Advertisement

ମୀନାବଜାରରେ ଅଘଟଣ: ଡିସ୍କୋ ଚେୟାରରେ ବୁଲୁଥିବା ବେଳେ ଚାଲିଗଲା ନାବାଳିକାଙ୍କ ଜୀବନ

କୋଟପାଡ଼,୩ା୭(ଡି.ଏନ୍‌.ଏ.): କୋରାପୁଟ ଜ଼ିଲା କୋଟପାଡ଼ ଅଞ୍ଚଳରେ ରଥଯାତ୍ରା ପାଇଁ ପଡିଥିବା ମୀନାବଜାରରେ ଏକ ଅଘଟଣ ଘଟିଛି। ମ୍ୟାଜିକ ଡିସ୍କୋ ଚେୟାରରେ ବୁଲୁଥିବା ବେଳେ ଜଣେ ନାବାଳିକାଙ୍କ ମୃତ୍ୟୁ ହୋଇଛି। ସେ କୋଟପାଡ଼ ମିର୍ଗାନ ସାହିର ଏମ୍‌ଡି ୟାକୁବଙ୍କ ଝିଅ ଆଲଫିଆ (୧୩) ବୋଲି ଜଣାପଡିଛି। ଖବରରୁ ପ୍ରକାଶ, ରଥଯାତ୍ରା ପାଇଁ ଚଳିତ ବର୍ଷ ତହସିଲ ପଡିଆରେ ମୀନାବଜାର ପଡିଛି। ମୀନାବଜାରକୁ ବିଭିନ୍ନ ସ୍ଥାନରୁ ବ୍ୟବସାୟୀମାନେ ଆସି ବ୍ୟବସାୟ କରିଥାନ୍ତି। ଏଠାକୁ ମ୍ୟାଜିକ ଡିସ୍କୋ ଚେୟାର ଧରି ଜଣେ ବ୍ୟବସାୟୀ ଆସିଥିଲେ। ଶନିବାର ରାତି ୧୦ଟାରେ ଆଲଫିଆ ନିଜ ସାଙ୍ଗମାନଙ୍କ ସହ ମୀନାବଜାର ବୁଲି ଯାଇଥିଲେ। ସେଠାରେ ସେ ମ୍ୟାଜିକ ଡିସ୍କୋ ଚେୟାରରେ ବୁଲୁଥିବା ସମୟରେ ହୃଦ୍‌ଘାତରେ ତାଙ୍କର ମୃତ୍ୟୁ ହୋଇଛି। ଖବରପାଇ ପରିବାର ଲୋକେ ପହଞ୍ଚତ୍ ତାଙ୍କୁ କୋଟପାଡ଼ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏ ସମ୍ପର୍କରେ ପରିବାର ଲୋକେ ଥାନାରେ କିଛି ଅଭିଯୋଗ କରି ନ ଥିବାରୁ କୌଣସି ପଦକ୍ଷେପ ନିଆଯାଇନାହିଁ ବୋଲି ଏଏସ୍‌ଆଇ ସୁନୀଲ କୁମାର ସ୍ବାଇଁ କହିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share