟ ଯିବାରୁ କେବଳ ମା’ ବାପାଙ୍କୁ ଝିଅ ସହିତ ମିଶିବା ନିୟମ ଅଛି କହି ଝିଅକୁ ଦେଖିବା ପାଇଁ ମନା କରିଥିଲେ ବୋଲି ଅଭିଯୋଗ କରିଛନ୍ତି। ମୃତଦେହ ବ୍ୟବଚ୍ଛେଦ ପରେ ମୃତ୍ୟୁର କାରଣ ଜଣାପଡିବ।

Share