ବିଚାରାଧୀନ କଏଦୀଙ୍କ ମୃତ୍ୟୁ

ବ୍ରହ୍ମପୁର ଅଫିସ,୩୦।୫: ଏମ୍‌କେସିଜି ମେଡିକାଲରେ ଚିକିତ୍ସାଧୀନ ଜଣେ ବିଚାରାଧୀନ କଏଦୀଙ୍କ ସୋମବାର ମୃତ୍ୟୁ ଘଟିଛି। ସେ ହେଲେ ଟାଉନ ଥାନା ଅଧୀନ ଗେଟ୍‌ବଜାର ଜାଗିଲିସାହିର ମୁନା ବେହେରା(୫୦)। ବୈଦ୍ୟନାଥପୁର ପୋଲିସ ମୃତଦେହ ଜବତକରି ଏକ ଅପମୃତ୍ୟୁ ମାମଲା(ନଂ.୨୯୦/୨୨) ରୁଜୁକରି ତଦନ୍ତ ଚଳାଇଛି।

ମାଜିଷ୍ଟ୍ରେଟ ଏବଂ ପରିବାର ଲୋକଙ୍କ ଉପସ୍ଥିତିରେ ପୋଲିସ ମୃତଦେହ ପଞ୍ଚନାମା ପରେ ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ପ୍ରକାଶ ଯେ, ଗତ ୨୭ ତାରିଖ ସକାଳେ ଜାଗିଲି ସାହିରେ ବେଆଇନ ଭାବେ ମଦ ବିକ୍ରି ହେଉଥିବା ଖବର ପାଇ ଟାଉନ ଥାନା ପୋଲିସ ସେଠାରେ ଚଢ଼ାଉ କରିଥିଲା। ଘଟଣାସ୍ଥଳରୁ ୨ଟି ପ୍ଲାଷ୍ଟିକ ଜାର୍‌ରୁ ୨୫ ଲିଟର ଦେଶୀ ମଦ ଜବତ କରିଥିଲା। ମଦ ବିକ୍ରି କରୁଥିବା ମୁନା ବେହେରାଙ୍କୁ ପୋଲିସ ଗିରଫକରି କୋର୍ଟ ଚାଲାଣ କରିଥିଲା। ଏନେଇ ପୋଲିସ ଏକ ମାମଲା(ନଂ.୧୩୩/୨୨) ରୁଜୁ କରିଥିଲା। କୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିଲା। ମଣ୍ଡଳ କାରାଗାରରେ ବିଚାରାଧୀନ କଏଦୀ ଥିବା ମୁନା ୨୯ ତାରିଖରେ ଅସୁସ୍ଥ ହୋଇପଡିଥିଲେ। ଏନେଇ ଜେଲ କର୍ତ୍ତୃପକ୍ଷ ତାଙ୍କୁ ଏମ୍‌କେସିଜି ମେଡିକାଲରେ ଭର୍ତ୍ତି କରିଥିଲେ। ଚିକିତ୍ସାଧୀନ ଅବସ୍ଥାରେ ସୋମବାର ତାଙ୍କର ମୃତ୍ୟୁ ଘଟିଥିଲା। ମୁନାଙ୍କ ମୃତ୍ୟୁକୁ ପରିବାର ଲୋକେ ବିଶ୍ୱାସ କରିପାରୁନାହାନ୍ତି। ବ୍ୟବଚ୍ଛେଦ ରିପୋର୍ଟ ମିଳିବା ପରେ ମୃତ୍ୟୁର କାରଣ ଜଣାପଡ଼ିବ ବୋଲି ପୋଲିସ କହିଛି।

Share