ଅବିବାହିତା ଯୁବତୀ ଛାଡ଼ିଯାଇଥିବା ଶିଶୁଙ୍କ ମୃତ୍ୟୁ

କେନ୍ଦୁଝର,୨୫ା୨(ନରେଶ ଚନ୍ଦ୍ର ପଟ୍ଟନାୟକ) : ସ୍ଥାନୀୟ ମନୋଜ ମଞ୍ଜରୀ ଶିଶୁ ଭବନରେ ଶନିବାର ଏକ ୩ ମାସର ଶିଶୁ ପୁତ୍ରର ମୃତ୍ୟୁ ଘଟିଛି। ଶିଶୁଟିକୁ ଜଣେ ଅବିବାହିତା ଯୁବତୀ ଛାଡ଼ି ଯାଇଥିବା ବେଳେ ପରେ ଶିଶୁଙ୍କ ମୃତ୍ୟୁ ଘଟିଥିଲା। ଏହାର ଠିକ୍‌ କାରଣ ଜଣାପଡ଼ି ନ ଥିବା ବେଳେ ରବିବାର ମୃତଦେହ ବ୍ୟବଚ୍ଛେଦ କରାଯାଇଛି। ପ୍ରକାଶ ଯେ, ଝୁମ୍ପୁରା ଅଞ୍ଚଳର ଜଣେ ଅବିବାହିତା ଯୁବତୀ ଏକ ଶିଶୁ ପୁତ୍ରକୁ ଗତ ନଭେମ୍ବର ମାସରେ ଜନ୍ମ ଦେଇଥିଲେ। ସେ ବିବାହ କରି ନ ଥିବାରୁ ଶନିବାର ଆଇନ ଅନୁଯାୟୀ ମନୋଜ ମଞ୍ଜରୀ ଶିଶୁ ଭଭନରେ ଶିଶୁଟିକୁ ଛାଡ଼ି ଯାଇଥିଲେ। ତେବେ ପ୍ରାୟ ୪ ଘଣ୍ଟା ପରେ ଅସୁସ୍ଥ ହେବାରୁ ଶିଶୁଟିକୁ ଜିଲା ମୁଖ୍ୟାଳୟ ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ଡାକ୍ତର ଚିକିତ୍ସା କରିବା ବେଳେ ଶିଶୁଟିର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଏ ନେଇ ଭବନର ସମ୍ପାଦକ ସତ୍ୟନାରାୟଣ ମିଶ୍ର କହିଛନ୍ତି, ଶିଶୁ ଗ୍ରହଣର ୨୪ ଘଣ୍ଟା ମଧ୍ୟରେ ସ୍ବାସ୍ଥ୍ୟ ପରୀକ୍ଷା କରିବା ନିୟମ ରହିଛି। ଗ୍ରହଣ ସମୟରେ ଶିଶୁଟି ସୁସ୍ଥ ଥିଲା। ଏଣୁ ୪ ଘଣ୍ଟା ପରେ ଶିଶୁଟିକୁ ମେଡିକାଲ ନିଆଯାଇଥିଲା। ସେଠାରେ ତାର ମୃତ୍ୟୁ ଘଟିଥିଲା। ଚିକିତ୍ସା କରିଥିବା ଡାକ୍ତର ବିଜୟ କେତନ ବେହେରା କହିଛନ୍ତି, ଶିଶୁର ମୃତ୍ୟୁ ହୋଇଥିବା ଜଣାପଡ଼ିବା ପରେ ବ୍ୟବଚ୍ଛେଦ କରାଯାଇଛି। ରିପୋର୍ଟ ଆସିବା ପରେ ସଠିକ୍‌ କାରଣ ଜଣାପଡ଼ିବ। ଶିଶୁ ସୁରକ୍ଷା ସମିତିର ଅଧ୍ୟକ୍ଷ ବିଭୂତି ଦାଶ କହିଛନ୍ତି, ଶିଶୁଟିକୁ ନୀତି ନିୟମ ଅନୁଯାୟୀ ଶିଶୁ ଭବନକୁ ହସ୍ତାନ୍ତର କରାଯାଇଥିଲା। ଡାକ୍ତରୀ ରିପୋର୍ଟ ମିଳିବା ପରେ ମୃତ୍ୟୁର କାରଣ ଜଣାପଡ଼ିବ।