ଅନ୍ତେବାସୀ ଛାତ୍ରଙ୍କ ମୃତ୍ୟୁ, ଚିକିତ୍ସା ଅଭିଯୋଗ ଆଣିଲେ ପରିବାର ଲୋକେ

ନୀଳଗିରି,୫ା୮(ଡି.ଏନ୍‌.ଏ): ହଷ୍ଟେଲରେ ରହୁଥିବା ଆଦିବାସୀ ଛାତ୍ରଙ୍କ ମୃତ୍ୟୁ ନେଇ ଉତ୍ତେଜନା ପ୍ରକାଶ ପାଇଛି। ଉତ୍ତମ ଚିକିତ୍ସା ଯୋଗାଇବା ବଦଳରେ ଗୁରୁତର ଛାତ୍ରଙ୍କୁ ଘରକୁ ପଠାଇ ଦେଇଥିଲେ ଶିକ୍ଷକ। ଶୁକ୍ରବାର ଚିକତ୍ସା ହେଉଥିବା ବେଳେ ଆଖି ବୁଜିଛନ୍ତି। ଏଭଳି ଘଟଣା ବାଲେଶ୍ୱର ଜିଲା ନୀଳଗିରି ବ୍ଲକ ଧୋବଶିଳା ପଞ୍ଚାୟତ ସରକାରୀ ପ୍ରାଥମିକ ବିଦ୍ୟାଳୟ ଖବରବଣିରେ ଘଟିଛି। ସ୍କୁଲ ନିକଟ ରାବିଡ଼ିସାହି ଗ୍ରାମର ପୂର୍ଣ୍ଣଚନ୍ଦ୍ର ସିଂଙ୍କ ୭ ବର୍ଷର ପୁଅ ତପୁ ହଷ୍ଟେଲରେ ରହି ଦ୍ୱିତୀୟ ଶ୍ରେଣୀରେ ପଢୁଥିଲେ। କିଛିଦିନ ଧରି ତାଙ୍କର ଶରୀର ଅସୁସ୍ଥ ଥିବା ସହ ଜ୍ବରରେ ମଧ୍ୟ ପୀଡିତ ଥିଲେ। ହଷ୍ଟେଲ ରୋଷେୟାଙ୍କୁ ମଧ୍ୟ କୋଭିଡ୍‌ ହୋଇଥିଲା। ତେବେ ହଷ୍ଟେଲ କର୍ତ୍ତୃପକ୍ଷ ମଧ୍ୟ ଏହାକୁ ହାଲୁକା ଭାବେ ନେଇଥିଲେ। ଛାତ୍ର ଜଣକ ଗୁରୁତର ହେବାରୁ ସ୍କୁଲ କର୍ତ୍ତୃପକ୍ଷ ମେଡିକାଲ ନେଇ ଚିକିତ୍ସା କରାଇବା ବଦଳରେ ଗୁରୁବାର ପୂର୍ବାହ୍ନରେ ତାଙ୍କ ବାପାଙ୍କୁ ଡକାଇ ଘରକୁ ପଠାଇ ଦେଇଥିଲେ। ଶୁକ୍ରବାର ପୂର୍ବାହ୍ନରେ ତାଙ୍କୁ ନୀଳଗିରି ଡାକ୍ତରଖାନାକୁ ନେଇ ଚକିତ୍ସା କରିବା ବେଳେ ତାଙ୍କର ମୃତ୍ୟୁ ଘଟିଛି। ତେବେ ହଷ୍ଟେଲ କର୍ତ୍ତୃପକ୍ଷଙ୍କ ଏଭଳି ଚରମ ଅବହେଳା ପାଇଁ ଆଜି ମୃତ୍ୟୁ ଅଭିଯୋଗ ଆଣି ପରିବାର ଓ ଗାଁ ଲୋକେ ହଷ୍ଟେଲ ଆଗରେ ଧାରଣା ଦେଇଛନ୍ତି। ଏନେଇ ଅଞ୍ଚଳରେ ଉତ୍ତେଜନା ଲାଗି ରହିଥିବା ବେଳେ ପରିବାର ଲୋକେ ନ୍ୟାୟ ମାଗିଛନ୍ତି।

Share