କେନ୍ଦୁଝର,୭ା୮(ସ୍ବ.ପ୍ର.): କେନ୍ଦୁଝର ବନଖଣ୍ଡ ଅନ୍ତର୍ଗତ ଭୂୟାଁ ଜୁଆଙ୍ଗ ପୀଢ଼ ରେଞ୍ଜ ଅଧିନସ୍ଥ ତଳ ଚମ୍ପେଇ ପଞ୍ଚାୟତ ସିନ୍ଦୁରିଆ ଜଙ୍ଗଲରେ ଅସୁସ୍ଥ ହୋଇ ଚିକିତ୍ସାଧୀନ ଥିବା ଏକ ମାଈହାତୀର ଶନିବାର ଭୋର୍ରେ ମୃତ୍ୟୁ ହୋଇଛି। ଶୁକ୍ରବାର ଅସୁସ୍ଥ ଅବସ୍ଥାରେ ତାକୁ ବନ ବିଭାଗରେ ଜଙ୍ଗଲରେ ଠାବ କରି ଚିକିତ୍ସାା କରୁଥିଲେ ହେଁ ବଞ୍ଚାଇ ପାରି ନ ଥିଲେ। ତାର ଆଭ୍ୟନ୍ତରୀଣ କ୍ଷତ ଯୋଗୁ ମୃତ୍ୟୁ ଘଟିଥିବା ବନ ବିଭାଗ ଆଶଙ୍କା କରୁଛି। ପାହାଡ଼ରୁ ଖସି ପଡ଼ିବା କାରଣରୁ ଆଘାତ ପାଇଥିବା ଅନୁମାନ କରାଯାଉଛି।
ଆଜି ମୃତଦେହ ବ୍ୟବଚ୍ଛେଦ ପରେ ପୋତି ଦିଆଯାଇଛି। ତେବେ ହାତୀ ମୃତ୍ୟୁର କାରଣ ଅଦ୍ୟାବଧି ଜଣାପଡ଼ିନାହିଁ।ଡିଏଫ୍ଓ ଅଜିତ ଶତପଥୀ କହିଛନ୍ତି, ମୃତ୍ୟୁରକାରଣ ଜଣାପଡି ନ ଥିଲେ ହେଁ ଆଭ୍ୟନ୍ତରୀଣ ଆଘାତ ଯୋଗୁ ଅସୁସ୍ଥ ଥିବା ଅନୁମାନ କରାଯାଉଛି।
ଉକ୍ତ ରେଞ୍ଜ୍ ଅଧିନସ୍ଥ କୁଶକଳା ଜଙ୍ଗଲରେ ମା’ ଓ ଛୁଆ ହାତୀର ଅସ୍ବାଭାବିକ ମୃତ୍ୟୁ ହୋଇଥିଲେ ହେଁ ମୃତ୍ୟୁର କାରଣ ଅଦ୍ୟାବଧି ଜଣାପଡ଼ି ନ ଥିବା ବେଳେ ପୁଣି ଆଉ ଏକ ମାଈ ହାତୀର ମୃତ୍ୟୁ ସେମାନଙ୍କ ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।