Categories: ଜାତୀୟ

ଓଡ଼ିଶାରେ ୩ ରୁଷୀୟଙ୍କ ମୃତ୍ୟୁକୁ ଏକାଠି ଯୋଡ଼ା ନ ଯାଉ: କେନ୍ଦ୍ର

ନୂଆଦିଲ୍ଲୀ,୬ା୧: ୩ ଜଣ ରୁଷୀୟ ନାଗରିକଙ୍କର ଓଡ଼ିଶାରେ ମୃତ୍ୟୁ ଘଟିଛି। ଏ ନେଇ ଆବଶ୍ୟକ ତଦନ୍ତ ଜାରି ରହିଛି। ଏହି ମୃତ୍ୟୁକୁ ଏକାଠି ଯୋଡ଼ିବା ଆବଶ୍ୟକ ନାହିଁ ବୋଲି ଭାରତର ବହିର୍ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଗୁରୁବାର କୁହାଯାଇଛି। ଦୁଇଦିନ ପୂର୍ବରୁ କାର୍ଗୋ ଜାହାଜର ଜଣେ ରୁଷୀୟ ଇଞ୍ଜିନିୟରଙ୍କର ଓଡ଼ିଶା ଉପକୂଳ ଅନ୍ତର୍ଜାତୀୟ ଜଳରାଶିରେ ମୃତ୍ୟୁ ଘଟିଥିଲା। ଔପଚାରିକତା ପାଇଁ ତାଙ୍କ ମୃତଦେହ ପାରାଦୀପ ବନ୍ଦ ଅଣାଯାଇଥିଲା। ଏହା ପୂର୍ବରୁ ଡିସେମ୍ବର ୨୪ ଓ ୩୦ରେ ରାୟଗଡ଼ାର ଏକ ହୋଟେଲରେ ୨ ଜଣ ରୁଷୀୟଙ୍କ ମୃତ୍ୟୁ ହୋଇଥିଲା। ୩ଟି ଯାକ ମୃତ୍ୟୁକୁ ଏକାଠି ଯୋଡ଼ିବା ଠିକ୍‌ ନୁହେଁ ବୋଲି ବହିର୍ବ୍ୟାପାର ମନ୍ତ୍ରଣାଳୟ ମୁଖପାତ୍ର ଅରିନ୍ଦମ ବାଗ୍‌ଚୀ ଗଣମାଧ୍ୟମକୁ କହିଛନ୍ତି। ଭାରତ ଏକ ବିଶାଳ ଦେଶ ଏବଂ ବହୁସଂଖ୍ୟାରେ ବିଦେଶୀ ଏଠାକୁ ଆସିଥାନ୍ତି। ପାଭେଲ୍‌ ଆଣ୍ଟୋଭ୍‌ ରହୁଥିବା ହୋଟେଲର ୩ ମହଲାରୁ ଖସି ପ୍ରାଣ ହରାଇଥିବାବେଳେ ଭ୍ଲାଡିମିର ବିଡେନୋଭ୍‌ଙ୍କର ହୃଦ୍‌ଘାତରେ ମୃତ୍ୟୁ ଘଟିଥିବା ପୋଲିସ କହିଛି। କ୍ରାଇମ୍‌ ବ୍ରାଞ୍ଚ ଏବଂ ରାଜ୍ୟ ଫୋରେନ୍‌ସିକ୍‌ ସାଇନ୍ସ ଲାବରେଟୋରୀର ଏକ ଟିମ୍‌ ରାୟଗଡ଼ା ସାଇ ଇଣ୍ଟରନ୍ୟାଶନାଲ ହୋଟେଲ ଯାଞ୍ଚ କରିଛି। ଓଡ଼ିଶା ପୋଲିସର ସିଆଇଡି କ୍ରାଇମ୍‌ ବ୍ରାଞ୍ଚ ମାମଲାର ତଦନ୍ତ କରୁଛି।

Share