ଚିକିତ୍ସାଧୀନ ଅବସ୍ଥାରେ ବିଚାରାଧୀନ କଏଦୀଙ୍କ ମୃତ୍ୟୁ

ନବରଙ୍ଗପୁର,୧୦ା୨(ବି.ପ୍ର.): ଚିକିତ୍ସାଧୀନ ଅବସ୍ଥାରେ ସୋମବାର ରାତି ପ୍ରାୟ ସାଢେ ୧୦ଟାରେ ଜଣେ ବିଚାରାଧୀନ କଏଦୀଙ୍କ ମୃତ୍ୟୁ ହୋଇଯାଇଛି। ସେ ହେଲେ କୋଷାଗୁମୁଡା ବ୍ଲକ ନାଗିଗୁଡା ଗାଁର ରାମଧର ଭତରା(୨୦)। ସୋମବାର ରାମଧରଙ୍କର ଅତ୍ୟଧିକ ଝାଡା ହେବାରୁ ଜେଲ କର୍ତ୍ତୃପକ୍ଷ ତାଙ୍କୁ ନବରଙ୍ଗପୁର ଜିଲା ସଦର ମହକୁମା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ରାତି ପ୍ରାୟ ସାଢେ ୧୦ଟାରେ ତାଙ୍କର ମୃତ୍ୟୁ ହୋଇଛି। ଏନେଇ ନବରଙ୍ଗପୁର ଥାନାରେ ୫/୨୧ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି। ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଭିଡିଓଗ୍ରାଫି କରାଯାଇ ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ମାଜିଷ୍ଟ୍ରେଟ ଭାବେ ସହକାରୀ ଜିଲାପାଳ କମଳେଶ ମହନ୍ତ, ଅତିରିକ୍ତ ଏସ୍‌ପି ସି.ଏଚ.ହୃଦୟାନନ୍ଦ, ନବରଙ୍ଗପୁର ଥାନାଧିକାରୀ ତାରିକ ଅହମ୍ମଦ, ଜେଲ ସୁପରିଣ୍ଟେଣ୍ଡେଣ୍ଟ ସନ୍ତୋଷ ପଟ୍ଟନାୟକ, ତହସିଲଦାର ରବୀନ୍ଦ୍ର ରାଉତ ପ୍ରମୁଖ ଉପସ୍ଥିତ ଥିଲେ। ଜେଲ ପକ୍ଷରୁ ସୁପରିଣ୍ଟେଣ୍ଡେଣ୍ଟ ୫ ହଜାର ଟଙ୍କା ଓ ଜିଲା ରେଡ୍‌କ୍ରସ୍‌ ପକ୍ଷରୁ ତହସିଲଦାର ୧୫ ହଜାର ଟଙ୍କା ମୃତକଙ୍କ ପରିବାର ଲୋକଙ୍କୁ ପ୍ରଦାନ କରିଛନ୍ତି। ପ୍ରକାଶ ଯେ, ଜଣେ ନାବାଳିକାଙ୍କୁ ବଳାତ୍କାର ଅଭିଯୋଗରେ ଜାନୁୟାରୀ ୨୨ରେ କୋଡିଙ୍ଗା ପୋଲିସ ରାମଧରଙ୍କୁ ଗିରଫକରି କୋର୍ଟ ଚାଲାଣ କରିଥିଲା। କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ତାଙ୍କୁ ନବରଙ୍ଗପୁର ଉପକାରାଗାରକୁ ପଠାଯାଇଥିଲା।

Share